ଭୁବନେଶ୍ୱର(ଅଭିନୟ ଆଦିତ୍ୟ ନାୟକ): ଆଲୋକର ପର୍ବ ଦୀପାବଳି। ଘରେ ଘରେ ଦୀପ ଜଳିବା ସହ ଆକାଶରେ ରଙ୍ଗବେରଙ୍ଗ ଆଲୋକର ଚିତ୍ର ସୃଷ୍ଟି କରିଥାଏ ବାଣ। କିନ୍ତୁ ଏହି ଆନନ୍ଦ ଓ ଉତ୍ସବ ମଧ୍ୟରେ ଲୁଚି ରହିଛି ଏକ ବଡ଼ ପରିବେଶଗତ ସମସ୍ୟା। ବାଣ ଫୁଟାଇବା ଯୋଗୁଁ ବାୟୁମଣ୍ଡଳରେ ବିଷାକ୍ତ ଗ୍ୟାସ୍ ଓ ସୂକ୍ଷ୍ମ ଧୂଳିକଣାର ମାତ୍ରା ବୃଦ୍ଧି ପାଉଛି। ଫଳରେ ବାୟୁର ଗୁଣବତ୍ତା ହ୍ରାସ ପାଇବା ସହ ଶିଶୁ, ବୟସ୍କ ଓ ଶ୍ୱାସଜନିତ ସମସ୍ୟା ଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି ହେଉଛି। ଏହି ପରିପ୍ରେକ୍ଷୀରେ ଗ୍ରୀନ୍ କ୍ରାକର ବ୍ୟବହାର ଓ ପରିବେଶ ଅନୁକୂଳ ଦୀପାବଳି ପାଳନ ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ପରିବେଶ ବିଜ୍ଞାନୀ ନିରଞ୍ଜନ ମଲ୍ଲିକ। ତାଙ୍କ ମତରେ, ଦୀପାବଳି ସମୟରେ ବାଣରୁ ନିର୍ଗତ ଧୂଆଁ ବାୟୁମଣ୍ଡଳକୁ ଅଧିକ ପ୍ରଦୂଷିତ କରିଥାଏ। ଏହି ସମୟରେ ବାୟୁର ଗୁଣବତ୍ତା ସୂଚକାଙ୍କ ବା ଏକ୍ୟୁଆଇ ୩୦୦ ଅତିକ୍ରମ କରିବାର ଆଶଙ୍କା ରହିଥାଏ। ତେଣୁ ଲୋକମାନେ ଯଥାସମ୍ଭବ ବାଣ ବ୍ୟବହାରରୁ ଦୂରେଇ ରହି ଦୀପ ଜଳାଇବାକୁ ସେ ପରାମର୍ଶ ଦେଇଛନ୍ତି।
କ’ଣ ଏହି ଗ୍ରୀନ୍ କ୍ରାକର?
ସାଧାରଣ ବାଣରେ ବିଭିନ୍ନ ପ୍ରକାର ରାସାୟନିକ ପଦାର୍ଥ ଓ ଧାତବ ଲବଣ ବ୍ୟବହାର ହୋଇଥାଏ। ଏଗୁଡ଼ିକ ଜଳିବା ପରେ ବାୟୁମଣ୍ଡଳରେ ପିଏମ ୨.୫, ପିଏମ ୧୦, ସଲଫର ଡାଇଅକ୍ସାଇଡ୍, ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍ ଏବଂ ବିଭିନ୍ନ ଧାତବ କଣିକା ମିଶିଥାଏ। ଏହା ବାୟୁ ପ୍ରଦୂଷଣର ଏକ ପ୍ରମୁଖ କାରଣ। ଏହାର ବିକଳ୍ପ ଭାବେ CSIR-NEERI ପକ୍ଷରୁ କମ୍ ନିର୍ଗମନକାରୀ ଗ୍ରୀନ୍ କ୍ରାକରର ବିକାଶ କରାଯାଇଛି। ଏଥିରେ ପାରମ୍ପରିକ ବାଣର ରାସାୟନିକ ମିଶ୍ରଣରେ ପରିବର୍ତ୍ତନ କରାଯାଇ ପ୍ରଦୂଷଣକାରୀ ଉପାଦାନର ମାତ୍ରା ହ୍ରାସ କରାଯାଏ। ବେରିୟମ ନାଇଟ୍ରେଟ ସମେତ କେତେକ କ୍ଷତିକାରକ ରାସାୟନିକ ପଦାର୍ଥର ବ୍ୟବହାର ଉପରେ କଟକଣା ରହିଛି। CSIR-NEERI ର ତଥ୍ୟ ଅନୁସାରେ, ଏହି ଗ୍ରୀନ୍ କ୍ରାକର ପାରମ୍ପରିକ ବାଣ ତୁଳନାରେ ଅତି କମ୍ରେ ୩୦ ପ୍ରତିଶତ ପର୍ୟ୍ୟନ୍ତ କଣିକାଜନିତ ନିର୍ଗମନ ହ୍ରାସ କରିବା ପାଇଁ ପ୍ରସ୍ତୁତ। ତେବେ ଗ୍ରୀନ୍ କ୍ରାକର ମଧ୍ୟ ସମ୍ପୂର୍ଣ୍ଣ ପ୍ରଦୂଷଣମୁକ୍ତ ନୁହେଁ। ଏହା କେବଳ ପାରମ୍ପରିକ ବାଣ ତୁଳନାରେ କମ୍ ପ୍ରଦୂଷଣ ସୃଷ୍ଟି କରିଥାଏ।
CSIR, PESO ଓ NEERI ଅନୁମୋଦନ ଜରୁରୀ
ବଜାରରେ ଗ୍ରୀନ୍ କ୍ରାକର ନାଁରେ ବିଭିନ୍ନ ବାଣ ବିକ୍ରି ହେଉଥିବାରୁ ଏହାର ପ୍ରାମାଣିକତା ଯାଞ୍ଚ ଏକ ବଡ଼ ଆହ୍ୱାନ। ନିରଞ୍ଜନ ମଲ୍ଲିକଙ୍କ ପରାମର୍ଶ ଅନୁଯାୟୀ, ବାଣର ଅନୁମୋଦନ ଓ ପ୍ରମାଣୀକରଣ ସମ୍ପର୍କରେ ଲୋକେ ସଚେତନ ରହିବା ଆବଶ୍ୟକ। CSIR-NEERIର ପଞ୍ଜୀକରଣ, PESOର ଆବଶ୍ୟକ ଲାଇସେନ୍ସ ଓ ଉତ୍ପାଦର କ୍ୟୁଆର କୋଡ୍ ଯାଞ୍ଚ କରିବା ଜରୁରୀ। CSIR-NEERIର ଅଫିସିଆଲ୍ ତଥ୍ୟ ଅନୁଯାୟୀ, ଗ୍ରୀନ୍ କ୍ରାକରର ପଞ୍ଜୀକରଣ ଉତ୍ପାଦ ଓ ନିର୍ମାତା ଆଧାରରେ କରାଯାଇଥାଏ। ତେଣୁ କେବଳ ପ୍ୟାକେଟ୍ରେ ଗ୍ରୀନ୍ କ୍ରାକର ଲେଖାଥିବା ଦେଖି ଏହାକୁ ପ୍ରମାଣିକ ବୋଲି ଧରିନେବା ଠିକ୍ ନୁହେଁ।
ପିଏମ ୨. ୫ ବଢ଼ିଲେ ସ୍ୱାସ୍ଥ୍ୟ ପ୍ରତି ବିପଦ
ବାଣ ଫୁଟିବା ପରେ ବାୟୁମଣ୍ଡଳରେ ମିଶୁଥିବା ପିଏମ ୨. ୫ ଓ ପିଏମ ୧୦ ସୂକ୍ଷ୍ମ କଣିକା ମଣିଷର ଶ୍ୱାସକ୍ରିୟା ଉପରେ ପ୍ରଭାବ ପକାଇଥାଏ। ପିଏମ ୨. ୫ ଏତେ ସୂକ୍ଷ୍ମ ଯେ ଏହା ଫୁସ୍ଫୁସ୍ର ଗଭୀର ଅଂଶ ପର୍ୟ୍ୟନ୍ତ ପହଞ୍ଚିପାରେ। ଏହା ଦ୍ୱାରା ଆଖି ଜଳାପୋଡ଼ା, କାଶ, ନିଶ୍ୱାସ ନେବାରେ କଷ୍ଟ ଓ ଶ୍ୱାସଜନିତ ରୋଗର ଲକ୍ଷଣ ବଢ଼ିପାରେ।
