Latest Odisha News

BREAKING NEWS

ବିହାରରୁ ସାମ୍ନାକୁ ଆସିଲା ଲୋମହର୍ଷଣକାରୀ କାଣ୍ଡ: ଚଳନ୍ତା ଗାଡିରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ଫିଙ୍ଗିଦେଲେ ଦୁର୍ବୃତ୍ତ

ପାଟଣା: ବିହାର ସମସ୍ତିପୁରରୁ ସାମ୍ନାକୁ ଆସିଛି ଏକ ଲୋମହର୍ଷଣକାରୀ କାଣ୍ଡ । ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଚଳନ୍ତା ଗାଡିରେ ଗଣଦୁଷ୍କର୍ମ କରାଯାଇଛି । ୩ ଜଣ ଦୁର୍ବୃତ୍ତ ରାତିସାରା ଗାଡିରେ ଦୁଷ୍କର୍ମ କରିବା ପରେ ପୀଡିତାଙ୍କୁ ରାସ୍ତାକଡରେ ଅର୍ଦ୍ଧନଗ୍ନ ଅବସ୍ଥାରେ ଫିଙ୍ଗି ଚାଲି ଯାଇଛନ୍ତି । ୩ ଦିନ ପରେ ହସ୍ପିଟାଲ ବେଡରେ ପୀଡିତାଙ୍କ ହୋସ୍ ଆସିବା ପରେ ଏହି ଘଟଣା ସାମ୍ନାକୁ ଆସିଛି । ଘଟଣାରେ ପୋଲିସ ସମସ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସୂଚନା ଅନୁଯାୟୀ, ଗତ ଅଗଷ୍ଟ ୧୬ ତାରିଖ ରାତି ପ୍ରାୟ ୧ଟାରେ ସେ ଓ ତାଙ୍କର ବାପା ସମସ୍ତିପୁର ଷ୍ଟେସନରେ ଓହ୍ଲାଇଥିଲେ । ଷ୍ଟେସନ ପରିସରରେ ଗୋଟିଏ ବୋଲେରୋ ଛିଡା ହୋଇଥିଲା । ତା’ର ଡ୍ରାଇଭର ସହ କଥାବର୍ତ୍ତା କରିବାରୁ ସେ ଦୁହିଁଙ୍କୁ ଘରେ ପହଞ୍ଚାଇ ଦେବ ବୋଲି କହିଥିଲା । ଗାଡିରେ ଆଉ ଜଣେ ଲୋକ ବି ବସିଥିଲା । ଯାହାକୁ ଡ୍ରାଇଭର ଯାତ୍ରୀ ବୋଲି କହିଥିଲା । ଏଥିରେ ବିଶ୍ବାସ କରି ନାବାଳିକା ଜଣକ ଓ ତାଙ୍କ ବାପା ଗାଡିରେ ବସିଥିଲେ । କିଛି ବାଟ ଯିବା ପରେ ସେହି ବ୍ୟକ୍ତି ସେମାନଙ୍କ କୋଲ୍ଡ ଡ୍ରିଙ୍କସ୍ ପିଇବାକୁ ଦେଇଥିଲା । ଯାହାକୁ ପିଇବା ପରେ ଦୁହେଁ ବେହୋସ୍ ହୋଇଯାଇଥିଲା ।

ଏହା ପରର ଘଟଣା ଗିରଫ ହୋଇଥିବା ୩ ଅଭିଯୁକ୍ତ ପୋଲିସ ଆଗରେ କହିଛନ୍ତି । ପୋଲିସ ବୟାନ ଅନୁସାରେ, ବାପଝିଅ ବେହୋସ୍ ହେବା ପରେ ସେମାନେ ତାଙ୍କ ପାଖରେ ଥିବା ଟଙ୍କା ଓ ମୋବାଇଲ ଚୋରି କରି ନେଇଥିଲେ ଓ ନାବାଳିକାର ବାପାଙ୍କୁ ବୋହୋସ୍ ଅବସ୍ଥାରେ ରାସ୍ତା କଡକୁ ଫିଙ୍ଗି ଦେଇଥିଲେ । ଏହାପରେ ଡ୍ରାଇଭର ସମେତ ୩ ଜଣ ଚଳନ୍ତା ଗାଡିରେ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିଲେ ଓ ମୁଜାଫରପୁର ଅଞ୍ଚଳରେ ଅର୍ଦ୍ଧନଗ୍ନ ଅବସ୍ଥାରେ ପୀଡିତାଙ୍କୁ ଫିଙ୍ଗି ଫେରାର୍ ହୋଇଯାଇଥିଲେ ।

ସକାଳେ ଆଖପାଖର ଲୋକେ ନାବାଳିକାଙ୍କୁ ମୂର୍ମୁଷୁ ଅବସ୍ଥାରେ ଦେଖି ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଉଭୟ ପୀଡିତା ଓ ତାଙ୍କ ବାପାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା । ପୀଡିତାଙ୍କୁ ହୋସ୍ ଆସିବା ପରେ ଅଗଷ୍ଟ ୨୩ରେ ସେ ମହିଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ପୋଲିସର ଏକ ଟିମ୍ ମାମଲାର ତଦନ୍ତ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଉକ୍ତ ବୋଲେରୋଟିକୁ ଜବତ କରିଛି । ଅଭିଯୁକ୍ତଙ୍କୁ ପରଚାଉଚରା ବେଳେ ସମସ୍ତେ ନିଜର ଅପରାଧ ମାନିଛନ୍ତି ।

Leave A Reply

Your email address will not be published.