Latest Odisha News

ଏଥର ଗରମ ହେଲେ ଅମିତ ଶାହ

ଭୁବନେଶ୍ୱର: ଲଗାତର ଗୋଟିଏ ପରେ ଗୋଟିଏ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନରମ ମନୋଭାବ ପୋଷଣ କରିବା ପରେ ଏଥର କିନ୍ତୁ ବିଜେଡି ସରକାର ଉପରେ ଗରମ ହୋଇଛନ୍ତି ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହ । ସିଧାସଳଖ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ । ନବୀନଙ୍କୁ ଟାର୍ଗେଟ୍ କରି କହିଛନ୍ତି ଏଥର ଓଡ଼ିଶାରେ ଓଡ଼ିଆ କହୁଥିବା ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ଆସନ ମିଳୁ । ମୋଦିଙ୍କ ନେତୃତ୍ୱରେ ବିଜେପି ହିଁ ଓଡ଼ିଶାରେ ସରକାର ଗଢ଼ୁ ବୋଲି ଆହ୍ୱାନ ଦେଇଛନ୍ତି ଶାହା ।
କଟକ ଜିଲ୍ଲା ସାଲେପୁରର କୁଳିଆ ଠାରେ ବିଜେପି କାର୍ଯ୍ୟକର୍ତ୍ତା ସମାବେଶରୁ ୨୦୧୯ ନିର୍ବାଚନ ପାଇଁ ଭୋଟ ଅପିଲ୍ କରିଛନ୍ତି ଶାହା । ଶାହା କହିଛନ୍ତି ୧୯ ବର୍ଷ ହେବ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ଶାସନ କରିଛି । କିନ୍ତୁ ଓଡ଼ିଶାର ବିକାଶ ହେଉ ନାହିଁ । ୨୦୧୯ରେ ନିର୍ବାଚନ । ଏଥର ବିଜେଡି ସରକାରକୁ ସମାପ୍ତ କରି ବିଜେପିକୁ ସୁଯୋଗ ଦିଅନ୍ତୁ ଓଡ଼ିଶାବାସୀ । ବିଜେପିକୁ ସୁଯୋଗ ଦେଲେ ପାଂଚବର୍ଷ ଭିତରେ ଓଡ଼ିଶାକୁ ଦେଶର ଏକ ନମ୍ବର ରାଜ୍ୟ ଭାବେ ପରିଗଣିତ କରାଯାଇପାରିବ ବୋଲି ଶାହା କହିଛନ୍ତି ।
ଆୟୁଷ୍ମାନ୍ ଯୋଜନାର ଲାଭ ଓଡ଼ିଶାବାସୀଙ୍କୁ ମିଳୁନାହିଁ । ଏହା ନବୀନ ପଟ୍ଟନାୟକ ସରକାର ଲାଗୁ କରାଇଦେଉ ନାହାନ୍ତି । ଆୟୁଷ୍ମାନ୍ ଯୋଜନା ଲାଗୁ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାଳେ ଅଧିକ ଲୋକପ୍ରିୟ ହୋଇଯିବେ ସେହି ଭୟରେ ନବୀନ ପଟ୍ଟନାୟକ ଏହି ଯୋଜନାକୁ ଲାଗୁ କରୁନାହାନ୍ତି ବୋଲି ଶାହା କହିଛନ୍ତି । ଶାହା ଆହୁରି ମଧ୍ୟ କହିଛନ୍ତି ପଞ୍ଚାୟତ ନିର୍ବାଚନର ପରେ ଏଥର ବିଧାନସଭା ନିର୍ବାଚନରେ ବିଜେପିର ବାଜମାତ ହେବ । ପରବର୍ତୀ ସରକାର ବିଜେପି ସରକାର ଗଢ଼ିବ ବୋଲି ଶାହା ଦମ୍ଭୋକ୍ତି କରିଛନ୍ତି ।

ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାରର ସୁରକ୍ଷା ପ୍ରସଙ୍ଗ ଉଠାଇ ନବୀନ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଶାହା । ସିଧାସଳଖ କହିଛନ୍ତି ରତ୍ନଭଣ୍ଡାରର ରକ୍ଷା କରିପାରୁ ନଥିବା ସରକାର ଓଡ଼ିଶାର ମଧ୍ୟ ସମୃଦ୍ଧି କରିପାରିବେ ନାହିଁ ।

ବିଜେଡି ଓ କଂଗ୍ରେସକୁ ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ ବୋଲି ଶାହା କହିବା ସହ ଜଣେ ଗଲେ ଆଉ ଜଣେ ଆସୁଛନ୍ତି, ଏମାନେ ଓଡ଼ିଶାର ବିକାଶ କରିପାରିବେ ନାହିଁ । ତେଣୁ ଏଥର ସୁଯୋଗ ମୋଦୀଙ୍କୁ ଦିଆଯାଉ ବୋଲି ଆହ୍ୱାନ ଦେଇଛନ୍ତି ଶାହା ।

ବଲାଙ୍ଗୀର, ଖୋର୍ଦ୍ଧା ଓ ବାରିପଦାରେ ତିନି ତିନୋଟି ସଭାରେ ବିଜେଡି ଓ ନବୀନଙ୍କ ପ୍ରତି ପ୍ରାୟ ନୀରବ ଥିଲେ ମୋଦି । ଏହା ରାଜ୍ୟ ବିଜେପିକୁ ନିରୁତ୍ସାହିତ କରୁଥିଲା । ବିଜେପି ଓ ବିଜେଡି ଭିତରିଆ ବୁଝାମଣା ନେଇ ଉଠିଥିଲା ଚର୍ଚ୍ଚା । ସେପଟେ ଗତ ୨୫ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ଆସି ବିଜେପି ଓ ବିଜେଡି ଉପରେ ବର୍ଷିଥିଲେ । ବିଜେଡି ଓ ବିଜେପି ସମ୍ପର୍କର ଦ୍ୱାହି ଦେଇ ନବୀନଙ୍କୁ ମୋଦିଙ୍କର ଜୁନିୟର ପାର୍ଟନର କହିବା ସହ ମୋଦିଙ୍କ ହାତରେ ନବୀନଙ୍କ ରିମୋର୍ଟ କଂଟ୍ରୋଲ୍ ଥିବା କହିଥିଲେ ରାହୁଲ ।

ରାହୁଲଙ୍କର ଏଭଳି ବିବାଦୀୟ ବୟାନ ପରେ ଶାହା ତାଙ୍କ ଭାଷଣରେ କ’ଣ କହୁଛନ୍ତି ତା’ ଉପରେ ଥିଲା ସମସ୍ତଙ୍କ ନଜର । ମାତ୍ର ବିଜେଡି ଉପରେ ବର୍ଷିଛନ୍ତି ଶାହା । ତେବେ ମୋଦି ନରମ, ଶାହା ଗରମ ଆଭିମୁଖ୍ୟ ବିଜେପିର ନୂଆ ରାଜନୀତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ।

Leave A Reply

Your email address will not be published.