Latest Odisha News

BREAKING NEWS

ବିଶ୍ୱାସ

ବିଶ୍ୱାସ

କ୍ଷୀରୋଦ ବିହାରୀ ବିଶ୍ୱାଳ

(୧)

ଚନ୍ଦନ ମହାରଣା ମୋ ସାଙ୍ଗ । ଗୋଟେ ଅର୍କେଷ୍ଟ୍ରା ପାର୍ଟିରେ ବାଦ୍ୟ ବଜାଏ । ସେ ସବୁ ବାଦ୍ୟ ବଜେଇପାରେ, ହାରମୋନିୟମରୁ ଢୋଲ ପର୍ଯ୍ୟନ୍ତ, ଗିଟାରଠାରୁ ପ୍ୟାଡ୍ ପର୍ଯ୍ୟନ୍ତ । ସେଥିପାଇଁ ବେପାର ୠତୁରେ ତା’ର ଡିମାଣ୍ତ କାହିଁରେ କେତେ । ପାଖଆଖର କେତେ ପାର୍ଟି ତାକୁ ଅଧିକ ଦରମାର ଲୋଭ ଦେଖାନ୍ତି । ମିୟୁଜିକ୍ ଡାଇରେକ୍ଟର୍ କରେଇଦେବାର ସ୍ୱପ୍ନ ଦେଖାନ୍ତି, କିନ୍ତୁ ଚନ୍ଦନ ସୁର୍ ମେଲୋଡ଼ି ପାର୍ଟି ଛାଡ଼ି କୁଆଡ଼େ ଯାଇନି କେବେ ।

ଚନ୍ଦନର ସ୍ତ୍ରୀ ମାନୁ ଯେତେବେଳେ ପଚାରେ “ଅଧିକ ଦୁଇ ହଜାର ମିଳିବ ଏ ପାର୍ଟି ଛାଡ଼ିଦଉନ?” ଚନ୍ଦନ କହେ “ମୋ ଉପରେ ସୁର୍ ମେଲୋଡ଼ି ପାର୍ଟି ମାଲିକ ଜଗାଭାଇ କେତେ ଭରସା ବିଶ୍ୱାସ କରିଛି କହିଲୁ ! ପାର୍ଟି ଛାଡ଼ିଦେଲେ ତା’ର ସେ ବିଶ୍ୱାସ ଆଉ ରହିବ ? ମୋତେ ନେଇ ତା’ର କେତେ ଗର୍ବ, କେତେ ସମ୍ମାନ । ଏଇ ଟଂକା କେଇଟା ପାଇଁ ମୁଁ କାହାର ଏତେ ଦିନର ବିଶ୍ୱାସକୁ ଭାଙ୍ଗିପାରିବିନି ।”

(୨)

ମେଲୋଡ଼ି ପାର୍ଟି, କଲ୍ ଚାଲିଥିଲେ ପଇସା ଅଭାବ ନାହିଁ । ପ୍ରତିଦିନ ମାଗଣାରେ ଭଲ ଖାଇବା ପିଇବା ସବୁ ମିଳେ ଚନ୍ଦନକୁ । ଗୁଣ ଚିହ୍ନିଥିବା ଲୋକ ସମ୍ମାନ ବି ଦିଅନ୍ତି ।

କଲ୍ ସିଜିନ୍ ସରିଗଲେ ବହୁତ ଅସୁବିଧା । ସଂଚିଥିଲେ ଖାଇବ, ନହେଲେ ଉଧାରି କରି କରି ଜୀବନ ଯିବ ।

ଚନ୍ଦନ ମାନୁକୁ କହେ- ତା’ର ସାଙ୍ଗସବୁ ବହୁତ ଭଲଭଲ ଜାଗାରେ ଚାକିରି କରିଛନ୍ତି । ତପନ, ବିରେନ୍ଦ୍ର ବ୍ୟାଙ୍କରେ ମ୍ୟାନେଜର ଅଛନ୍ତି । ପପୁ ପୋଲିସରେ ଅଛି ! କିଏ ଅଧ୍ୟାପକ ହେଲାଣି । ସେମାନେ କୁଆଡ଼େ ଚନ୍ଦନକୁ ବହୁତ ଭଲପାନ୍ତି । ଯେତେବେଳେ ଚନ୍ଦନର ଦରକାର ହେବ, ଲକ୍ଷେ ଦୁଇଲକ୍ଷ ଏମିତି ମାଗିଲେ ଧାର ଦେଇଦେବେ ।

ମାନୁ କିନ୍ତୁ ତା’ କଥା କୁ ହସରେ ଉଡ଼େଇଦିଏ, ବିଶ୍ୱାସ କରେନି । କହେ “ଆମେ ଏତେ ବାକି ଧାର କରୁଛେ… ସେ ପାନଦୋକାନି ପାଖରୁ ସୁଧରେ ପଇସା ଆଣୁଛ । ଏତେ ସାଙ୍ଗ ଭିତରୁ କାହାପାଖରୁ କିଛି ପଇସା ଉଧାରି ଆଣି ସବୁ ଲୋନ୍ ସୁଝିଦେଲେ ହୁଅନ୍ତାନି ? ପରେ ସୁବିଧା ଦେଖି ସୁଝିଦିଅନ୍ତେ ।”

ଚନ୍ଦନ କିନ୍ତୁ କେବେ କୌଣସି ସାଙ୍ଗକୁ ପଇସା ଉଧାରି ମାଗେନାହିଁ । ନିଜ ଭିତରେ ସାଙ୍ଗମାନଙ୍କ ଉପରେ ଥିବା ତା’ର ବିଶ୍ୱାସ ହିଁ ତାର ଗର୍ବ ।

ଦିନେ ମାନୁ ଏକରକମ ବାଧ୍ୟ କଲା କୌଣସି ସାଙ୍ଗଠାରୁ ପଇସା ଉଧାର କରିବା ପାଇଁ । ଚନ୍ଦନର ଆଖିରେ ଆଖିଏ ଲୁହ । ମାନୁ ହାତରେ ହାତ ରଖି କହିଲା “ଏତିକି ହିଁ ମୋର ଗର୍ବ ଓ ବିଶ୍ୱାସ ଯେ ମୋ ସାଙ୍ଗମାନେ ମୋ ପାଇଁ କିଛି ବି କରିପାରିବେ । କିନ୍ତୁ ଯଦି ମୁଁ ପଇସା ମାଗିବି, ଆଉ ସେମାନେ ନଦିଅନ୍ତି, ତେବେ ଏତେ ଦିନଧରି ମୋ ବନ୍ଧୁତ୍ୱ ଉପରେ ଥିବା ମୋର ପ୍ରଗାଢ଼ ବିଶ୍ୱାସଟା, ଗର୍ବଟା ମାଟିରେ ମିଶିଯିବ । କେଇଟା ଟଂକା ପାଇଁ ମୁଁ ମୋ ଭିତରେ ଥିବା ଏତେ ଦିନର ବିଶ୍ୱାସକୁ ଭାଙ୍ଗିପାରିବିନି ।

……………………
ନୂଆପୁର, କଲ୍ୟାଣୀ, ବାଲେଶ୍ୱର
୯୪୩୯୯୮୭୬୭୫

Leave A Reply

Your email address will not be published.