Latest Odisha News

BREAKING NEWS

ସମସ୍ତେ ଏବେ ନବୀନ ଓଡ଼ିଶାର ସାରଥୀ !

ଭୁବନେଶ୍ୱର: ଦେଶର ସାଧାରଣ ନିର୍ବାଚନ ଓ ଓଡ଼ିଶାର ବିଧାନସଭା ନିର୍ବାଚନକୁ ଆଉ ମାତ୍ର ମାସ କେଇଟା ବାକି ଅଛି। କିନ୍ତୁ ତା ପୂର୍ବରୁ ଓଡ଼ିଶାରେ ନିର୍ବାଚନ ବାତାବରଣ ସରଗରମ ହେବା ଆରମ୍ଭ ହେଲାଣି।

ବିଜେଡି ଠାରୁ ଆରମ୍ଭ କରି ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସ ନିଜ ନିଜର ରାଜନୈତିକ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରୁଛନ୍ତି। ଅବଶ୍ୟ ଡିସେମ୍ବର ତିନି ତାରିଖରେ ଦେଶର ପାଞ୍ଚୋଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଉପରେ ବହୁ କିଛି ନିର୍ଭର କରୁଛି।

କିନ୍ତୁ ଓଡ଼ିଶାରେ ଶାସକ ଦଳ ବିଜେଡି ସରକାରୀ ସ୍କିମ ଘୋଷଣାଠୁ ଆରମ୍ଭ କରି ସଂଗଠନକୁ ନୂଆ ରୂପ ଦେବାରେ ଲାଗିପଡିଛି। ଖାଲି ସେତିକି ନୁହେଁ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବ୍ରାଣ୍ଡିଂ କରି ଦଳ ସପକ୍ଷରେ ବଡ଼ ମାହୋଲ ତିଆରି କରାଯାଉଥିବା ଦେଖିବାକୁ ମିଳୁଛି।

ନବୀନ ଓଡିଶା ନାଁରେ ବ୍ୟାପକ ପ୍ରଚାର ପ୍ରସାର କରୁଛି ଦଳ। ଏହି କ୍ରମରେ ବିଜେଡି ପକ୍ଷରୁ ଆଉ ଏକ ବଡ଼ କ୍ୟାମ୍ପେନ ଆରମ୍ଭ ହୋଇଛି। ସାମାଜିକ ଗଣମାଧ୍ୟମରେ ଏହାର ପ୍ରତିଫଳନ ଦେଖିବାକୁ ମିଳୁଛି।

ନବୀନଙ୍କ ଫଟୋ ଓ ଶଙ୍ଖ ଚିହ୍ନ ଥିବା ଏକ ପୋଷ୍ଟରରେ ମୁଁ ବି ହେବି ନବୀନ ଓଡ଼ିଶାର ସାରଥୀ ଲେଖାଯାଇଛି। ଯେଉଁଥିରେ ବିଜୁ ପଟ୍ଟନାୟକଙ୍କର ଏକ ଫଟୋ ମଧ୍ୟ ରହିଛି। ଯାହାକୁ ବିଜେଡିର ନେତା, କର୍ମୀ ଓ କାର୍ଯ୍ୟକର୍ତା ବିଭିନ୍ନ ସାମାଜିକ ଗଣମାଧ୍ୟମରେ ସେୟାର କରୁଛନ୍ତି। ଯାହାକୁ ନେଇ ଆଲୋଚନା ଜୋର ଧରିଛି।

ନିର୍ବାଚନ ଅବସରରେ ଦେଶର ବିଭିନ୍ନ ରାଜ୍ୟର ପ୍ରମୁଖ ରାଜନୈତିକ ଦଳଗୁଡିକ ସ୍ବତନ୍ତ୍ର ନାରାକୁ ନେଇ ମାହୋଲ ତିଆରି କରୁଛନ୍ତି । ସେହି ଢଙ୍ଗରେ ଓଡିଶାରେ ବିଜେଡି ଏଭଳି କ୍ୟାମ୍ପେନ ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି ।

ବିଜେଡି ପକ୍ଷରୁ ଏହା ଏକ ବଡ଼ କ୍ୟାମ୍ପେନ ବୋଲି କୁହାଯାଉଛି। ଲଗାତର ଷଷ୍ଠ ଥର ପାଇଁ କ୍ଷମତାକୁ ଆସିବାକୁ ସବୁ ଶକ୍ତି ଖଟାଇଦେଇଥିବା ଶାସକ ଦଳ ବିଜେଡି ନବୀନଙ୍କ ଚେହେରାକୁ ସର୍ବାଧିକ ଗୁରୁତ୍ୱ ଦେଇ ଆଗକୁ ବଢୁଛି।

ସେପଟେ ରାଜ୍ୟବ୍ୟାପୀ ଏବେ ବି ନବୀନଙ୍କ ଲୋକପ୍ରିୟତା ସବୁଠୁ ଅଧିକ ରହିଥିବା ଦେଖାଯାଉଛି। ତେଣୁ ନବୀନଙ୍କ ବ୍ରାଣ୍ଡକୁ ଆଗକୁ ନେଇ ଦଳ ବ୍ୟାପକ ପ୍ରଚାର ପ୍ରସାର ଆରମ୍ଭ କରିଛି। ଯାହାକି ନିର୍ବାଚନରେ ଅଧିକ ସଂଖ୍ୟକ ଲୋକଙ୍କୁ ଦଳ ସହ ଯୋଡିବାକୁ ସହାୟକ ହେବ ବୋଲି ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.