Latest Odisha News

BREAKING NEWS

‘ଏବେ ୱାନ ନେସନ ୱାନ ଇଲେକ୍ସନ, ଆଗକୁ ୱାନ ନେସନ ୱାନ ପାର୍ଟି’

ଭୁବନେଶ୍ୱର: ସଂସଦର ସ୍ୱତନ୍ତ୍ର ଅଧିବେଶନ ଓ ୱାନ ନେସନ ୱାନ ଇଲେକ୍ସନ ପ୍ରସଙ୍ଗ ଏବେ ଚର୍ଚ୍ଚାର ପ୍ରମୁଖ ପ୍ରସଙ୍ଗ ପାଲଟିଛି। ସାଧାରଣ ଲୋକଙ୍କଠୁ ଆରମ୍ଭ କରି ରାଜନୈତିକ ଦଳର ନେତାମାନେ ଏହାକୁ ନେଇ ନାନା ପ୍ରକାର ତର୍ଜମା କରୁଥିବା ଦେଖିବାକୁ ମିଳିଛି।

ସେପଟେ ବିରୋଧୀ ଦଳର ନେତାମାନେ ଏ ପ୍ରସଙ୍ଗକୁ ନେଇ କେନ୍ଦ୍ରର ବିଜେପି ସରକାରକୁ ଟାର୍ଗେଟ କରିବା ଦେଖିବାକୁ ମିଳିଛି। ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ଅନ୍ୟ ପ୍ରମୁଖ ବିରୋଧୀ ଦଳର ନେତା ଏ ପ୍ରସଙ୍ଗରେ ବିଜେପିକୁ ସମାଲୋଚନା କରିଥିବା ବେଳେ ଏବେ ବିହାର ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ୱୀ ଯାଦବ ୱାନ ନେସନ ୱାନ ଇଲେକ୍ସନକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି।

କେନ୍ଦ୍ର ସରକାର ଏକକ ନିର୍ବାଚନ କଥା ଚିନ୍ତା କରିବା ପୂର୍ବରୁ ଆଗେ ୱାନ ନେସନ ୱାନ ଇନକମ ଲାଗୁ କରନ୍ତୁ ବୋଲି ତେଜସ୍ୱୀ କହିଛନ୍ତି। ଦେଶରୁ ଗରିବୀ ଓ ବେରୋଜଗାର ଦୂର କରିବା ପାଇଁ ଆଗେ ସରକାର ଏଭଳି ପଦକ୍ଷେପ ନିଅନ୍ତୁ ବୋଲି ସେ ଦାବି କରିଛନ୍ତି।

ଦେଶରେ ଏକକ ନିର୍ବାଚନ ପ୍ରସଙ୍ଗ ଉଠାଗଲେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଥମେ ଏକକ ରୋଜଗାର କଥାର ପ୍ରସ୍ତାବ ଦେଇଛନ୍ତି ତେଜସ୍ୱୀ। ପ୍ରଥମେ ଦେଶବାସୀଙ୍କର ରୋଜଗାର ସମାନ ହେବା ଦରକାର ବୋଲି ସେ କହିଛନ୍ତି।

ଏପରିକି ୱାନ ନେସନ ୱାନ ଇନକମ ପାଇଁ ପ୍ରଥମେ କମିଟି କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ଏବେ କେନ୍ଦ୍ରର ବିଜେପି ସରକାର ଏକକ ନିର୍ବାଚନର କଥା କହୁଥିବାବେଳେ ଆଗକୁ ଦେଶରେ କେବଳ ଗୋଟିଏ ନିର୍ବାଚନ ପ୍ରସ୍ତାବ ନେଇ ଆସିପାରନ୍ତି ବୋଲି ତେଜସ୍ୱୀ କହିଛନ୍ତି।

ଯେଉଁଥିରେ ରାଜ୍ୟଗୁଡିକରେ ନିର୍ବାଚନର ଆବଶ୍ୟକତା ରହିବ ନାହିଁ। ତା ପରେ ୱାନ ନେସନ ୱାନ ଲିଡର, ୱାନ ନେସନ ୱାନ ପାର୍ଟି, ୱାନ ନେସନ ୱାନ ରେଲିଜିଅନ ଓ ୱାନ ନେସନ ୱାନ ଲାଙ୍ଗୁଏଜର କଥା କହିବେ ବୋଲି ତେଜସ୍ୱୀ କହିଛନ୍ତି।

ଗଣତନ୍ତ୍ରରେ ଏସବୁ ଆଇଡ଼ିଆ କାମ କରେନାହିଁ ବୋଲି ସେ କହିଛନ୍ତି। ତେଣୁ ଏସବୁ ଚିନ୍ତାଧାରା ଛାଡି ଭାରତର ପ୍ରଧାନମନ୍ତ୍ରୀ ଦେଶର ଅର୍ଥନୈତିକ ଅବସ୍ଥାରେ କିଭଳି ସୁଧାର ଆସିବ ସେ ଉପରେ ଫୋକସ କରିବା ଆବଶ୍ୟକ ବୋଲି ତେଜସ୍ୱୀ କହିଛନ୍ତି।

ଦେଶରେ ଏକକ ନିର୍ବାଚନ ପ୍ରସଙ୍ଗ ନେଇ ଚର୍ଚ୍ଚା ତୀଵ୍ର ହେବାରେ ଲାଗିଛି। କେନ୍ଦ୍ର ସରକାର ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିବା ପରେ ପରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକକ ନିର୍ବାଚନ ସମ୍ପର୍କରେ ତଥ୍ୟ ଦେବାକୁ ଏକ କମିଟି କରିଛନ୍ତି। ଯାହାକି ଚର୍ଚ୍ଚାକୁ ଆହୁରି ବଢ଼ାଇ ଦେଇଛି।

ସଂସଦର ସ୍ୱତନ୍ତ୍ର ଅଧିବେଶନରେ କେନ୍ଦ୍ର ପକ୍ଷରୁ ଏ ସମ୍ପର୍କିତ ବିଲ ଅଣାଯାଇପାରେ ବୋଲି କୁହାଯାଉଛି। ସରକାରଙ୍କ ପକ୍ଷରୁ ସ୍ଵତନ୍ତ୍ର ଅଧିବେଶନର ଏଜେଣ୍ଡା ନେଇ କିଛି ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଏକକ ନିର୍ବାଚନ ପ୍ରସଙ୍ଗକୁ ନେଇ ବିବାଦ ଓ ଲଢେଇ ତୀଵ୍ର ହେବାରେ ଲାଗିଛି।

Leave A Reply

Your email address will not be published.