Latest Odisha News

BREAKING NEWS

Nuapada Election: ନୂଆପଡାରେ ଭୟଙ୍କର ଭୋଟ ଚୋରୀ ହୋଇଛି: ଭକ୍ତ

ଭୁବନେଶ୍ୱର: ଏକ ପ୍ରେସବାର୍ତ୍ତା ମାଧ୍ୟମରେ ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଗମ୍ଭୀର ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ବର୍ତ୍ତମାନ ଭୟଙ୍କର ଭାବେ ଭୋଟ ଚୋରୀ ଆରମ୍ଭ ହୋଇଯାଇଛି । ପୋଲିସ ବଳର ସମ୍ପୂର୍ଣ୍ଣ ଅପ ପ୍ରୟୋଗ କରାଯାଇଛି । କୋମନାର ଜିତମିତ୍ର ହାଇସ୍କୁଲ ବୁଥରେ ଜଣେ ମହିଳାଙ୍କ ଭୋଟ ଅନ୍ୟ କିଏ ଦେଇଛି ତେଣୁ ଭୋଟ ପରିଚାଳନା ଅଧିକାରୀ ତାଙ୍କୁ ଭୋଟ ଦେବାକୁ ବାରଣ କଲେ । ସୁନାବେଢା ଜଙ୍ଗଲ ମଧ୍ୟରେ ଥିବା ଏକ ବୁଥକୁ ପୋଲିସ ଛାଉଣୀ ଘେରିକି ରଖିଛି ବିଜେପି ।

ଝଣ୍ଡା ଲଗାଯାଇ ଲୋକଙ୍କୁ ବୁହା ଯାଉଥିଲା ତାକୁ କଂଗ୍ରେସ ଏଜେଣ୍ଟ ବାରଣ କରିବାରୁ ପୋଲିସ ଆମେ ଯାହା କରୁଛୁ ଚୁପଚାପ ଦେଖ କିଛି ପ୍ରତିବାଦ କରନାହିଁ ବୋଲି ଧମକ ଦେଇଥିବା ଖବର ଆସିଛି । ସମସ୍ତ ଆଭ୍ୟନ୍ତରୀଣ ଅଞ୍ଚଳରେ ଗୋଟିଏ ପ୍ଲାନିଂ ଅନ୍ତର୍ଗତ ପୋଲିସ ସେଠାରେ ଭୋଟିଙ୍ଗ କରୁଛି । ଖଡ଼ିଆଳର ଗୋଟିଏ ସ୍ଥାନରେ ବୁଥ ପରିସର ମଧ୍ୟରେ ନରେନ୍ଦ୍ର ମୋଦୀ, ମୋହନ ମାଝି ଏବଂ ଢୋଲକିଆଙ୍କ ଫଟୋ ଲଗା ଚିରକୁଟ ବଣ୍ଟନ କରା ଯାଉଥିଲା । ଭାଲୁକନା ଗ୍ରାମ ୨୫୯ ନମ୍ବର ବୁଥରେ ଜଣେ ଇଭିଏମରେ ହାତ ଚି଼ହ୍ନରେ ଟିପୁଥିବା ବେଳେ ବିଜେପି ଚି଼ହ୍ନରେ ଲାଇଟ ଜଳୁଛି ।

ଡ଼ୁମେରବାହାଲ ଗ୍ରାମ ବୁଥ ନମ୍ବର ୩୩୯ ରେ କଂଗ୍ରେସର ସ୍ଥାନୀୟ ନେତା ପାସା ମହାନନ୍ଦଙ୍କ ସ୍ତ୍ରୀ ଭୋଟ ଦେଇ ଗଲାବେଳକୁ ଦେଖିଲେ ଖଡ଼ିଆଳ ଅଞ୍ଚଳର ଜଣେ ବିଜେପି ନେତା ସେଠାରେ ଟଙ୍କା ବଣ୍ଟନ କରୁଥିଲେ । ଏ ବିଷୟରେ ଶ୍ରୀ ମହାନନ୍ଦ ସମ୍ପୃକ୍ତ ବିଜେପି ନେତାଙ୍କୁ ବିରୋଧ କରିବାରୁ ସେ ଓଲଟା ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ସରକାରୀ ଦଳ ସମସ୍ତ ସରକାରୀ କଳର ଅପବ୍ୟବହାର କରୁଛନ୍ତି । ଶୁଣାଯାଉଛି, ଗୋଟିଏ ଟ୍ରକରେ ୧୦୦ ଗୋଟି ଇଭିଏମ ଆସିଛି ତାକୁ ବ୍ୟବହାର କରାଯାଇ ଭୋଟ ଚୋରୀ କରାଯିବ । ସରକାରୀ ଦଳ ଜିତିବା ପାଇଁ ସମସ୍ତ ପ୍ରକାର ଅନୈତିକ ବ୍ୟବସ୍ଥା କରିଛି ତେଣୁ ସେମାନେ କେତେ ସଂଖ୍ୟାରେ ନିର୍ବାଚନ ଜିତିବେ ଆଗୁଆ କହୁଛନ୍ତି ।

ଏସବୁ ବିଷୟ ପ୍ରତି ପ୍ରଶାସନ କିମ୍ବା ନିର୍ବାଚନ ଅଧିକାରୀଙ୍କ ଧ୍ୟାନ ନାହିଁ । ରାଜ୍ୟ ନିର୍ବାଚନ ଅଧିକାରୀ ଏସବୁ ବିଷୟକୁ ଗମ୍ଭୀରତାର ସହ ନେଇ ପ୍ରତିକାର କରନ୍ତୁ ନହେଲେ କଂଗ୍ରେସ ଆଗାମୀ ଦିନରେ ଆନ୍ଦୋଳନ କରିବ ବୋଲି ଶ୍ରୀ ଦାସ ଚେତାବନୀ ଦେଇଛନ୍ତି ।

 

Comments are closed.