Latest Odisha News

BREAKING NEWS

ବିଜେଡି-ବିଜେପି ମେଂଟ: କାହାର ଫାଇଦା ?

ଭୁବନେଶ୍ୱର: ମେଂଟ ଚର୍ଚ୍ଚାକୁ ନେଇ ଉଠୁଛି ପଡୁଛି ରାଜ୍ୟ ରାଜନୀତି । ରାଜ୍ୟରେ ଡବଲ୍ ଇଂଜିନରେ ଗଡିବ କି ବିଜେଡି-ବିଜେପି ସମଝୌତା ଏକ୍ସପ୍ରେସ୍ ? ନବୀନ ନିବାସରୁ ନୂଆଦିଲ୍ଲୀ ମାରାଥନ୍ ବୈଠକ । ମେଂଟ ପାଇଁ ରାଜନୈତିକ ପାଣିପାଗ କେତେ ଅନୁକୂଳ ? ସୋସିଆଲ୍ ମିଡିଆରେ ଟ୍ରେଣ୍ଡ କରୁଛି ଅନେକ ଆକଳନ, କଳ୍ପନାଜଳ୍ପନା । ତେବେ ପ୍ରଶ୍ନ ଉଠୁଛି, ଯଦି ବିଜେପି, ବିଜେଡି ମଧ୍ୟରେ ମେଂଟ ହୁଏ, କାହାର କେତେ ଫାଇଦା ?

ଦେଶ ରାଜନୈତିକ ସ୍ଥିତି ଦେଖିଲେ, ମୋଦିଙ୍କ ୪ଶହ ପ୍ଲସ୍ ଟାଗେଟ୍‌ର୍ ପାଇଁ ଓଡିଶା ହୋଇପାରେ ଗ୍ୟାରେଂଟି କାର୍ଡ । ଦେଶର କ୍ଷମତା ମାନଚିତ୍ରକୁ ଭଲ କରି ଦେଖନ୍ତୁ । ବିଜେପି ପାଇଁ ଦକ୍ଷିଣ ଦ୍ୱାର ବନ୍ଦ । କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକରେ କ୍ଷମତା ଗାଦିରେ ନାହିଁ ବିଜେପି । ମହାରାଷ୍ଟ୍ରରେ ଶିବସେନା, ଏନସିପି ଦୁଇଫାଳ ହେବା ପଛରେ ବିଜେପିର କନ୍‌ସ୍ପିରାସି ଥିଓରୀକୁ ଜନତାଙ୍କ ପାଖକୁ ନେଇ ଯିବେ ପାୱାର ଓ ଉଦ୍ଧବ । ତେଣୁ ସେଠୁ ବି ବିଶେଷ ଆଶା ନାହିଁ । ହିନ୍ଦୀ ହାର୍ଟଲ୍ୟାଣ୍ଡ ବିଜେପି ଜିତିଥିଲେ ବି ବିଧାନସଭା ନିର୍ବାଚନରେ ଭଲ ଭୋଟ୍ ପାଇଥିଲା କଂଗ୍ରେସ । ତେଣୁ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡରେ ବିଜେପି ଓ କଂଗ୍ରେସ ମଧ୍ୟରେ ହେବ କାଂଟେ କି ଟକ୍କର । ଗତଥର ଉତରରେ ଜବରଦସ୍ତ ସ୍କୋର କରିଥିଲା ବିଜେପି ।

ଏଥର ବି ସମାନ ମ୍ୟାଜିକ୍ ଦୋହରାଇବାକୁ ପଡିବ । ପଶ୍ଚିମବଙ୍ଗରେ ବିଶେଷ ଭଲ ପ୍ରଦର୍ଶନ ଆଶାରେ ନାହିଁ ବିଜେପି । କାରଣ ଦିଦିଙ୍କ ବିଜୟ ରଥ ରୋକିବାକୁ ନା ବିଜେପି ପାଖରେ ଚେହେରା ଅଛି ନା ମୋଦିଙ୍କ ସନ୍ଧି ରାଜିନାମାରେ ମୋହର ମାରିବେ ମମତା । ଏଭଳି ସ୍ଥିତିରେ ଓଡିଶା ହୋଇପାରେ ବିଜେପିର ସେଫ୍ ବେଟ୍ । ରାଜ୍ୟରେ ବିଜେଡି ସହ ମେଂଟ ହେଲେ ଓଡିଶାର ୨୧ରୁ ୨୧ ଲୋକସଭା ଆସନ ଏନଡିଏ ଖାତାକୁ ଯିବାର ସମ୍ଭାବନା ଉଜ୍ୱଳ । ଯାହା ଦକ୍ଷିଣ ଭାରତ କ୍ଷତିର ଭରଣା କରିପାରିବ ବୋଲି ଚର୍ଚା ହେଉଛି । ମେଂଟ ହେଲେ ବିଜେପିର ଡବଲ୍ ଇଂଜିନ ସରକାରର ସ୍ୱପ୍ନ ବି ପୂରଣ ହେବ ।

