Latest Odisha News

ଝାରସୁଗୁଡା ଲଢେଇ, ବହୁ ଆଗରେ ବିଜେଡି !

ଭୁବନେଶ୍ୱର: ଝାରସୁଗୁଡା ଉପନିର୍ବାଚନ ରେସରେ ବହୁ ଆଗରେ ବିଜେଡି। ରାଜ୍ୟରେ ସବୁଠୁ ଶକ୍ତିଶାଳୀ ଦଳ ବିଜେଡି ଆଗୁଆ ପ୍ରାର୍ଥୀ ଘୋଷଣା କରିବା ସହ ଉପନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକଙ୍କୁ ମଧ୍ୟ ନିଯୁକ୍ତି ଦେଇଛି। ଦଳର ୩ ଜଣ ବରିଷ୍ଠ ନେତାଙ୍କୁ ଝାରସୁଗୁଡା ଉପନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦିଆଯାଇଛି।

ଖାଲି ସେତିକି ନୁହେଁ ଦଳ ଆଗୁଆ ପ୍ରଚାର କାର୍ଯ୍ୟ ମଧ୍ୟ ସାରି ଦେଉଥିବା କୁହାଯାଉଛି। ନବ ଦାସଙ୍କ ହତ୍ୟା ପରେ ପ୍ରାର୍ଥୀ ଘୋଷଣା ହେବାର ବହୁ ପୂର୍ବରୁ ଦୀପାଳି ବିଭିନ୍ନ ମାଧ୍ୟମରେ ପ୍ରଚାର କରି ଆସୁଛନ୍ତି ବୋଲି କୁହାଯାଉଛି। ଏବେ ଦୀପାଳିଙ୍କୁ ଦଳ ପ୍ରାର୍ଥୀ କରିବା ସହ ପର୍ଯ୍ୟବେକ୍ଷକ ନିଯୁକ୍ତି ଦେଇ ଅଧା କାମ ସାରିଦେଲାଣି।

କିନ୍ତୁ ଏ ଯାଏ ବିଜେପି କଂଗ୍ରେସର ପ୍ରାର୍ଥୀ କିଏ ହେବ ସେ ନେଇ ସ୍ପଷ୍ଟତା ନାହିଁ। ଯାହାକୁ ନେଇ ରାଜନୈତିକ ଚର୍ଚା ଜୋର ଧରିଛି। କଂଗ୍ରେସରୁ ପ୍ରାର୍ଥୀ ଦୌଡ଼ରେ ପୂର୍ବତନ ବିଧାୟକ ବିରେନ ପାଣ୍ଡେଙ୍କ ପୁଅ ତରୁଣ ପାଣ୍ଡେଙ୍କ ସହିତ ୨୦୧୯ ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ହୋଇଥିବା ମହେନ୍ଦ୍ର ନାୟକ ରହିଥିବା କୁହାଯାଉଛି। ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ସଭାପତି ଅଶୋକ ମିଶ୍ର ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ଅମିତା ବିଶ୍ୱାଳ ମଧ୍ୟ ଝାରସୁଗୁଡା ଉପନିର୍ବାଚନରେ କଂଗ୍ରେସ ଟିକେଟ ପାଇବା ନେଇ ଚର୍ଚ୍ଚା ହେଉଛି।

ଝାରସୁଗୁଡା ଯାଇ କର୍ମୀମାନଙ୍କ ସହ ଆଲୋଚନା କରି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଅଧ୍ୟକ୍ଷତାରେ ଗଠିତ ପର୍ଯ୍ୟବେକ୍ଷକ ଟିମ ରିପୋର୍ଟ ପ୍ରସ୍ତୁତ କରିଥିବା ବେଳେ ପିସିସିକୁ ପ୍ରଦାନ କରିବେ। ସେପଟେ ବିଜେପି ଦିନେଶ ଜୈନ କିମ୍ବା ଟଙ୍କଧର ତ୍ରିପାଠୀ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ସ୍ପଷ୍ଟ ହୋଇନାହିଁ।

ଏପରିକି ଦୀପାଳି ମହିଳା ହୋଇଥିବାରୁ କଂଗ୍ରେସରେ ଅମିତାଙ୍କ ନାଁ ଅଧିକ ଚର୍ଚ୍ଚା ହେଉଛି। ସେପଟେ ବିଜେପି ଜଣେ ମହିଳାଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚା ହେଉଛି। ରାଜନୈତିକ ଗଣିତକୁ ଦେଖିଲେ ଝାରସୁଗୁଡ଼ାରେ ବିଜେଡିର ପଲ୍ଲା ଭାରି ଥିବା କୁହାଯାଉଛି।

ପୂର୍ବ ବିଧାନସଭା ନିର୍ବାଚନରେ ବିଜେଡିର ନବ ଦାସ ବିଜୟୀ ହୋଇଥିବା ବେଳେ ଉଭୟ ପଞ୍ଚାୟତ ଓ ପୌର ନିର୍ବାଚନରେ ମଧ୍ୟ ବିଜେଡି ବାଜିମାତ କରିଥିଲା। ୫ଟି ଜିଲ୍ଲା ପରିଷଦରୁ ୫ ଟି ବିଜେଡି ଜିତିଥିଲା। ସେହିପରି ଝାରସୁଗୁଡ଼ା ମ୍ୟୁନିସିପାଲିଟିରେ ୨୪ଟି ୱାର୍ଡରୁ ୨୧ଟି ଆସନ ବିଜେଡି ପାଇଥିଲା ବେଳେ ବିଜେପିକୁ ମିଳିଥିଲା ମାତ୍ର ୩ଟି ଆସନ।

ଏପରିକି ୨୦୧୯ ମସିହାରୁ ଏ ଯାଏ ହୋଇଥିବା ଉପନିର୍ବାଚନ ଗୁଡିକ ମଧ୍ୟରୁ ବିଜେଡି ୬ ଟି ଜିତିଥିବା ବେଳେ ଧାମନଗରରେ ଏକମାତ୍ର ଉପନିର୍ବାଚନ ଜିିତିଛି ବିଜେପି। ତାହା ପୁଣି ରାଜୁ ଦାସଙ୍କ ପାଇଁ ବୋଲି ଚର୍ଚ୍ଚା ହେଉଛି। ତେଣୁ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ କେଉଁ ଆଧାରରେ କାହାକୁ ପ୍ରାର୍ଥୀ କରିବେ ଓ ବିଜେଡିକୁ କେମିତି ସମ୍ମୁଖୀନ ହେବେ ତାକୁ ନେଇ ଏବେ ଜୋରଦାର ଚର୍ଚ୍ଚା।

Leave A Reply

Your email address will not be published.