Latest Odisha News

BREAKING NEWS

ପୁରୀ ଜିଲ୍ଲାରେ ବଢିଲା ବାର୍ଡ ଫ୍ଲୁ ଆତଙ୍କ !

ପୁରୀ: ପୁରୀ ଜିଲ୍ଲା ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଲକରେ ବାର୍ଡ ଫ୍ଲୁ ବ୍ୟାପିବା ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକରେ ବହୁ ସଂଖ୍ୟାରେ କୁକୁଡ଼ା ମଡ଼କ ପଡ଼ିବା ପରେ ମୃତ କୁକୁଡ଼ାଙ୍କ ନମୁନା ପରୀକ୍ଷାରୁ ବାର୍ଡ ଫ୍ଲୁ ପଜିଟିଭ୍ ବୋଲି ଚିହ୍ନଟ ସୂଚନା ମିଳିଛି । ଏହା ଫଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଶୁ ପଦକ୍ଷେପ ଗ୍ରହଣ କରାଯାଉଛି ।

ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା କାଲି ଅର୍ଥାତ ଶୁକ୍ରବାର ଠାରୁ କୃଷ୍ଣପ୍ରସାଦ ବ୍ଲକ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ କୁକୁଡ଼ା ମରାଯିବାର କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ଗଣମାଧ୍ୟମକୁ ସୂଚନାଦେଇ ଜିଲ୍ଲା ମୁଖ୍ୟ ପଶୁ ସମ୍ପଦ ଚିକିତ୍ସାଧିକାରୀ (ସିଡ଼ିଭିଓ) ଡ଼ଃ ଗିରିଜା ପଟ୍ଟନାୟକ କହିଛନ୍ତି, “କୃଷ୍ଣପ୍ରସାଦ ବ୍ଲକର ସାନସାହି, ମାଲୁଦ, ଅଳନ୍ଦା ଓ ପଥରଗଞ୍ଜ ଅଞ୍ଚଳରୁ କୁକୁଡ଼ା ମଡ଼କ ପଡ଼ିବା ପରେ କେତେକ ମୃତ କୁକୁଡ଼ାର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ଭୋପାଳ ପଠାଯାଇଥିଲା । ଏହି ନମୁନା ପଜିଟିଭ୍ ଚିହ୍ନିତ ହୋଇଛି” ।

“ଆସନ୍ତାକାଲି ଠାରୁ ଏହିସବୁ ଅଞ୍ଚଳରେ ଥିବା କୁକୁଡ଼ା ପ୍ରଜନନ କେନ୍ଦ୍ରରେ ଥିବା କୁକୁଡ଼ାଗୁଡ଼ିକୁ ମରାଯିବା କାର୍ଯ୍ୟ ଆରମ୍ଭ ହେବ । ଏହିସବୁ ଗ୍ରାମରୁ ୧ କିମି ଦୂରତାରେ ରହିଥିବା ସମସ୍ତ ଗ୍ରାମରେ ମଧ୍ୟ କୁକୁଡ଼ା ଗୁଡ଼ିକୁ ମାରି ଦିଆଯିବ,” ବୋଲି ସେ କହିଛନ୍ତି ।

“ଏହି କୁକୁଡ଼ା ମଡ଼କ ବ୍ୟାପିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ଜିଲ୍ଲାର ଏହି ବ୍ଲକରେ କୁକୁଡ଼ା ଓ ଅଣ୍ଡା ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି,” ବୋଲି ସେ କହିଛନ୍ତି ।

“ଏହା ବ୍ୟତୀତ ସମସ୍ତ ବିଦ୍ୟାଳୟ ଏବଂ ଅଙ୍ଗନୱାଡ଼ି କେନ୍ଦ୍ରରେ ମଧ୍ୟାହ୍ନ ଭୋଜନରେ ଅଣ୍ଡା ନଦେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି,” ବୋଲି ସେ ସୂଚନା ଦେଇଛନ୍ତି ।

ଏହି ବାର୍ଡ ଫ୍ଲୁ ବ୍ୟାପିବା ନେଇ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ସଚିବ ବିଶାଲ ଗଗନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ୫୦୦ କୁକୁଡ଼ା, କାଉ ଏବଂ ଚିକେନ ତଥା ବତକଙ୍କ ନମୁନା ସଂଗ୍ରହ କରାଯାଇଥିବା ବେଳେ ସେଥିମଧ୍ୟରୁ ୨୦ଟିକୁ ଭୋପାଳସ୍ଥିତ ପଶୁ ରୋଗ ସୁରକ୍ଷା ପ୍ରତିଷ୍ଠାନକୁ ପରୀକ୍ଷା ନିମନ୍ତେ ପଠାଯାଇଛି ।

ଅନ୍ୟପକ୍ଷରେ, ଭୁବନେଶ୍ୱର ଫୁଲନଖରାଠାରେ ଥିବା ‘ପଶୁ ରୋଗ ଗବେଷଣା କେନ୍ଦ୍ର’ର ସଂଯୁକ୍ତ ସଚିବ ଲୋକନାଥ ବେହେରା କହିଛନ୍ତି, ଚିଲିକାର ନଳବଣରେ ଏହି ବାର୍ଡ ଫ୍ଲୁ ଆତଙ୍କରୁ ବର୍ତ୍ତିଯାଇଛି ।

Leave A Reply

Your email address will not be published.