Latest Odisha News

BREAKING NEWS

ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବୃଦ୍ଧି ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ବିଜେଡି ସାଂସଦ ସସ୍ମିତ ପାତ୍ର

ନୂଆଦିଲ୍ଲୀ: ଅଙ୍ଗନବାଡ଼ି କର୍ମୀ ଏବଂ ସହାୟିକାଙ୍କ ପାରିଶ୍ରମିକ ବୃଦ୍ଧି କରିବାକୁ ଦାବି କରିଛି ବିଜୁ ଜନତା ଦଳ। ଦଳର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀଙ୍କୁ ଏକ ଚିଠି ଲେଖିଛନ୍ତି। ସକ୍ଷମ ଅଙ୍ଗନବାଡ଼ି ଏବଂ ପୋଷଣ ଅଭିଯାନ ଅଧୀନରେ କାମ କରୁଥିବା ଅଙ୍ଗନବାଡ଼ି କର୍ମୀ ମିନି ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ଭତ୍ତା ବଢ଼ାଇବାକୁ ସେ ଏହି ଚିଠି ମାଧ୍ୟମରେ ଦାବି କରିଛନ୍ତି।

କେନ୍ଦ୍ର ମନ୍ତ୍ରୀଙ୍କୁ ଦେଇଥିବା ଚିଠିରେ ସାଂସଦ ଦର୍ଶାଇଛନ୍ତି ଯେ ୨୦୧୮ ମସିହାରେ ଶେଷ ଥର ପାଇଁ ଏହି କର୍ମୀମାନଙ୍କ ଦରମା ବୃଦ୍ଧି କରାଯାଇଥିଲା। ଏହା ମଧ୍ୟରେ ପ୍ରାୟ ଆଠ ବର୍ଷ ବିତିଯାଇଛି। ଦରଦାମ୍ ଢେର ବଢ଼ିଯାଇଥିବା ବେଳେ ଅଙ୍ଗନବାଡ଼ି କର୍ମୀଙ୍କ କାମର ବୋଝ ମଧ୍ୟ ଅନେକ ଗୁଣା ବୃଦ୍ଧି ପାଇଛି।

ଆଜିକାଲି ଅଙ୍ଗନବାଡ଼ି କର୍ମୀମାନେ ଅନେକ ଗୁରୁତ୍ୱପୂର୍ଣ୍ଣ କାମ କରୁଛନ୍ତି। ପୋଷଣ ଆପ୍ ପରିଚାଳନା ଡିଜିଟାଲ୍ ରିପୋର୍ଟିଂ ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ଟ୍ରାକିଂ ଏବଂ ଲୋକଙ୍କୁ ସଚେତନ କରିବା ଭଳି ଅନେକ ନୂଆ ଦାୟିତ୍ୱ ସେମାନଙ୍କ ଉପରେ ରହିଛି। ଶିଶୁ ଓ ମାତୃ ସ୍ୱାସ୍ଥ୍ୟ ବିକାଶ କ୍ଷେତ୍ରରେ ସେମାନେ ମେରୁଦଣ୍ଡ ଭଳି କାମ କରୁଛନ୍ତି ବୋଲି ସସ୍ମିତ ପାତ୍ର କହିଛନ୍ତି।

ଓଡ଼ିଶା ପ୍ରସଙ୍ଗ ଉଠାଇ ସେ କହିଛନ୍ତି ଯେ ଉପକୂଳବର୍ତ୍ତୀ ଆଦିବାସୀ ଅଧ୍ୟୁଷିତ ତଥା ଦୁର୍ଗମ ଅଞ୍ଚଳରେ ଅଙ୍ଗନବାଡି କର୍ମୀମାନେ ଢେର କାମ କରୁଛନ୍ତି। ତେଣୁ ସେହିଭଳି କଷ୍ଟକର ଅଞ୍ଚଳରେ ଲୋକଙ୍କ ପାଖରେ ସେବା ପହଞ୍ଚାଉଥିବା କର୍ମୀଙ୍କ ପାଇଁ ସ୍ୱତନ୍ତ୍ର ପ୍ରୋତ୍ସାହନ ରାଶିର ବ୍ୟବସ୍ଥା କରାଯିବା ଉଚିତ।

ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର ବ୍ୟବସ୍ଥା ଗଠନ କରି କର୍ମୀଙ୍କ ଦରମା ବୃଦ୍ଧିର ସମୀକ୍ଷା କରନ୍ତୁ ବୋଲି ବିଜେଡି ସାଂସଦ ଦାବି କରିଛନ୍ତି। ଭବିଷ୍ୟତରେ ମଧ୍ୟ ଠିକ୍ ସମୟରେ ଯେପରି ଏହି ଦରମା ବୃଦ୍ଧି ହୋଇପାରିବ ସେଥିପାଇଁ ଏକ ସ୍ଥାୟୀ ବ୍ୟବସ୍ଥା ଆଣିବାକୁ ସେ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.