ଭୁବନେଶ୍ୱର: ଓଡ଼ିଶା ରାଜନୀତି ବିଶେଷ କରି ବିଜୁ ଜନତା ଦଳ (ବିଜେଡି) ଭିତରେ ଏବେ ଏକ ବଡ଼ଧରଣର ଅସନ୍ତୋଷର ନିଆଁ କୁହୁଳୁଥିବା ସ୍ପଷ୍ଟ ହୋଇଛି। ପୂର୍ବତନ ଆଇଏଏସ୍ ଅଧିକାରୀ ସୁଜାତା କାର୍ତିକେୟନ (ସୁଜାତା ରାଉତ) ଶଙ୍ଖ ଭବନରେ ବିଧିବଦ୍ଧ ଭାବେ ଦଳରେ ଯୋଗ ଦେବା ଦିନ ଯେଉଁ ବରିଷ୍ଠ ନେତାମାନେ ଅନୁପସ୍ଥିତ ଥିଲେ, ସେମାନଙ୍କ ମଧ୍ୟରୁ ଦୁଇ ପ୍ରମୁଖ ଚେହେରା ହେଉଛନ୍ତି ପ୍ରସନ୍ନ ଆଚାର୍ଯ୍ୟ ଏବଂ ଭୂପିନ୍ଦର ସିଂ। ଏହି ମିଶ୍ରଣ ପର୍ବର ଠିକ୍ ପରେ ପରେ ଭୂପିନ୍ଦର ସିଂ ହଠାତ୍ ପ୍ରସନ୍ନ ଆଚାର୍ଯ୍ୟଙ୍କ ବାସଭବନରେ ପହଞ୍ଚି ବନ୍ଦ କୋଠରୀ ମଧ୍ୟରେ ଦୀର୍ଘ ସମୟ ଆଲୋଚନା କରିବା ଘଟଣା ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ପାରଦକୁ ସ୍ମାର୍ଟ ସିଟିର ତାପମାତ୍ରା ଠାରୁ ଅଧିକ ଗରମ କରିଦେଇଛି।
ସୂଚନାଯୋଗ୍ୟ ଯେ, ଭି.କେ. ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତିକେୟନଙ୍କ ବିଜେଡି ଏଣ୍ଟ୍ରିକୁ ନେଇ ଦଳର ପୁରୁଖା ନେତାଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ରହିଥିବା ଚର୍ଚ୍ଚା ହେଉଥିଲା। ଗତ ନିର୍ବାଚନରେ ବିଜେଡିର ମହା ବିପର୍ଯ୍ୟୟ ପାଇଁ କିଛି ଗୋଷ୍ଠୀ ଭିକେ ପାଣ୍ଡିଆନଙ୍କୁ ଦାୟୀ କରୁଥିବା ବେଳେ, ପୁଣି ଥରେ ତାଙ୍କ ପତ୍ନୀଙ୍କୁ ଦଳର ପଛପଟୁ ନେତୃତ୍ୱ ନେବାକୁ ସୁଯୋଗ ଦିଆଯାଉଥିବାରୁ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପୁରୁଖା ନେତା। ସୁଜାତାଙ୍କ ଯୋଗଦାନ ଉତ୍ସବରେ ପ୍ରସନ୍ନ ଆଚାର୍ଯ୍ୟ, ଭୂପିନ୍ଦର ସିଂ ଏବଂ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ଭଳି ହେଭିୱେଟ୍ଙ୍କ ଅନୁପସ୍ଥିତି ଏହି ସନ୍ଦେହକୁ ସତ ବୋଲି ପ୍ରମାଣିତ କରିଥିଲା।
ଏହା କେବଳ ଏକ ସୌଜନ୍ୟମୂଳକ ସାକ୍ଷାତକାର ନା ଦଳ ଭିତରେ କୌଣସି ବଡ଼ ଧରଣର ବିଦ୍ରୋହ କିମ୍ବା ନୂଆ ରଣନୀତିର ପ୍ରାରମ୍ଭ, ତାହାକୁ ନେଇ ଏବେ ନବୀନ ନିବାସ ମଧ୍ୟ ଚିନ୍ତାରେ।
ରାଜନୈତିକ ସମୀକ୍ଷକଙ୍କ ମତରେ, ୨୦୨୪ ନିର୍ବାଚନରେ ପରାଜୟ ପରେ ବିଜେଡି ଏବେ ସଂସ୍କାର ଏବଂ ନେତୃତ୍ୱ ପରିବର୍ତ୍ତନର ସଂଘର୍ଷ ଦେଇ ଗତି କରୁଛି। ଏଭଳି ସ୍ଥିତିରେ ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ପ୍ରସନ୍ନ ଆଚାର୍ଯ୍ୟ ଏବଂ ପଶ୍ଚିମ ଓଡ଼ିଶାରେ ପ୍ରଭାବ ରଖୁଥିବା ଭୂପିନ୍ଦର ସିଂଙ୍କ ମଧ୍ୟରେ ଏହି ରହସ୍ୟଜନକ ବୈଠକ ବିଜେଡି ହାଇକମାଣ୍ଡଙ୍କ ପାଇଁ ଏକ ସ୍ପଷ୍ଟ ସଙ୍କେତ। ଯଦି ଦଳୀୟ ନିଷ୍ପତ୍ତିରେ ବରିଷ୍ଠମାନଙ୍କୁ ଅଣଦେଖା କରାଯାଏ, ତେବେ ଆଗାମୀ ଦିନରେ ଦଳ ଦୁଇ ଭାଗ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ।
ନିର୍ବାଚନ ପରେ ମଧ୍ୟ କିଛି ନେତା ହୋଟେଲରେ ଏବଂ ଘରେ ମେଳି କରିଥିଲେ । ପରେ ଦଳର ସୁପ୍ରିମୋ ପୂର୍ବତନ ମନ୍ତ୍ରୀ ପ୍ରଫୁଲ ମଲ୍ଲିକଙ୍କୁ ଦଳ ନିଲମ୍ବନ କରିଥିଲେ ।
