Latest Odisha News

BREAKING NEWS

ଇତିହାସର ସେହି ଭୁଲ୍: ଯେତେବେଳେ ଜାନକୀଙ୍କ ସତର୍କବାଣୀକୁ ହେୟଜ୍ଞାନ କରିଥିଲେ ବିଜୟ

ଭୁବନେଶ୍ୱର: ୩୦ ବର୍ଷ ତଳର ଗୁମର ଫିଟାଇଲେ ବରିଷ୍ଠ ନେତା ବିଜୟ ମହାପାତ୍ର । ଓଡ଼ିଶା ରାଜନୀତିରେ ଦୀର୍ଘ ତିନି ଦଶନ୍ଧି ଧରି ଚାପି ହୋଇ ରହିଥିବା ଏକ ବଡ଼ ଗୁମର ଏବେ ସାମ୍ନାକୁ ଆସିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଏକ ସ୍ମୃତିସଭାରେ ଯୋଗଦେଇ ବିଜୟ ମହାପାତ୍ର ୧୯୯୭ ମସିହାର ଏକ ଅକୁହା କାହାଣୀ ବଖାଣିଛନ୍ତି। ବିଜେଡି ଗଠନ ହେବା ସମୟରେ ଜାନକୀ ବାବୁ କିଭଳି ଭାବେ ନବୀନଙ୍କ ଓଡ଼ିଶା ଆଗମନକୁ ନେଇ ବିଜୟଙ୍କୁ ସତର୍କ କରାଇ ଥିଲେ, ସେନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।

ନବୀନଙ୍କୁ ଆଣନ୍ତୁ ନାହିଁ, ନଚେତ୍ କ୍ଷତି ହେବ

ବିଜୟ ମହାପାତ୍ରଙ୍କ କହିବା ଅନୁସାରେ, ୧୯୯୭ ମସିହାରେ ବିଜୁ ବାବୁଙ୍କ ଦେହାନ୍ତ ପରେ ଯେତେବେଳେ ଦଳ ଗଠନ ପ୍ରକ୍ରିୟା ଚାଲିଥିଲା, ସେତେବେଳେ ଜାନକୀ ବଲ୍ଲଭ ପଟ୍ଟନାୟକ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ । ବିଜୟଙ୍କ ନେତୃତ୍ୱରେ ନୂଆ ଦଳ ଗଠନ ନେଇ ପ୍ରସ୍ତୁତି ଚାଲିଥିବା ବେଳେ ଜାନକୀ ବାବୁ ତାଙ୍କୁ ବ୍ୟକ୍ତିଗତ ଭାବେ ଏକ ପରାମର୍ଶ ଦେଇଥିଲେ । ସେ କହିଥିଲେ, “ଦଳ ଗଠନ କରୁଛନ୍ତି କରନ୍ତୁ, ନିଜେ ନେତୃତ୍ୱ ନିଅନ୍ତୁ, କିନ୍ତୁ ନବୀନଙ୍କୁ ଦିଲ୍ଲୀରୁ ଓଡ଼ିଶାକୁ ଆଣନ୍ତୁ ନାହିଁ । ନଚେତ୍ ଆପଣଙ୍କର ବଡ଼ କ୍ଷତି ହେବ । ” ସେତେବେଳେ ନବୀନ ନୂଆ ନୂଆ ଆସ୍କାରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।

ବାସ୍ତବ ରୂପ ନେଲା ଜାନକୀଙ୍କ କଥା

ଏହି ପୁରୁଣା ସ୍ମୃତିକୁ ମନେ ପକାଇ ମଙ୍ଗଳବାର ବିଜୟ ମହାପାତ୍ର କହିଛନ୍ତି ଯେ, ସେତେବେଳେ ସେ ଜାନକୀ ବାବୁଙ୍କ କଥାକୁ ଗୁରୁତ୍ୱ ଦେଇନଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଯେଉଁଭଳି ଭାବେ ବିଜେଡିରେ ବିଜୟଙ୍କ କ୍ଷମତା ହ୍ରାସ ପାଇଲା ଏବଂ ତାଙ୍କୁ ଦଳରୁ ବାହାର କରାଗଲା, ତାହା ଦେଖିଲେ ଜାନକୀଙ୍କ ସେହି କଥା ଜଣେ ଜ୍ୟୋତିଷଙ୍କ ଭବିଷ୍ୟବାଣୀ ଭଳି ସତ ହୋଇଥିବା ବିଜୟ ମହାପାତ୍ର ସ୍ୱୀକାର କରିଛନ୍ତି । ସେ କହିଛନ୍ତି ଯେ, ଏହି ଘଟଣାର ଅନେକ ବର୍ଷ ପରେ ସେ ଜାନକୀ ବାବୁଙ୍କୁ ଭେଟି ତାଙ୍କର ସେହି ଦୂରଦୃଷ୍ଟି ସମ୍ପନ୍ନ ସତର୍କବାଣୀ ପାଇଁ ଧନ୍ୟବାଦ ଜଣାଇଥିଲେ ।

ବିଜେଡିର କଟାକ୍ଷ

ତେବେ ବିଜୟ ମହାପାତ୍ରଙ୍କ ଏହି ଖୁଲାସାକୁ ବିଜେଡି ଶିବିରରେ ଗ୍ରହଣ କରାଯାଇ ନାହିଁ । ଦଳର ମୁଖପାତ୍ର ଲେନିନ ମହାନ୍ତି ପ୍ରତିକ୍ରିୟାରେ କହିଛନ୍ତି ଯେ, ୩୦ ବର୍ଷ ପରେ ଏଭଳି କଥା କହିବାର କୌଣସି ଯଥାର୍ଥତା ନାହିଁ । ରାଜନୀତିରେ ନିଜ ସ୍ଥିତି ହରାଇବା ପରେ ବିଜୟ ଏବେ ପୁରୁଣା କଥାକୁ ନେଇ ଏଭଳି କହୁଛନ୍ତି ।

ବଦଳିଥାନ୍ତା କି ଓଡ଼ିଶାର ଭାଗ୍ୟ?

ଏହି ଚର୍ଚ୍ଚା ପରେ ଏବେ ସାଧାରଣରେ ପ୍ରଶ୍ନ ଉଠୁଛି, ଯଦି ସେଦିନ ବିଜୟ ମହାପାତ୍ର ନବୀନ ପଟ୍ଟନାୟକଙ୍କୁ ଓଡ଼ିଶା ରାଜନୀତିକୁ ଆଣିନଥାନ୍ତେ, ତେବେ ଆଜିର ପରିଦୃଶ୍ୟ କଣ ହୋଇଥାନ୍ତା? କଣ ବିଜୟ ମହାପାତ୍ର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇପାରିଥାନ୍ତେ? ଏଭଳି ଅନେକ ପ୍ରଶ୍ନ ଏବେ ରାଜ୍ୟ ରାଜନୀତିରେ ନୂଆ ବିତର୍କ ସୃଷ୍ଟି କରିଛି ।

Leave A Reply

Your email address will not be published.