Latest Odisha News

ଏପ୍ରିଲ ୩ରୁ ବ୍ରହ୍ମପୁରର ମାଆ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା, ସ୍ଥାପନ ହେଲା ଶୁଭଖୁଣ୍ଟି

ବ୍ରହ୍ମପୁର: ଏପ୍ରିଲ ୩ରୁ ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା । ଏପ୍ରିଲ ୩ରୁ ୨୮ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୨୬ ଦିନ ଧରି ଚାଲିବ ଏହି ଯାତ୍ରା । ଗତକାଲି ରାତି ୨ଟା ୩୦ରେ ମା’ଙ୍କ ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ ହୋଇଥିଲା । ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢୀ ସାଆନ୍ତାଣି ଠାକୁରାଣୀଙ୍କ ଯାତ୍ରା ପୂର୍ବରୁ ପବିତ୍ର ମହାଶିବରାତ୍ରି ପରେ ମା’ ଙ୍କ ବାପଘର କୁହାଯାଉଥିବା ଦେଶୀବେହେରାଙ୍କ ପକ୍ଷରୁ ଶୁଭଖୁଣ୍ଟି ସ୍ଥାପନ ପାଇଁ ଶୁଭ ଦିନ ସ୍ଥିର କରାଯାଇଥାଏ ।

ପ୍ରତି ଦୁଇ ବର୍ଷକୁ ଥରେ ଆୟୋଜିତ ହୋଇଥାଏ ମା’ ବୁଢୀ ଠାକୁରାଣୀ ଯାତ୍ରା । ଚଳିତବର୍ଷ ଆୟୋଜିତ ହେବାକୁ ଥିବା ବେଳେ ଏହାକୁ ସହରବାସୀ ଅପେକ୍ଷା କରିଛନ୍ତି । ବୁଢୀ ଠାକୁରାଣୀ ଯାତ୍ରା ନିମନ୍ତେ ବୁଧବାର ଯାତ୍ରାର ଶୁଭଖୁଣ୍ଟି ପାଇଁ ଦୁଇଟି ତାରିଖ ଘୋଷଣା କରାଯାଇଛି । ଯାତ୍ରାର ପରମ୍ପରା ଅନୁଯାୟୀ ପ୍ରଥମେ ମା’ ବୁଢୀ ଠାକୁରାଣୀ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ ପରେ ହିଁ ସମସ୍ତ କାର୍ଯ୍ୟ ଆରମ୍ଭ ହୋଇଥାଏ ।

ସୂଚନାନୁଯାୟୀ, ବ୍ରହ୍ମପୁରର ଏହି ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ଏକ ମାସରୁ ଅଧିକ ସମୟ ଧରି ଆୟୋଜିତ ହୋଇଥାଏ । ମା’ ନିଜ ମୁଖ୍ୟ ମନ୍ଦିରରୁ ବାହାରି ଦେଶୀବେହେରା ସାହି ସ୍ଥିତ ନିଜ ବାପ ଘରକୁ ଆସିବା ପରେ ଯାତ୍ରା ଆରମ୍ଭ ହୋଇଥାଏ । ପରମ୍ପରା ଓ ରୀତିନୀତି ଅନୁଯାୟୀ ସହିତ ଯାତ୍ରା ହୋଇଥାଏ। ମା’ଙ୍କ ଘଟ ପରିକ୍ରମା ସହିତ ମାନସିକ ବେଶଧାରୀ, କଳାକୁଞ୍ଜ ଏବଂ ବିଭିନ୍ନ ସାହିର ରଥ ଯାତ୍ରାର ମୁଖ୍ୟ ଆକର୍ଷଣ ପାଲଟିଥାଏ । ମା’ଙ୍କ ଯାତ୍ରାର ଦିନ ଯେତେ ପାଖେଇ ଆସୁଛି ତାହାକୁ ନେଇ ଭକ୍ତଙ୍କ ମଧ୍ୟରେ ସେତିକି ଉତ୍ସାହ ଦେଖିବାକୁ ମିଳୁଛି ।

 

Comments are closed.