Latest Odisha News

BREAKING NEWS

ଅକ୍ଟୋବର ୮ରେ ଓଡ଼ିଶା ବନ୍ଦ ଡାକରା ଦେଲା ‘ଇଣ୍ଡିଆ’ ମେଣ୍ଟ

ଭୁବନେଶ୍ୱର: ରାଜ୍ୟରେ ଶାସକ ବିଜେପି ସରକାର ବିରୋଧରେ ବଡ଼ ଧରଣର ଆନ୍ଦୋଳନ ଲାଗି ଅଣ୍ଟା ଭିଡ଼ିଛି କଂଗ୍ରେସ ଓ ବିରୋଧୀ ‘ଇଣ୍ଡିଆ’ ମେଣ୍ଟ । ଆସନ୍ତା ଅକ୍ଟୋବର ୮ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏନେଇ ଘୋଷଣା କଲେ ପିସିସି ସଭାପତି ଭକ୍ତ ଚରଣ ଦାସ। ଓଡ଼ିଶା ବନ୍ଦରେ ସାମିଲ୍‌ ହେବାକୁ ଇଣ୍ଡି ମେଣ୍ଟର ସଦସ୍ୟଙ୍କୁ ସେ ଅପିଲ୍ କରିଛନ୍ତି। କେନ୍ଦ୍ର ସରକାରଙ୍କ ବିବାଦୀୟ MMDR ଆଇନ ସଂଶୋଧନ, ସ୍କୁଲ ପାଠ୍ୟପୁସ୍ତକରେ ବହିତ୍ରୁଟି ଏବଂ ମୁଖ୍ୟ ନିର୍ବାଚନ କମିସନରଙ୍କ ଇସ୍ତଫା ଦାବିରେ ଏହି ବନ୍ଦ ପାଳନ କରାଯିବ ବୋଲି ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି କହିଛନ୍ତି ଯେ, ରାଜ୍ୟର ଖଣି ସମ୍ପଦର ସୁରକ୍ଷା ଓ ଓଡ଼ିଶାବାସୀଙ୍କ ସ୍ୱାର୍ଥରକ୍ଷା ପାଇଁ କଂଗ୍ରେସ କୌଣସି ପ୍ରକାର ବୁଝାମଣା କରିବ ନାହିଁ । MMDR ସଂଶୋଧନ ଆଇନ ରାଜ୍ୟ ଅର୍ଥନୀତି ଉପରେ କୁଠାରଘାତ କରିବ । ସେହିପରି ବିଦ୍ୟାଳୟ ପାଠ୍ୟପୁସ୍ତକରେ ଦେଖାଦେଇଥିବା ସାଂଘାତିକ ତ୍ରୁଟି ପିଲାମାନଙ୍କ ଭବିଷ୍ୟତ ସହ ଖେଳ ଖେଳୁଛି । ଏଥିସହ ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇ ମୁଖ୍ୟ ନିର୍ବାଚନ କମିସନର ନୈତିକତା ଦୃଷ୍ଟିରୁ ତୁରନ୍ତ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି ।

ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ଏହି ବନ୍ଦ ଡାକରାକୁ ସଫଳ କରିବାକୁ ପିସିସି ସଭାପତି ଆହ୍ୱାନ ଦେଇଛନ୍ତି। ଏହି ବନ୍ଦ ପାଳନ ସମୟରେ ଜରୁରୀକାଳୀନ ସେବା ବ୍ୟତୀତ ବାକି ସମସ୍ତ ଯାନବାହାନ ଚଳାଚଳ, ଦୋକାନ ବଜାର ଏବଂ ସରକାରୀ-ବେସରକାରୀ କାର୍ଯ୍ୟାଳୟକୁ ବନ୍ଦ ରଖିବାକୁ ‘ଇଣ୍ଡିଆ’ ବ୍ଲକ୍ ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯାଉଛି । ବିଜେଡି ପରେ ଏବେ କଂଗ୍ରେସ ମଧ୍ୟ MMDR ପ୍ରସଙ୍ଗରେ ରାଜରାସ୍ତାକୁ ଓହ୍ଲାଉଥିବାରୁ ଆଗାମୀ ଦିନରେ ରାଜ୍ୟ ରାଜନୀତି ଆହୁରି ସରଗରମ ହେବା ନିଶ୍ଚିତ ।

Leave A Reply

Your email address will not be published.