ଭୁବନେଶ୍ୱର : ଓଡ଼ିଆ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନଠାରେ ପେନ୍ ଇନ୍ ବୁକ୍ସ ଦ୍ବାରା ପ୍ରକାଶିତ “ଭୁବନେଶ୍ବର@୭୫ : ପରସ୍ପେକ୍ଟିଭ୍ସ” ଉନ୍ମୋଚିତ ହୋଇଯାଇଛି । ଏହି ପୁସ୍ତକଟି ଭୁବନେଶ୍ବର ସହର ଉପରେ ଇଂରାଜୀରେ ପ୍ରକାଶିତ ପ୍ରଥମ ଗବେଷଣାତ୍ମକ ପୁସ୍ତକ । କଥାଶିଳ୍ପୀ ତଥା ପେନ୍ ଇନ୍ ବୁକ୍ସର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡାଙ୍କ ସ୍ୱାଗତ ଭାଷଣରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଭୁବନେଶ୍ବର ମେୟର ସୁଲୋଚନା ଦାସ, କୈଳାଶ ଚନ୍ଦ୍ର ଦାଶ, ଲେଖକ ଯତୀନ୍ଦ୍ର କୁମାର ନାୟକ, ଲେଖକ ତଥା ସାମ୍ବାଦିକ ଭାସ୍କର ପରିଚ୍ଛା, ଏଫ୍ଆଇଡିଆର୍ର ଅଧ୍ୟକ୍ଷ ଚାରୁଦତ୍ତ ପାଣିଗ୍ରାହୀ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ ।
ବିଗତ କିଛି ବର୍ଷ ଭୁବନେଶ୍ବର ସହରର ଦ୍ରୁତ ବିକାଶ ଘଟିଛି। ତେବେ ସହରର ଉନ୍ନତିରେ ସରକାରଙ୍କର ଯେତିକି ଦାୟିତ୍ବ, ନାଗରିକଙ୍କର ଦାୟିତ୍ବ ମଧ୍ୟ ସେତିକି ରହିଛି । ଏହା ସହ ଭୁବନେଶ୍ବର ଉପରେ ଅଧିକ ଗବେଷଣା ମାଧ୍ୟମରେ ସମ୍ପର୍କିତ ସମସ୍ତ ତଥ୍ୟ, ନଥି ଓ ବହିକୁ ସାଇତିବା ପାଇଁ ମହାନଗର ନିଗମ ତରଫରୁ ଏକ ଅଭିଲେଖାଗାର ପ୍ରତିଷ୍ଠା ହେବା ଉଚିତ ବୋଲି ବୋଲି ଅତିଥିମାନେ ତାଙ୍କ ଅଭିଭାଷଣରେ କହିଥିଲେ । ଭୁବନେଶ୍ବରର ଅତୀତ, ବର୍ତମାନ ଓ ଭବିଷ୍ୟତ ନେଇ ଏ ପୁସ୍ତକରେ ୨୬ଟି ଗବେଷଣାତ୍ମକ ନିବନ୍ଧ ରହିଛି। ସହର ଉପରେ ଗବେଷଣା ପାଇଁ ଏ ପୁସ୍ତକ ସହାୟକ ହେବ ବୋଲି ପୁସ୍ତକ ସମ୍ପାଦକ ଶ୍ରୀ ପରିଚ୍ଛା ମତବ୍ୟକ୍ତ କରିଥିଲେ।
କବି ତଥା ଶିକ୍ଷାବିତ ମୃତ୍ୟୁଞ୍ଜୟ ରଥ ମଞ୍ଚ ପରିଚାଳନାରେ ଅନୁଷ୍ଠିତ ଏହି ସାରସ୍ୱତ କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି, ଲେଖକ ତଥା ବୁଦ୍ଧିଜୀବୀ ଯୋଗଦେଇଥିଲେ ।