Latest Odisha News

BREAKING NEWS

IT to Auto Rider: ଆଇଟି ଚାକିରି ଛାଡ଼ି ଯୁବତୀ ଚଲାଇଲେ ରାପିଡୋ ଅଟୋ, କହିଲେ, ‘ମିଳୁଛି ଅଧିକ ରୋଜଗାର, ଅଛି ସ୍ବାଧୀନତା…’

ବେଙ୍ଗାଲୁରୁ: ଆଇଟି କମ୍ପାନୀରେ ଭଲ ଚାକିରି, କିନ୍ତୁ ମା’ଙ୍କ ଯତ୍ନ ନେବା ପାଇଁ ଛାଡ଼ିଦେଲେ କର୍ପୋରେଟ୍ କ୍ୟାରିୟର। ଏବେ ରାପିଡୋ ଅଟୋ ଚଲାଇ ଚର୍ଚ୍ଚାରେ ବେଙ୍ଗାଲୁରୁର ଜଣେ ପୂର୍ବତନ ଆଇଟି କର୍ମଚାରୀ। ତାଙ୍କ କାହାଣୀ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କ ନିଷ୍ପତ୍ତିକୁ ନେଇ ଆଲୋଚନା ଆରମ୍ଭ ହୋଇଛି।

ସାମ୍ନାକୁ ଆସିଥିବା ସୂଚନା ଅନୁସାରେ, ଯୁବତୀଙ୍କ ବାପାଙ୍କ ମୃତ୍ୟୁ ପରେ ଘରର ଦାୟିତ୍ୱ ତାଙ୍କ ଉପରେ ଆସିଥିଲା। ଅନ୍ୟପଟେ ଆଇଟି ଚାକିରିରେ ବିଳମ୍ବିତ ରାତି ଯାଏଁ ଶିଫ୍ଟ ରହୁଥିବାରୁ ସେ ଘରେ ଏକୁଟିଆ ଥିବା ମା’ଙ୍କୁ ପର୍ଯ୍ୟାପ୍ତ ସମୟ ଦେଇପାରୁନଥିଲେ। ତେଣୁ ମା’ଙ୍କ ଯତ୍ନ ନେବା ସହ ନିଜ କାମ ସମୟ ଉପରେ ନିୟନ୍ତ୍ରଣ ରଖିବା ପାଇଁ ସେ ଅଟୋ ଚଲାଇବାକୁ ବାଛିଥିଲେ। ଏହି ନିଷ୍ପତ୍ତି ନେବା ସହଜ ନଥିଲା। ପରିବାର ପକ୍ଷରୁ ମଧ୍ୟ ପ୍ରଥମେ ଜଣେ ଝିଅ ଅଟୋ ଚଲାଇବାକୁ ନେଇ ବିରୋଧ ହୋଇଥିଲା। କିନ୍ତୁ ଯୁବତୀ ନିଜ ନିଷ୍ପତ୍ତିରେ ଅଟଳ ରହିଥିଲେ। ତାଙ୍କ କହିବା ଅନୁସାରେ, ଅଟୋ ଚଲାଇବା ତାଙ୍କୁ କାମରେ ସ୍ୱାଧୀନତା ଦେଇଛି ଏବଂ ଘର ପାଖରେ ରହି ମା’ଙ୍କ ଯତ୍ନ ନେବାର ସୁଯୋଗ ମଧ୍ୟ ମିଳୁଛି।

ସବୁଠାରୁ ଚର୍ଚ୍ଚାର ବିଷୟ ହେଉଛି ତାଙ୍କ ରୋଜଗାର। ଯୁବତୀଙ୍କ ଦାବି ଅନୁସାରେ, ଏବେ ସେ ଆଇଟି ଚାକିରି ତୁଳନାରେ ଅଧିକ ଟଙ୍କା ରୋଜଗାର କରୁଛନ୍ତି। ସେ ଶିକ୍ଷିତ ହୋଇଥିବାରୁ ଅନେକ ଯାତ୍ରୀ ତାଙ୍କୁ ଫଟାଫଟ ଇଂରାଜୀ କହୁଥିବା ଦେଖି ଆଶ୍ଚର୍ଯ୍ୟ ମଧ୍ୟ ହେଉଛନ୍ତି। ଡିଜିଟାଲ କଣ୍ଟେଣ୍ଟ କ୍ରିଏଟର ତନ୍ୱୀଙ୍କ ସହ ତାଙ୍କ କଥାବାର୍ତ୍ତାର ଏକ ଭିଡିଓ ଇନଷ୍ଟାଗ୍ରାମରେ ସେୟାର ହେବା ପରେ ଏହି କାହାଣୀ ସାମ୍ନାକୁ ଆସିଥିଲା। ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଯୁବତୀ କହିଛନ୍ତି, ସମାଜ କ’ଣ କହିବ ତାହାକୁ ଅପେକ୍ଷା ନକରି ସେ ନିଜ ଜୀବନର ନିଷ୍ପତ୍ତି ନିଜେ ନେଇଛନ୍ତି।

ସେ ନିଜକୁ ପରିବାରର ଏକମାତ୍ର ଝିଅ ବୋଲି କହିବା ସହ ସାଧାରଣତଃ ପୁରୁଷଙ୍କ ସହ ଯୋଡ଼ାଯାଉଥିବା ଅଟୋ ଚାଳନା ଭଳି ପେଶାକୁ ବାଛିଛନ୍ତି। ତାଙ୍କ ମତରେ, ସାହସ ମାନେ ସବୁବେଳେ ବଡ଼ କିଛି କରିବା ନୁହେଁ, ବେଳେବେଳେ ନିଜ ପସନ୍ଦକୁ ନିଜେ ବାଛିବାର ସାହସ ହିଁ ଯଥେଷ୍ଟ। ଯାହା ଅନେକ ମହିଳାଙ୍କ ପାଇଁ ଆଜି ପାଲଟିଛି ବଡ ପ୍ରେରଣା ।

Leave A Reply

Your email address will not be published.