Latest Odisha News

BREAKING NEWS

ଭାଷା ଭାଗବତ : ଈଶ୍ବରାନୁଭୂତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ

ବୁଝିଲେ ‘ଈଶ୍ବର’ର ଅର୍ଥ
ଜ୍ଞାନ ହୋଇପାରେନି ବ୍ୟର୍ଥ
ଈଶ୍ବରମୟ ଏହି ବିଶ୍ବ
ନୁହେ, ନ ଥିଲା କେବେ ନିଃସ୍ବ

ଲୋକଂକୁ ଈଶ୍ବରାନୁଭୂତି
ଦେଲେ ହେଁ ସମଗ୍ର ପ୍ରକୃତି
ତାଂକୁ ମଣିଲେ ବସ୍ତୁ, ବ୍ଯକ୍ତି
ଘଟଇ ସୁଜ୍ଞାନର କ୍ଷତି

ଈଶ୍ବର ଯେଣୁ ପୂର୍ଣ ସ୍ଥିତି
ସେ ସ୍ଥିତି ପ୍ରତି ଅନୁରକ୍ତି
ନ ହେଲେ କେବେ ବି ସମାପ୍ତ
ମନୁଷ୍ୟ ହୋଇପାରେ ଭକ୍ତ

ଈଶ୍ବର ଦର୍ଶନ ଲାଳସା
ବର୍ଜନ କଲେ ଜାଗେ ଆଶା
ମଣିଷ ଯେଣୁ ଜଣେ ସୃଷ୍ଟି
ତାହାକୁ ଲୋଡ଼ା ଅଂତର୍ଦୃଷ୍ଟି

ଯାହା ବି ଅଟେ ସର୍ବବ୍ୟାପୀ
ତାହାକୁ ନ ବୁଝି ଅଦ୍ୟାପି
ଗଗନେ ଖୋଜୁଁ ଯଦି ସ୍ବର୍ଗ
ମିଳେନି ଯିବା ପାଇଁ ମାର୍ଗ

ଆଂକି ଛବି ଓ ଗଢ଼ି ମୂର୍ତି
ଶିଳ୍ପୀଏ ଯାହା ବି କରଂତି
ତାହା ତ କେବଳ ପ୍ରତୀକ
ବୁଝଂତିନାହିଁ ବହୁ ଲୋକ

ନିଜ ସୀମାରେ ବଂଦୀ ହୋଇ
ମଣିଷ ବୁଝିପାରେନାହିଁ
ଈଶ୍ବରମୟ ଏ ସଂସାର
ଅଲୋଡ଼ା ସମସ୍ତ ମଂଦିର

ଯେଉଁଠି ଥାଇ ସୁଦ୍ଧା ଲୋକ
ଦେଖିଲେ ନିର୍ମଳ ଆଲୋକ
କରିପାରଇ ଅନୁଭବ
ଈଶ୍ବର ସର୍ବତ୍ର ସଂଭବ

ଭାଷାରେ ନାହିଁ ଏତେ ଶକ୍ତି
ଭକ୍ତି ଅଥବା ଅନୁରକ୍ତି
କରିବ ସ୍ବଚ୍ଛଂଦେ ପ୍ରକାଶ
ଏହି ସଂସାରେ କରି ବାସ

ଯିଏ ମୋହର ଅଂତର୍ଗତ
ସେ ତ ବିଶ୍ବାସ-ବହିର୍ଭୂତ
ପାଇ ମୁଁ ଈଶ୍ବରାନୁଭୂତି
ତିଷ୍ଠାଇ ପାରିଛିଁ ମୋ ସ୍ଥିତି

ପାଇଲେ ଈଶ୍ବରାନୁଭୂତି
ଧର୍ମୀୟ ଭାବ, ନୀତି, ରୀତି
ଜୀବଂତ ପ୍ରକୃତି ସହିତ
ଜଡ଼ିତ ହୋଇଥାଂତି ସ୍ବତଃ

ଦିବ୍ୟତା ରହିଅଛି ପୂରି
ପ୍ରତିଟି କୋଷରେ ସବୁରି
ଏହାକୁ କଲେ ଅନୁଭବ
ଈଶ୍ବର ସର୍ବତ୍ର ସଂଭବ

ଲକ୍ଷ୍ୟ ଏକ, ଅନେକ ପଥ
ଯୋଗୁଁ ମନୁଷ୍ୟ ବିଚଳିତ
ହୋଇଣ କରଇ ସଂଧାନ
ହରାଇ ନିଜ ବୁଦ୍ଧି, ଜ୍ଞାନ

ଈଶ୍ବର ଯେଣୁ ଅଂତର୍ଗତ
ସବୁ ସଂଧାନ ହୁଏ ବ୍ୟର୍ଥ
ଭାଷାରେ ମିଳେନାହିଁ ଶବ୍ଦ
ସତ୍ୟକୁ କରିବ ଆବଦ୍ଧ

ସତ୍ୟ ଯେହେତୁ ସର୍ବବ୍ୟାପୀ
ବିଲୁପ୍ତ ହୁଏନି କଦାପି
ଅଥଚ ରହିଲେ ଅବ୍ୟକ୍ତ
ହୋଇଯାଏନି ଆପେ ଲୁପ୍ତ

Leave A Reply

Your email address will not be published.