Latest Odisha News

BREAKING NEWS

ପୁସ୍ତକ ପରିଚୟ : ଅନୁଶ୍ରବ

ଅନୁଶ୍ରବ : ଇଶ୍ଵରଙ୍କ ସନ୍ଧାନରେ ମଣିଷ ପାଲଟି ଯାଇଥିବା ଏକ ଅବୋଧ ବ୍ୟକ୍ତିର ଦୃଶ୍ୟମାନ କାହାଣୀ

ଉପନ୍ୟାସ : ଅନୁଶ୍ରବ
ଔପନ୍ୟାସିକ : ପ୍ରଶାନ୍ତ ନନ୍ଦ
ପ୍ରକାଶକ ‐ ପକ୍ଷୀଘର
ଭୁନେଶ୍ୱର

ଉପନ୍ୟାସ କହିଲେ ଅନେକ ଚରିତ୍ରକୁ ନେଇ ସୃଷ୍ଟି ହୋଇଥିବା ଏକ ଲମ୍ବା କାହାଣୀର ପରିକଳ୍ପନା ମନକୁ ଆସେ। ପ୍ରତ୍ୟେକ ଚରିତ୍ରକୁ ନ୍ୟାୟ ଦେଇ କାହାଣୀର ଗତିଶୀଳତା ସହ ଚଳପ୍ରଚଳ କରେଇବାକୁ ହୁଏ। ଉପନ୍ୟାସର ପୃଷ୍ଠଭୂମି ସହ ଚରିତ୍ର ଚିତ୍ରଣ ବାନ୍ଧି ରଖେ ପାଠକଙ୍କୁ । ହେଲେ ଔପନ୍ୟାସିକ ପ୍ରଶାନ୍ତ ନନ୍ଦଙ୍କର ଉପନ୍ୟାସ ‘ଅନୁଶ୍ରବ’ କିଛି ଭିନ୍ନ କଥା କହେ।  ଗୋଟିଏ ମାତ୍ର ଚରିତ୍ରର ଜୀବନକାଳକୁ ନେଇ ରଚିତ ଏହି ଉପନ୍ୟାସଟି ପାଠକ ମନରେ କୌତୁହଳ ସୃଷ୍ଟି କରିବା ସହ କାହାଣୀର ପ୍ରତିଟି ଦୃଶ୍ୟ ସହ ଏକାତ୍ମ କରାଇବାରେ ସକ୍ଷମ ହୁଏ ।

‘ଅନୁଶ୍ରବ’ ଶବ୍ଦର ଅର୍ଥ ହେଉଛି ଜ୍ଞାନ, ଯାହା ଶ୍ରବଣ ମାଧ୍ୟମରେ ଆହରଣ କରାଯାଏ ବା ଶୁଣି ଶୁଣି ଆମେ ଯେଉଁ ଜ୍ଞାନ ପ୍ରାପ୍ତ କରୁ ତାକୁ ‘ଅନୁଶ୍ରବ’ କୁହାଯାଏ।

