Latest Odisha News

BREAKING NEWS

‘କେନ୍ଦ୍ରାପଡା’ ଏଥର ବିଜେଡିରୁ ଗୀତାଞ୍ଜଳି ନା ରାଜେଶ ?

ଭୁବନେଶ୍ୱର: ଆଗାମୀ ନିର୍ବାଚନରେ କେନ୍ଦ୍ରାପଡାରେ ବିଜେଡିରୁ କିଏ ହେବ ପ୍ରାର୍ଥୀ ?ଶଶୀଭୂଷଣଙ୍କ ଜାଗା କିଏ ନେବ। ଏହାକୁ ନେଇ ଏବେ କେନ୍ଦ୍ରାପଡା ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା। ଗତ ସାଧାରଣ ନିର୍ବାଚନରେ ଶଶୀଭୂଷଣ ବେହେରା କେନ୍ଦ୍ରାପଡା ବିଧାନସଭା କ୍ଷେତ୍ରରେ ପ୍ରାର୍ଥୀ ହେବା ପରେ ଜିଲ୍ଲାର ଦଳୀୟ ନେତା ଓ କର୍ମୀଙ୍କୁ ଝଟକା ଲାଗିଥିବା ଚର୍ଚ୍ଚା ହୋଇଥିଲା। ଏପରିକି ବହୁ ଟିକେଟ ଆଶାୟୀ ସେତେବେଳେ ଶଶୀଙ୍କୁ ବିରୋଧ ବି କରିଥିଲେ।

ଏବେ ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ଏଥର ଶଶୀଭୂଷଣ ବେହେରାଙ୍କୁ କେନ୍ଦ୍ରାପଡାରୁ ପ୍ରାର୍ଥୀ କରାଯିବ ନାହିଁ ବୋଲି ଆଲୋଚନା ହେଉଛି। ଅନୁସୂଚିତ ଜାତି ବର୍ଗ ପାଇଁ ଏହି ଆସନ ସଂରକ୍ଷିତ ଥିବାରୁ ଶଶୀଙ୍କ ସ୍ଥାନରେ କେନ୍ଦ୍ରାପଡା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗୀତାଞ୍ଜଳି ସେଠୀଙ୍କୁ ବିଜେଡି ପ୍ରାର୍ଥୀ କରିବ ବୋଲି କୁହାଯାଉଛି।

ଏପରିକି କେନ୍ଦ୍ରାପଡାର ଯୁବ ନେତା ରାଜେଶ ଦାସଙ୍କ ପ୍ରାର୍ଥୀତ୍ବକୁ ନେଇ ମଧ୍ୟ ଆଲୋଚନା ହେଉଛି। କିନ୍ତୁ କେନ୍ଦ୍ରାପଡା ବିଧାନସଭା କ୍ଷେତ୍ର ପାଇଁ ବହୁ ଦାବିଦାର ରହିଛନ୍ତି। ପୂର୍ବତନ ବିଧାୟକ କିଶୋର ତରାଇ, ସିପ୍ରା ମଲ୍ଲିକ ପ୍ରମୁଖ ରହିଛନ୍ତି।

୨୦୧୪ ରେ କେନ୍ଦ୍ରାପଡାରୁ କିଶୋର ତରାଇ ବିଜେଡିରୁ ଜିତିଥିବା ବେଳେ ୨୦୦୯ ରେ ସିପ୍ରା ମଲ୍ଲିକ ନିର୍ବାଚିତ ହୋଇଥିଲେ। ୨୦୧୪ ନିର୍ବାଚନରେ କିଶୋର ତରାଇ କଂଗ୍ରେସ ପ୍ରାର୍ଥୀ ଗଣେଶ୍ୱର ବେହେରାଙ୍କୁ ୫ ହଜାର ୪୩୧ ଖଣ୍ଡ ଭୋଟରେ ହରାଇଥିଲେ। ବିଜେପିର ସୁନାକର ବେହେରା ମାତ୍ର ୯ ହଜାର ୯୮୧ ଖଣ୍ଡ ଭୋଟ ପାଇଥିଲେ।