ବିଜେପି ସହ ମେଂଟ ବିଜେଡି ପାଇଁ ବି ଆଣିବ ୱିନ୍ ୱିନ୍ ସ୍ଥିତି । ଦୀର୍ଘ ବର୍ଷ ଧରି କ୍ଷମତାରେ ରହିବା ପରେ ଗ୍ରାଉଣ୍ଡରେ ବିଜେଡି ପାଇଁ ଆଂଟି ଇନକମ୍ବାନ୍ସି ବଢିଛି । ବିଜେଡି ବିରୋଧୀ ସ୍ୱର ବିରୋଧୀଙ୍କ ପାଇଁ ସଂଜୀବନୀ ସାବ୍ୟସ୍ତ ହୋଇପାରେ, ଏପରି ଚିନ୍ତା କେଉଁଠି ନା କେଉଁଠି ବିଜେଡିକୁ ଘାରୁଥିଲା । ହେଲେ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ସହ ମେଂଟ ହେଲେ ସେ ଚିନ୍ତା ବି ରହିବନି । କାରଣ ରାଜ୍ୟରେ କଂଗ୍ରେସର ସ୍ଥିତି ଭଲ ନାହିଁ । ନିର୍ବାଚନକୁ ଆଉ ମାତ୍ର ଅଳ୍ପ ଦିନ ଥିବାରୁ ମେଂଟର କାଟ୍ ଖୋଜିପାରିବନି କଂଗ୍ରେସ । ତେଣୁ ନବୀନଙ୍କ ନିରଙ୍କୁଶ ଶାସନ ଉପରେ ଆଂଚ ଆସିବାର ପ୍ରଶ୍ନ ହିଁ ରହିବନି ।

ଦ୍ୱିତୀୟରେ ବିଜେଡିରେ ଏବେ ମାଳ ମାଳ ନେତା । ୧୪୭ ବିଧାନସଭା ଓ ୨୧ଲୋକସଭା ଆସନରେ ପ୍ରତିଦ୍ୱନ୍ଦ୍ୱୀତା ପାଇଁ ହଜାରେରୁ ଅଧିକ ଜଣାଶୁଣା ଚେହେରା । ଗ୍ରାଉଣ୍ଡରେ ଆଶାୟୀ ସଂଗଠନ କାମ ନିଜ ନିଜ ଶୈଳୀରେ ଆରମ୍ଭ କରି ସାରିଲେଣି । ଟିକେଟ କାହାକୁ ମିଳିବ, କେବଳ ସେଇ ଘୋଷଣାକୁ ଅପେକ୍ଷା । ଏପରିକି କିଛି ନେତା ବିରୋଧୀ ବିଜେପି ସହ ବି ଯୋଗାଯୋଗରେ ଅଛନ୍ତି । ବିଜେଡିରୁ ଟିକେଟ୍ ନପାଇଲେ ବିଜେପିକୁ ଡେଇଁବେ । ହେଲେ ଏସବୁ ଅସନ୍ତୋଷ ଓ ଆଶଙ୍କାର ଉତର ମେଂଟ । ବିଜେପି ସହ ମେଂଟ ହେଲେ ଦଳ ଅଦଳବଦଳ ଚିନ୍ତା ବି ନାହିଁ । କାରଣ ଟିକେଟ୍ ନପାଇଲେ ବି ମନମାରି ବିଜେଡିରେ ରହିବାକୁ ବାଧ୍ୟ ହେବେ ନେତା ।

ବିଜେଡି ପାଖରେ ବି ଟିକେଟ ନଦେବାକୁ ମେଂଟ ବାହାନା ରହିବ । କିଛି ନେତା କଂଗ୍ରେସ ଆଡକୁ ଯାଇପାରନ୍ତି, ହେଲେ କଂଗ୍ରେସର ହୋମୱାର୍କ ଦୁର୍ବଳ । ତେଣୁ ବିଶେଷ ଫରକ ପଡିନପାରେ । ତୃତୀୟରେ ୨୦୦୯ରେ ଯାହା ନବୀନଙ୍କ ବଡି ଲାଙ୍ଗୁଏଜ୍ ଥିଲା ଏବେ ତାହା ବଦଳିଛି । ବିଜେପି ବିରୋଧରେ ଯୁଦ୍ଧଂ ଦେହୀ ଡାକରା ଦେବା ମୁଡରେ ନାହାନ୍ତି ନବୀନ । ଯେମିତି ବି ହେଉ ସିଏମ୍ ସିଟ୍ ଦଖଲ ଲକ୍ଷ୍ୟରେ ରହିଛି ବିଜେଡିା ଏହାସହ ଦଳର କିଛି ହେଭିୱେଟ୍ ନେତାଙ୍କର ଜାତୀୟ ରାଜନୀତିରେ ପରାକ୍ରମ ବିସ୍ତାର ସ୍ୱପ୍ନ ବି ରହିଛି । କେନ୍ଦ୍ରରେ ମନ୍ତ୍ରୀପଦ ବି ମିଳିପାରେ । ତେଣୁ ବିଜେଡି-ବିଜେପି ସମଝୌତା ହେବା ଏକପ୍ରକାର ନିଶ୍ଚିତ ବୋଲି ରାଜ୍ୟ ପାୱାର କରିଡରରେ ଚର୍ଚା ହେଉଛି ।

Leave A Reply

Your email address will not be published.