Latest Odisha News

BREAKING NEWS

ବିଜେଡ଼ି ଓ ବିଜେପିର ଓଡ଼ିଶା ବିରୋଧି ନୀତି, କିଛି ନେତାମାନଙ୍କ ମଧୁଚନ୍ଦ୍ରିକା ଯୋଗୁଁ ବିକାଶ ବାଟବଣା

ଭୁବନେଶ୍ୱର: ରାଜ୍ୟରେ ବିଜେଡି ଓ ବିଜେପି ନେତାମାନଙ୍କ ମଧୁଚନ୍ଦ୍ରିକା ଯୋଗୁଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଜନସାଧାରଣ ଦୀର୍ଘ ଦଶନ୍ଧି ଧରି ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି । ଲୋକଙ୍କର କୌଣସି ଉନ୍ନତିମୂଳକ କାର୍ଯ୍ୟ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସଂପନ୍ନ ହୋଇପାରୁନାହିଁ । ଏ ସନ୍ଧର୍ଭରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ଜଗଦାନନ୍ଦ ପ୍ରଧାନ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଅପାରଗତା ଓ ସ୍ଥାଣୁତାକୁ କଟୁ ସମାଲୋଚନା କରିଥିଲେ ।

ସେ କହିଥିଲେ ଯେ କେନ୍ଦ୍ର ସରକାର ଓ ଓଡ଼ିଶାର ତଥାକଥିତ ଟାଣୁଆ କେନ୍ଦ୍ର ମନ୍ତ୍ରୀଙ୍କ ନିଜସ୍ୱ ଜିଲ୍ଲା ଦେଇ ଯାଇଥିବା ଏନ୍‌ଏଚ୍‌-୫୫ର ନିର୍ମାଣ କାର୍ଯ୍ୟର ମନ୍ଥର ଗତିକୁ ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ଜଣାପଡ଼େ । କଟକ ଓ ସମ୍ବଲପୁର ଜାତୀୟ ରାଜପଥ ହେଊଛି ପୂର୍ବ ଓ ପଶ୍ଚିମ ଓଡିଶା ମଧ୍ୟରେ ଏକ ସଂଯୋଗ ରାଜମାର୍ଗ। ଏହାର ନିର୍ମାଣ କାର୍ଯ୍ୟ ୨୦୧୮ ମସିହାରେ ଆରମ୍ଭ ହୋଇ ଏପର୍ଯ୍ୟନ୍ତ ଶେଷ ହୋଇପାରୁନାହିଁ । ଫଳରେ ଏହି ରାସ୍ତାରେ ଶହଶହ ସଂଖ୍ୟାରେ ଲୋକ ମୃତ୍ୟୁବରଣ କରୁଛନ୍ତି। ଦେଶର ଅନ୍ୟାନ୍ୟ ଅଂଚଳରେ ରାଷ୍ଟ୍ରୀୟ ରାଜମାର୍ଗଗୁଡିକର ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଶେଷ ହୋଇଯାଯାଉଥିବା ବେଳେ କଟକରୁ ସଂଯୋଗ କରୁଥିବା ସମ୍ବଲପୁର ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ ତିନି ବର୍ଷ ପରିବର୍ତ୍ତେ ଆଜିକି ଛଅ ବର୍ଷ ହେଲାଣି ଶେଷ ହୋଇପାରୁ ନାହିଁ। ଏଥିପାଇଁ କେନ୍ଦ୍ରରେ ଥିବା ବିଜେପି ସରକାର ଓ ରାଜ୍ୟରେ ବିଜେଡି ସରକାର ସଂପୂର୍ଣ୍ଣ ରୂପେ ଦାୟୀ।
ଲୋକଙ୍କ ଜୀବନ ସହ ଖେଳ ଖେଳୁଥିବା ଏହି ଦୁଇ ଦଳକୁ ଜନସାଧାରଣ ଆଗାମୀ ନିର୍ବାଚନରେ ନିଶ୍ଚୟ ଜବାବ ଦେବେ।

ରାଜ୍ୟରେ ବିଜେଡି ଓ କେନ୍ଦ୍ରରେ ବିଜେପି ସରକାର ଓଡିଶାର ଜନସାଧାରଣଙ୍କ ପାଇଁ କିଛି ନକରି ଖାଲି ବାହାସ୍ପୋଟ ମାରି ଚାଲିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ରେଙ୍ଗାଳି ହୀରାକୁଦ ଭଳି ବିଭିନ୍ନ ବାସଚ୍ୟୁତ ଲୋକ ନ୍ୟାୟ ପାଇବାରୁ ଏବେ ବି ବଂଚିତ।। ସେହିଭଳି ୫୦ ବର୍ଷ ବିତିଯାଇଥିଲେ ସୁଧା ଏବେ ବି ରେଙ୍ଗାଳି ବିସ୍ଥାପିତ ପରିବାର ସେମାନଙ୍କ ନାର୍ଯ୍ୟ ଦାବିରୁ ବଂଚିତ ହୋଇଛନ୍ତି। ରେଙ୍ଗାଲି ବୁଡି ଅଂଚଳବାସୀଙ୍କୁ ବିଜେଡି ସରକାର ଓ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଠକିଛନ୍ତି ଯେ, ରେଙ୍ଗାଳି ଜଳ ଭଣ୍ଡାର ଯୋଗୁଁ ୨୦୦ରୁ ଊର୍ଦ୍ଧ ଗ୍ରାମର ପ୍ରାୟ ୧୩ହଜାର ପରିବାର ନିଜର ଭିଟାମାଟି ହରାଇ ଆଜି ସର୍ବସ୍ୱାନ୍ତ ହୋଇପଡିଛନ୍ତି। ବୁଡି ଅଂଚଳର ପ୍ରତ୍ୟେକ ପରିବାର ପିଛା ୨୦୧୧ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ଦ୍ଧିତ ହାରର ୫୦ ହଜାର ଟଙ୍କା କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ଆଜି ସୁଧା ସମସ୍ତ ବୁଡି ଅଂଚଳବାସୀ ଏହି ଅର୍ଥକୁ ପାଇପାରି ନାହାଁନ୍ତି।

କେନ୍ଦ୍ରରେ ଧର୍ମେନ୍ଦ୍ର ପ୍ରଧାନ ଏତେ ପାୱାରଫୁଲ ମନ୍ତ୍ରୀ ଯେ ଓଡିଶା ପାଇଁ କଣ ନିଜ ଜିଲ୍ଲା ପାଇଁ ମଧ୍ୟ କିଛି କରିପାରିଲେ ନାହିଁ । ନିଜ ଜିଲ୍ଲାରେ ଏକ ସ୍କିଲ ଡେଭଲପମେଣ୍ଟ ସେଣ୍ଟରଟିଏ ମଧ୍ୟ ସ୍ଥାପନ କରି ପାରି ନାହାଁନ୍ତି। ଅନୁଗୁଳ ଜିଲ୍ଲା ଊଭୟ କେନ୍ଦ୍ର ଓ ରାଜ୍ୟକୁ ରାଜସ୍ୱ ବାବଦକୁ ବାର୍ଷିକ ପ୍ରାୟ ୮ହଜାରରୁ ୧୦ହଜାର କୋଟି ଟଙ୍କା ଦେଉଥିବା ବେଳେ ଏହାର ଉନ୍ନତ୍ତି ପାଇଁ ବିଜେଡ଼ି ଓ ବିଜେପି ସରକାର ଆଦୌ ନଜର ଦେଇ ନାହାଁନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି।

 

Leave A Reply

Your email address will not be published.