Latest Odisha News

ଛତିଶଗଡରେ ରାହୁଲ ଶାହା ଲଢେଇ

ଭୁବନେଶ୍ୱର: ଛତିଶଗଡ଼ରେ ଦୁଇ ଜାତୀୟ ଦଳର ପ୍ରମୁଖ ନେତାଙ୍କ ମଧ୍ୟରେ ଲଢେ଼ଇ। ଆଗକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଛତିଶଗଡ଼ରେ ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀ।

ଗୋଟିଏ ଦିନରେ ଉଭୟ ନେତା ବିଶାଳ ସମାବେଶକୁ ଉଦବୋଧନ ଦେଇଥିବାରୁ ଛତିଶଗଡ଼ ରାଜନୀତି ଚଳଚଂଚଳ ହୋଇଉଠିଛି। ଗୃହମନ୍ତ୍ରୀ ଅମିତ ଶାହା ରାୟପୁର ଓ ସରାଇପାଲିରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ରାହୁଲ ଗାନ୍ଧୀ ନବ ରାୟପୁରରେ ଆୟୋଜିତ ରାଜୀଵ ଯୁବ ମିତାନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି।

ଦଳର ନେତୃତ୍ୱଙ୍କ ସହ ଶାହା ଗୁରୁତ୍ୱପୂର୍ଣ୍ଣ ଆଲୋଚନା ମଧ୍ୟ କରିଛନ୍ତି। ଏହି ଅବସରରେ ଶାହା ଛତିଶଗଡର ବଘେଲ ସରକାରଙ୍କ ବିରୋଧରେ ଆରୋପ ପତ୍ର ବା ଚାର୍ଜଶୀଟ ଉନ୍ମୋଚନ କରିଛନ୍ତି।

ବଘେଲ ସରକାରଙ୍କ ସମୟରେ ହୋଇଥିବା ବିଭିନ୍ନ ସ୍କାମ, ଲୁଟ ଓ ଲୋକଙ୍କ ଉପରେ ଅତ୍ୟାଚାରକୁ ନେଇ ଏହା ପ୍ରସ୍ତୁତ କରାଯାଇଛି। ଆରୋପ ପତ୍ର ଉନ୍ମୋଚନ କରି ଶାହା ବଘେଲଙ୍କ ଉପରେ ବର୍ଷିଛନ୍ତି।

ବଘେଲ ଛତିଶଗଡ଼କୁ ଗାନ୍ଧୀ ପରିବାରର ଏଟିଏମରେ ପରିଣତ କରିଦେଇଥିବା ଅଭିଯୋଗ କରିଛନ୍ତି। ଏପରିକି ବଘେଲ ସରକାର ଦୁର୍ନୀତିର ସବୁ ରେକର୍ଡ ଭାଙ୍ଗି ଦେଇଥିବା ସେ କହିଛନ୍ତି। ନିଜର ଭୋଟ ବ୍ୟାଙ୍କ ରାଜନୀତି ପାଇଁ ରାଜ୍ୟର ଆଦିବାସୀ ଅଞ୍ଚଳରେ ଧର୍ମ ପରିବର୍ତ୍ତନକୁ କଂଗ୍ରେସ ସରକାର ରୋକୁ ନ ଥିବା ସେ ଅଭିଯୋଗ କରିଛନ୍ତି।

ସେପଟେ ରାହୁଲ ଗାନ୍ଧୀ ରାଜୀଵ ଯୁବ ମିତାନ କ୍ଲବର ରାଜ୍ୟସ୍ତରୀୟ ସମ୍ମିଳନୀରେ ଯୋଗ ଦେଇ କେନ୍ଦ୍ରର ବିଜେପି ସରକାର ଉପରେ ବର୍ଷିଛନ୍ତି। ବିଧାନସଭା ନିର୍ବାଚନ ପୂର୍ବରୁ ଏହା ରାହୁଲଙ୍କ ପ୍ରଥମ ଗସ୍ତ। ସମ୍ମିଳନୀରେ ଯୋଗ ଦେଇ ରାହୁଲ ବିଜେପି ଓ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି।

ବିଜେପି ଦେଶକୁ ଭାଗ ଭାଗ କରିବାର କାମ କରୁଥିବା ବେଳେ କଂଗ୍ରେସ ଏହାକୁ ଯୋଡିବାର କାମ କରୁଛି ବୋଲି ସେ କହିଛନ୍ତି। ଏପରିକି କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଉଦାହରଣ ଦେବା ସହ କଂଗ୍ରେସ ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା କିଭଳି ପୂରଣ କରିଛି କହିଛନ୍ତି ରାହୁଲ।

ଛତିଶଗଡ଼ରେ କଂଗ୍ରେସ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଥିବା ସେ କହିଛନ୍ତି। ଏଥିସହିତ ମୋଦି ଆଦାନୀ ସମ୍ପର୍କ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ। ତେଣୁ ନିର୍ବାଚନ ପୂର୍ବରୁ କେନ୍ଦ୍ରର ଦୁଇ ହେଭିୱେଟ ଛତିଶଗଡ଼ରେ ମୁହାଁମୁହିଁ ହେବା ରୋଚକ ସ୍ଥିତି ସୃଷ୍ଟି କରିଛି।

Leave A Reply

Your email address will not be published.