ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ସମୟରେ ବିରୋଧୀ ଦଳ କଂଗ୍ରେସ ନିଜର ସମ୍ପୂର୍ଣ୍ଣ ଶକ୍ତି ପ୍ରଦର୍ଶନ କରିବା ପାଇଁ ଏକ ବଡ଼ ପ୍ରସ୍ତୁତି କରିଛି। ଆସନ୍ତା ସପ୍ତାହରେ ଆରମ୍ଭ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଆଲୋଚନାକୁ ଦୃଷ୍ଟିରେ ରଖି କଂଗ୍ରେସ ନିଜର ସମସ୍ତ ଲୋକସଭା ସାଂସଦଙ୍କ ପାଇଁ ଏକ ତ୍ରି ସ୍ତରୀୟ ହୁଇପ୍ ଜାରି କରିଛି । ଆସନ୍ତା ତିନି ଦିନ ଧରି ଗୃହରେ ବାଧ୍ୟତାମୂଳକ ଭାବେ ଉପସ୍ଥିତ ରହିବାକୁ ଦଳ ପକ୍ଷରୁ ସାଂସଦମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ର ସରକାରଙ୍କ ଏକ ବିବାଦୀୟ ବିଲକୁ ରୋକିବା ଲକ୍ଷ୍ୟରେ କଂଗ୍ରେସ ଏହି ପଦକ୍ଷେପ ନେଇଥିବା ଜଣାପଡିଛି।
ଲୋକସଭାରେ କଂଗ୍ରେସ ସଂସଦୀୟ ଦଳର ମୁଖ୍ୟ ସଚେତକ ବା ଚିଫ୍ ହୁଇପ୍ କୋଡିକୁନ୍ନିଲ ସୁରେଶ ଶୁକ୍ରବାର ଦିନ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି । ନୋଟିସରେ କୁହାଯାଇଛି ଯେ ଆସନ୍ତା ଅଗଷ୍ଟ ୧୦, ୧୧ ଏବଂ ୧୨ ତାରିଖ ଅର୍ଥାତ ସୋମବାରଠାରୁ ବୁଧବାର ପର୍ଯ୍ୟନ୍ତ ସକାଳ ୧୧ଟାରୁ ଗୃହର କାର୍ଯ୍ୟାନୁଷ୍ଠାନ ଶେଷ ହେବା ପର୍ଯ୍ୟନ୍ତ ସମସ୍ତ ସାଂସଦ ସଂସଦରେ ନିଶ୍ଚିତ ଭାବେ ଉପସ୍ଥିତ ରହିବେ ।
କୌଣସି ପରିସ୍ଥିତିରେ ବି ଅନୁପସ୍ଥିତିକୁ ଗ୍ରହଣ କରାଯିବ ନାହିଁ ବୋଲି ଦଳ ସ୍ପଷ୍ଟ କରିଦେଇଛି । ଏହି ଦିନଗୁଡ଼ିକରେ କେନ୍ଦ୍ର ସରକାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏବଂ ବିଲ୍ ଉପରେ ଚର୍ଚ୍ଚା କରିବେ ଯେଉଁଥିରେ ଦଳର ଆଭିମୁଖ୍ୟକୁ ସମର୍ଥନ କରିବା ନିତାନ୍ତ ଜରୁରୀ। ଅନୁରୂପ ଭାବେ ରାଜ୍ୟସଭା ସାଂସଦମାନଙ୍କ ପାଇଁ ମଧ୍ୟ କଂଗ୍ରେସ ପକ୍ଷରୁ ସମାନ ହୁଇପ୍ ଜାରି କରାଯାଇଛି ।
ଏହି ତିନି ଦିନିଆ ହୁଇପ୍ ପଛର ସବୁଠାରୁ ବଡ଼ କାରଣ ହେଉଛି ବିଦେଶୀ ଅନୁଦାନ ନିୟନ୍ତ୍ରଣ ସଂଶୋଧନ ବିଲ୍ ୨୦୨୬ ବା ଏଫସିଆରଏ ସଂଶୋଧନ ବିଲ। ଅଗଷ୍ଟ ୧୨ ତାରିଖରେ କେନ୍ଦ୍ର ସରକାର ଏହି ବିଲକୁ ଗୃହରେ ପାରିତ କରାଇବା ପାଇଁ ଆଲୋଚନା କରିବାର ସମ୍ଭାବନା ରହିଛି । ବିଦେଶୀ ପାଣ୍ଠି ନିୟନ୍ତ୍ରଣ ଆଳରେ ସରକାର ବିଭିନ୍ନ ସ୍ୱେଚ୍ଛାସେବୀ ସଂସ୍ଥା ଏବଂ ସାମାଜିକ ସଙ୍ଗଠନଗୁଡ଼ିକୁ ଟାର୍ଗେଟ କରୁଛନ୍ତି ବୋଲି ବିରୋଧୀମାନେ ଅଭିଯୋଗ ଆଣୁଛନ୍ତି । ତେଣୁ ଏହି ବିଲକୁ ଉଭୟ ଗୃହରେ ଜୋରଦାର ବିରୋଧ କରିବାକୁ କଂଗ୍ରେସ ନିଜର ସମସ୍ତ ସାଂସଦଙ୍କୁ ଏକଜୁଟ କରୁଛି ।
ଅନ୍ୟପକ୍ଷରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ଏନଡିଏ ସରକାର ମଧ୍ୟ ଏହି ପ୍ରସଙ୍ଗରେ ପୂରା ପ୍ରସ୍ତୁତି କରିଛି। ବିଲ୍ ପାରିତ କରାଇବା ଉଦ୍ଦେଶ୍ୟରେ ଏନଡିଏ ପକ୍ଷରୁ ମଧ୍ୟ ନିଜର ସମସ୍ତ ସାଂସଦଙ୍କୁ ଆସନ୍ତା ସୋମବାର ଠାରୁ ଜାତୀୟ ରାଜଧାନୀ ଦିଲ୍ଲୀରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦିଓ ବର୍ତ୍ତମାନ ସୁଦ୍ଧା ଶାସକ ଦଳ ପକ୍ଷରୁ କୌଣସି ଆନୁଷ୍ଠାନିକ ହୁଇପ୍ ଜାରି ହୋଇନାହିଁ ତଥାପି ସାଂସଦମାନଙ୍କୁ ସଜାଗ ରହିବାକୁ କୁହାଯାଇଛି ।
ମୌସୁମୀ ଅଧିବେଶନ ଆରମ୍ଭରୁ ହିଁ ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାର ଏବଂ ବିରୋଧୀଙ୍କ ମଧ୍ୟରେ ଟକ୍କର ଦେଖିବାକୁ ମିଳିଛି। ବର୍ତ୍ତମାନ କଂଗ୍ରେସର ଏହି ହୁଇପ୍ ସ୍ପଷ୍ଟ କରୁଛି ଯେ ଆଗାମୀ ଦିନରେ ଏଫସିଆରଏ ବିଲକୁ ନେଇ ଲୋକସଭାରେ ହଙ୍ଗାମା ଆହୁରି ଜୋରଦାର ହେବ ।
