ପାରାଦୀପ: କିଛିଦିନ ପୂର୍ବରୁ ଢିଙ୍କିଆ ଗ୍ରାମରେ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ପରେ ପ୍ରଶାସନ ପକ୍ଷରୁ ଦୁଇଦିନ ପାଇଁ ପାନବରଜ ଭାଙ୍ଗିବା କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା । ଆଜି ପୁଣି ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହୋଇଛି । ସ୍ଥାନୀୟ ତହସିଲଦାରଙ୍କ ନେତୃତ୍ୱରେ ପାନବରଜ ମାପଚୁପ ଓ ଭଙ୍ଗା କାର୍ଯ୍ୟ ଜାରି ରହିଛି । ଇଡ୍କୋ ପକ୍ଷରୁ ପାଚେରୀ ନିର୍ମାଣ କାର୍ଯ୍ୟ ମଧ୍ୟ ଜାରି ରହିଛି ।
ଗତକାଲି ରାତିରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଖିଳେଶ୍ୱର ସିଂ ଢିଙ୍କିଆ ପଞ୍ଚାୟତକୁ ଆସି ଲୋକଙ୍କ ସହିତ ଆଲୋଚନା କରି ‘ପୋଲିସକୁ ନଡ଼ରି ସ୍ୱଭାବିକ ଜୀବନ ଯାପନ କର’ ବୋଲି ଅନୁରୋଧ କରିଥିଲେ ।

ସେ ଆହୁରି ମଧ୍ୟ କହିଥିଲେ ଲୋକଙ୍କ ସହଯୋଗ ଓ ସହମତିରେ ପାନ ବରଜ ଭଙ୍ଗା ଯାଇଛି । ଯାହାର ଅଭିଯୋଗ ଅଛି ସିଧାସଳଖ ପ୍ରଶାସନ ସହିତ ଆଲୋଚନା କର ।
ଆଜି ସୁଦ୍ଧା ଢିଙ୍କିଆ ପଞ୍ଚାୟତରେ ୩୦୪ ଟି ପାନବରଜ ଭଙ୍ଗାଯାଇଥିବା ବେଳେ ୨୨୫ ଜଣ କ୍ଷତିଗ୍ରସ୍ତ ପାନବରଜୀଙ୍କୁ ୫ କୋଟି ୬୬ ଲକ୍ଷ ହଜାରରୁ ଉର୍ଦ୍ଧ୍ଵ କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି । ଆଜି ମାହାଳ ପାଟଣା ଗାଁରେ ୪୫ ରୁ ଉର୍ଦ୍ଧ ପାନବରଜ ମାପଚୁପ କରାଯାଇଛି।

ଗତକାଲି ଠାରୁ ଲୋକଙ୍କ ମଧ୍ୟରେ ପାନବରଜ ମାପଚୁପ ଓ ଭଙ୍ଗା ନେଇ ସହଯୋଗ ଦେଖିବାକୁ ମିଳିଛି। ଯେଉଁମାନଙ୍କର ବରଜ ମାପ କି କ୍ଷତିପୂରଣ ବାବଦକୁ ଆର୍ଥିକ ସହାୟତା ସମସ୍ୟା ସମ୍ପର୍କରେ ସିଧାସଳଖ ତହସିଲଦାରଙ୍କ ସହିତ ଆଲୋଚନା କରୁଛନ୍ତି। ଏଥି ସହିତ ସ୍ଥାନୀୟ ମାଳାଳ, ଗୋବିନ୍ଦପୁର, ପାଟଣ ଲୋକଙ୍କ ବିଭିନ୍ନ ପ୍ରସଙ୍ଗ ନେଇ ଲୋକମାନେ କମ୍ପାନୀର ବରିଷ୍ଠ ଅଧିକାରୀମାନଙ୍କ ସହିତ ଆଲୋଚନା ମଧ୍ୟ କରୁଛନ୍ତି।
Comments are closed.