Latest Odisha News

BREAKING NEWS

ଚାଉଳ କାଟକୁ ନେଇ ତାତିଲା ବିଜେଡି; ରାଜରାସ୍ତାରେ ଗର୍ଜିଲା

ଭୁବନେଶ୍ୱର: ରାଜରାସ୍ତାରେ ଗର୍ଜୁଛି ବିଜେଡି ।  କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜୁଛି । ଆଜି ରାଜଭବନ ସମ୍ମୁଖରେ ଧାରଣା ଦେବା ସହ ରାଜ୍ୟବ୍ୟାପୀ ତିନି ଦିନିଆ ପ୍ରତିବାଦ କରିବା ପାଇଁ ଘୋଷଣା କରିଛି ଦଳ ।

କେନ୍ଦ୍ରର ଧାନ କିଣା ନୀତି ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ବନ୍ଦ କରିବା ଘଟଣାର ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛି ବିଜେଡି  । ବିଜେଡି ଅଭିଯୋଗ କରିଛି, ଚଳିତବର୍ଷ କେନ୍ଦ୍ର ସରକାର ବଜେଟରେ ଧାନ ସଂଗ୍ରହ ବାବଦରେ ୨୦ହଜାର କୋଟି ଟଙ୍କା ହ୍ରାସ କରିଛନ୍ତି । ପୂର୍ବରୁ ଓଡ଼ିଶାରୁ ୧୮ଲକ୍ଷ ମେଟ୍ରିକ ଟନ ଚାଉଳ ଉଠୁଥିଲା ବେଳେ ଏବେ ମାତ୍ର ୪ଲକ୍ଷ ମେଟ୍ରିକ ଟନ ଚାଉଳ ଉଠାଇବାକୁ କେନ୍ଦ୍ର ଧାର୍ଯ୍ୟ କରିଛି ।

ବିଜେଡି କହିଛି, କେବଳ ବରଗଡ଼ ଜିଲ୍ଲାରୁ ୪ଲକ୍ଷ ମେଟ୍ରିକ ଟନ ଧାନ ଉତ୍ପାଦନ ହୋଇଥାଏ । ତେଣୁ ବରଗଡ ଜିଲ୍ଲାରୁ ଯଦି ଲକ୍ଷ୍ୟ ପୂରଣ ହୋଇଯିବ ତେବେ   ବାକି ୨୯ଜିଲ୍ଲାର ଚାଷୀଙ୍କ ଧାନ କିଏ ନେବ ? କ’ଣ ହେବ ସେଇ ଚାଷୀଙ୍କ ଭାଗ୍ୟ ? ସେତିକି ନୁହେଁ, ଲକ୍ଷ୍ୟ ଧାର୍ଯ୍ୟ କମାଇବା ସହ  ଉଷୁନା ଚାଉଳ ଉଠାଣ ପରିମାଣ କମାଇଛନ୍ତି କେନ୍ଦ୍ର ସରକାର ।

ବିଜେଡି ଆହୁରି ଅଭିଯୋଗ କରିଛି, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୫କେଜି ଚାଉଳ କାଟି ଦେଇଛନ୍ତି କେନ୍ଦ୍ର ସରକାର । କରୋନା ପ୍ରଭାବର ଅନେକ ଗରିବଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଛି । ଏପରି ସ୍ଥିତିରେ ଚାଉଳ କାଟିଦେବାଟା କେତେଦୂର ଠିକ ହେଲା ବୋଲି ପ୍ରଶ୍ନ କରିଛି ବିଜେଡି ।

ଏସବୁ ଅଭିଯୋଗକୁ ନେଇ ବିଜେଡି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିବ । ଏଥିସହିତ ୧୫ତାରିଖରେ ପ୍ରତି ପଞ୍ଚାୟତ ହେଡକ୍ବାର୍ଟରରେ ଆନ୍ଦୋଳନ ଏବଂ ୧୬ତାରିଖରେ ବ୍ଲକ ଓ ଜିଲ୍ଲାପାଳ ଅଫିସଙ୍କ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବ ଦଳ ।

Leave A Reply

Your email address will not be published.