ଔପନ୍ୟାସିକ ଶ୍ରୀ ନନ୍ଦଙ୍କ ‘ଅନୁଶ୍ରବ’ ଏକ ଅଖ୍ୟାତ ପଲ୍ଲୀର ଅନାଥ ପିଲାଟିଏର କାହାଣୀ ; ଯିଏ ହେତୁ ପାଇଲା ଦିନରୁ ଭଗବାନଙ୍କୁ ଖୋଜୁଛି। ଯାହାକୁ ଦେଖୁଛି ତାକୁ ଭଗବାନଙ୍କ ଠିକଣା ପଚାରୁଛି। କିନ୍ତୁ ପାଉ ନାହିଁ।  ସେ ଅପେକ୍ଷା କରୁଛି ବଡ଼ ହେବା ପାଇଁ। ବୟସ ବଢ଼ିବା ସହିତ ଭଗବାନଙ୍କୁ ଖୋଜିବାର ଇଚ୍ଛାଟି ତାର ଆହୁରି ବଢ଼ି ବଢ଼ି ଯାଉଛି।  କିନ୍ତୁ ତା ବଳୟ ଭିତରକୁ ପଶି ଆସୁଥିବା ଚରିତ୍ରମାନେ ତାକୁ ତା’ର ଲକ୍ଷ୍ୟ ପଥରୁ ବିଚ୍ୟୁତ କରିଦେଉଛନ୍ତି। ଭଗବାନଙ୍କୁ ଖୋଜିବାର ଇଚ୍ଛା ବଳବତ୍ତର ହେଲା ବେଳକୁ ଏକ ନୂଆ ଅନୁଭବ ତାର ଲକ୍ଷ୍ୟ ପଥରୁ ଟାଣି ଆଣୁଛି । ସେ ଅନୁଭବ ପାର ମା’ ସହିତ ହେଉ କି ପାର ସହିତ ଯଦି ସବୁବେଳେ ତାହା ମିଳିଯିବ ତାକୁ ଭଗବାନଙ୍କୁ ଖୋଜିବା ଆଉ ଦରକାର ହେବ ନାହିଁ। କାହାଣୀର ଗତିଶୀଳତା ସହ ଭଗବାନଙ୍କ ସନ୍ଧାନରେ ସେ ବଢ଼ି ଚାଲିଛି ଆଗକୁ।  ଅନେକ ବାଧାବିଘ୍ନକୁ ସାମ୍ନା କରୁଛି।  କେତେବେଳେ କିଛି ବନ୍ଧନର ଆଳରେ ଅଟକି ଯାଉଛି କିନ୍ତୁ ପୁଣି ମାଡ଼ି ଚାଲିଛି । ସେଇ ବନ୍ଧନ ଭିତରେ ସେ ଅନୁଭବ କରୁଛି ଯେ ଜୀବନରେ ଉପରକୁ ଯିବା ବହୁତ କଷ୍ଟ,  ହେଲେ ତଳକୁ ଖସିବା ବହୁତ ସହଜ। ଯେମିତି ପାଣି ଭିତରୁ ଉପରକୁ ଉଠି ଆସିବା ପାଇଁ କଷ୍ଟ କରିବାକୁ ହୁଏ କିନ୍ତୁ ବୁଡ଼ିଗଲା ଲୋକର ପାଦ ତଳକୁ ତଳକୁ ଆପେ ଟାଣି ହୋଇଯାଏ।

ପିଲାଟିର ସନ୍ଧାନ ଜାରି ରହିଛି।  ସେ ଭଗବାନଙ୍କୁ ଖୋଜୁଛି।  ତା’ ବାଟରେ ଯେତିକି ଲୋକ ଆସୁଛନ୍ତି ସମସ୍ତଙ୍କୁ ଗୋଟିଏ ପ୍ରଶ୍ନ ପଚାରୁଛି “ତୁମେ ଭଗବାନଙ୍କୁ ଦେଖିଛ?” ପ୍ରଶ୍ନ ଏକ ଉତ୍ତର ଅନେକ। ଯେମିତି ଭଗବାନଙ୍କୁ ପାଇବାକୁ ହେଲେ ଖୋଜିବା ଦରକାର ନାହିଁ,  ହୃଦୟରେ ଅନୁଭବ କରିବାକୁ ହେବ। ତାଙ୍କ ସ୍ୱରୂପକୁ ଦେଖିବାକୁ ହେଲେ ସେ ହୃଦୟରୁ ବାହାରି ଯାଇପାରନ୍ତି। ଆଉ ଗୋଟିଏ କଥାରେ ଲୁହ ଓ ହସ ଭିତରେ ଲୁହକୁ ଏତେ ଦାମିକା କରିଦେବା ଦରକାର ଯେ କିଣିବା ଦୂରରେ ଥାଉ କେହି ବି ତାକୁ ଦେଖିପାରିବେ ନାହିଁ ଓ ହସକୁ ଏତେ ଶସ୍ତା କରିଦେବା ଦରକାର ଯେ ଜଣଙ୍କ ପାଖରୁ ଆଉ ଜଣକୁ ଆପେ ଆପେ ଡେଇଁ ଯାଇପାରୁଥିବ। ତାହେଲେ ଯାଇ ଭଗବାନଙ୍କୁ ଖୋଜିବା ସାର୍ଥକ ହେବ।