ବିଶେଷକରି ଛୋଟ ପିଲା, ବୟସ୍କ ଏବଂ ହୃଦ୍ରୋଗ ଓ ଫୁସ୍ଫୁସ୍ଜନିତ ସମସ୍ୟା ଥିବା ଲୋକଙ୍କ ପାଇଁ ଏହା ଅଧିକ ଚିନ୍ତାଜନକ। ଦୀପାବଳି ପରେ ବାୟୁରେ ଧୂଳିକଣାର ମାତ୍ରା ବୃଦ୍ଧି ପାଇଲେ ଏହାର ପ୍ରଭାବ କେବଳ ଗୋଟିଏ ଦିନରେ ସୀମିତ ରହେ ନାହିଁ।
ସୁରକ୍ଷା ଓ ସଚେତନତା ଉପରେ ଗୁରୁତ୍ୱ
ବାଣ ସମ୍ପର୍କିତ ଦୁର୍ଘଟଣା ରୋକିବା ପାଇଁ ନିରଞ୍ଜନ ମଲ୍ଲିକ ସୁରକ୍ଷା ନିୟମ ପାଳନ ଉପରେ ଗୁରୁତ୍ୱ ଦେଇଛନ୍ତି। ତାଙ୍କ ପରାମର୍ଶ ଅନୁଯାୟୀ, ରାତି ୭ଟାରୁ ୯ଟା ମଧ୍ୟରେ ବାଣ ଫୁଟାଇବା ସମ୍ପର୍କିତ ସମୟସୀମାକୁ ଧ୍ୟାନ ଦେବା ଆବଶ୍ୟକ। ୧୦ ବର୍ଷରୁ କମ୍ ବୟସର ପିଲାଙ୍କୁ ବାଣଠାରୁ ଦୂରେଇ ରଖିବା ସହ କଟନ୍ ପୋଷାକ ପିନ୍ଧିବା ଭଳି ସତର୍କତା ଅବଲମ୍ବନ କରିବା ଉଚିତ। ତେବେ ବାଣ ବ୍ୟବହାର ସମ୍ପର୍କରେ ସ୍ଥାନୀୟ ପ୍ରଶାସନର ଲାଗୁ ନିୟମ ଓ ନିର୍ଦ୍ଦେଶକୁ ମଧ୍ୟ ପାଳନ କରିବା ଜରୁରୀ।
ଦୀପର ଆଲୋକରେ ପାଳନ ହେଉ ପରିବେଶ ଅନୁକୂଳ ଦୀପାବଳି
ଦୀପାବଳି କେବଳ ବାଣ ଫୁଟାଇବାର ପର୍ବ ନୁହେଁ, ଏହା ଅନ୍ଧକାର ଉପରେ ଆଲୋକର ବିଜୟର ପ୍ରତୀକ। ତେଣୁ ପରିବେଶକୁ କ୍ଷତି ନପହଞ୍ଚାଇ ପର୍ବ ପାଳନ କରିବା ଆମ ସମସ୍ତଙ୍କ ଦାୟିତ୍ୱ। ଅଧିକରୁ ଅଧିକ ଦୀପ ଜଳାଇବା, ଘର ଓ ଆଖପାଖ ପରିବେଶକୁ ସ୍ୱଚ୍ଛ ରଖିବା ଏବଂ ଅନାବଶ୍ୟକ ଶବ୍ଦ ଓ ଧୂଆଁରୁ ଦୂରେଇ ରହିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।
ପରିବେଶ ସୁରକ୍ଷା କେବଳ ସରକାର କିମ୍ବା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଦାୟିତ୍ୱ ନୁହେଁ। ପ୍ରତ୍ୟେକ ନାଗରିକଙ୍କ ଛୋଟ ଛୋଟ ପଦକ୍ଷେପ ଏକ ବଡ଼ ପରିବର୍ତ୍ତନ ଆଣିପାରିବ। ଆଲୋକର ପର୍ବରେ ଆମ ଖୁସି ଅନ୍ୟମାନଙ୍କ ସ୍ୱାସ୍ଥ୍ୟ ଓ ପରିବେଶ ପାଇଁ ବିପଦ ନହେଉ। ଏହି ବାର୍ତ୍ତା ସହ ଚଳିତ ଦୀପାବଳିକୁ ସବୁଜ, ସୁରକ୍ଷିତ ଓ ପ୍ରଦୂଷଣମୁକ୍ତ କରିବାର ସଂକଳ୍ପ ନେବା ଆବଶ୍ୟକ।