ସେହିପରି ୨୦୦୯ ମସିହାରେ କଂଗ୍ରେସର ଗଣେଶ୍ୱର ବେହେରାଙ୍କୁ ବିଜେଡିର ସିପ୍ରା ମଲ୍ଲିକ ୧୫ ହଜାର ୯୩୧ ଖଣ୍ଡ ଭୋଟରେ ହରାଇଥିଲେ। ୨୦୧୯ ରେ ବିଜେଡିର ଶଶୀଭୂଷଣ ବେହେରା ୬ ହଜାର ୩୨୦ ଖଣ୍ଡ ଭୋଟରେ କଂଗ୍ରେସର ଗଣେଶ୍ୱର ବେହେରାଙ୍କୁ ହରାଇଥିଲେ। ତେଣୁ ଲଗାତର ଭାବେ କଂଗ୍ରେସର ବରିଷ୍ଠ ନେତା ଗଣେଶ୍ୱର ବେହେରା କମ ବ୍ୟବଧାନରେ ହାରୁଛନ୍ତି।

ତେଣୁ ଜଣେ ନୂଆ ପ୍ରାର୍ଥୀଙ୍କ ସପକ୍ଷରେ ଚର୍ଚ୍ଚା ହେଉଥିଲେ ମଧ୍ୟ ଏଥର ବି କଂଗ୍ରେସ ଗଣେଶ୍ୱରଙ୍କୁ ପୁଣିଥରେ ପ୍ରାର୍ଥୀ କରିବ ବୋଲି କୁହାଯାଉଛି। ପୂର୍ବରୁ ଗଣେଶ୍ୱର ବିଜେଡିକୁ ଯିବା ନେଇ ଚର୍ଚ୍ଚା ହେଉଥିଲା। ଏବେ କିନ୍ତୁ ସେଭଳି ଚର୍ଚ୍ଚା ହେଉନି। ତେଣୁ ସେ ପୁଣିଥରେ ଆଗାମୀ ସାଧାରଣ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହେବେ ବୋଲି କୁହାଯାଉଛି।

ବିଜେଡି ୨୦୧୯ ରେ ପୂର୍ବତନ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କୁ ଭରସା କରିଥିବା ବେଳେ ଜିଲ୍ଲାରେ ତାଙ୍କୁ ବିଭିନ୍ନ ସମୟରେ ବିରୋଧର ଶିକାର ହେବାକୁ ପଡିଥିଲା। ଏପରିକି ଶଶୀଙ୍କ ପୁଅ ରାଜନୈତିକ କ୍ଷେତ୍ରରେ ଅଧିକ ସକ୍ରିୟ ହେବାରୁ ଜିଲ୍ଲାର ଦଳୀୟ ନେତା ଓ କର୍ମୀ ଅସନ୍ତୁଷ୍ଟ ଥିବା କୁହାଯାଏ। ବ୍ଲକ ଅଧ୍ୟକ୍ଷ ନିର୍ବାଚନଠୁ ଆରମ୍ଭ କରି ଅନ୍ୟ କିଛି ନିର୍ବାଚନରେ ଶଶୀଙ୍କ ବିରୋଧରେ ବିଜେଡିର ଅନ୍ୟ ଗୋଷ୍ଠୀ ଲାଗିବା ଦେଖିବାକୁ ମିଳିଛି।

ତେଣୁ ଆଗାମୀ ସାଧାରଣ ନିର୍ବାଚନରେ ବିଜେଡି ଆଉ ରିସ୍କ ନେବାକୁ ଚାହୁଁ ନ ଥିବା କୁହାଯାଉଛି। ଦଳର ବହୁ ଦାବିଦାର ଥିବାବେଳେ ଦଳ ପକ୍ଷରୁ ଏକ ନୂଆ ଚେହେରା ଉପରେ ନେତୃତ୍ୱ ଭରସା କରିପାରେ ବୋଲି ଚର୍ଚ୍ଚା ହେଉଛି। ବିଭିନ୍ନ ଦୃଷ୍ଟିକୋଣରୁ ଗୁରୁତ୍ୱ ବହନ କରୁଥିବା କେନ୍ଦ୍ରାପଡା ଜିଲ୍ଲାର ହେଡକ୍ୱାଟର ସିଟକୁ ପାଖରେ ରଖିବା ପାଇଁ ଦଳ ସ୍ୱତନ୍ତ୍ର ରଣନୀତି ଆପଣାଉଥିବା ସାଧାରଣରେ ଆଲୋଚନା ହେଉଛି।

Leave A Reply

Your email address will not be published.