ଭଗବାନଙ୍କ ସନ୍ଧାନରେ ସେଇ ନିରକ୍ଷର ଗାଉଁଲି ପିଲାଟି ପାର ଓ ପାର ମା’ କୁ ଛାଡ଼ି ବାସଦେଇ, ବୁଲି, ସୁରଭି, ସିଷ୍ଟର, ଫୁଲ ଆଦି ଅନେକଙ୍କ ସଂସ୍ପର୍ଶରେ ଆସି ଭଗବାନଙ୍କୁ ଖୋଜିବା ଭୁଲିଯାଇଛି । ସେଇ ଖୋଜାଖୋଜିରେ ମନ୍ଦିରଠୁ ମସଜିଦ୍ ଯାଏଁ , ମସଜିଦରୁ ଚର୍ଚ୍ଚ ଯାଏଁ ପୁଣି ଜଣେ ଅତି ସାଧାରଣ ମଣିଷ ଭାବରେ ଅଗଣା ପିଣ୍ଡାରୁ ବାବାଜୀ ଆଶ୍ରମ ଏବଂ ବାବାଜୀ ଆଶ୍ରମରୁ ଦୋଷୀ ସାବ୍ଯସ୍ତ ହୋଇ ଜେଲର ଚାରିକାନ୍ଥ ଯାଏଁ ତାର ଯାତ୍ରା ଜାରି ରହିଛି। ସେଇ ଅବିଶ୍ରାନ୍ତ ଯାତ୍ରାରେ, ବେଶ ପୋଷାକ ଜଣେ ବ୍ୟକ୍ତିର ପରିଚୟକୁ ବଦଳେଇ ଦିଏ ବୋଲି ବୁଝିଛି।

କାହାଣୀର ଗତିଶୀଳତା ସହ ପୃଥିବୀ ଗୋଲ ପରି ସେହି ସବୁ ସ୍ଥାନରେ କାଳର ଗତିରେ ସେହି ପାତ୍ରମାନଙ୍କୁ ପୁଣି ଭେଟିଛି।  ଏଥର କିନ୍ତୁ ଭଗବାନଙ୍କ ସନ୍ଧାନ ପାଇଁ ନୁହଁ ; ଜଣେ ମଣିଷ ହେବା ପାଇଁ।

ଏହି ଉପନ୍ୟାସର କଳେବରକୁ ସମୃଦ୍ଧ କରୁଥିବା ଅନେକ ଶବ୍ଦ ଯେମିତିକି ଅତର୍ଚ୍ଛ ଆଲୁଅ, ଲୁହା ଚକିରି, ଆଲାଖାଲା, ଆଲୁଅ ଛିଟିକା ପରି ଅନେକ ନୂଆ ଶବ୍ଦ ଔପନ୍ୟାସିକ ଶ୍ରୀ ନନ୍ଦଙ୍କ ଦୀର୍ଘ ସାରସ୍ଵତ ସାଧନାର ଅନୁଭୂତି ସହ ପରିଚିତ କରାଏ। ଦୁନିଆ ବିଷୟରେ ସମ୍ପୂର୍ଣ୍ଣ ଅନଭିଜ୍ଞ ନିପଟ ମଫସଲର ଜଣେ ଗାଉଁଲି ପିଲା ବାହାରକୁ ଆସିଲେ କେବେ ଦେଖିନଥିବା କି ସେ ବିଷୟରେ ଶୁଣି ନଥିବା ଅନେକ ଜିନିଷ ପାଇଁ ଏପରି କିଛି ଶବ୍ଦ ହିଁ ବ୍ୟବହାର କରିବ ଏହା ହୃଦବୋଧ ହୁଏ ।

ଔପନ୍ୟାସିକଙ୍କ ମତରେ ଏହି ଉପନ୍ୟାସଟି ଏକ ଦୃଶ୍ୟମାନ ଉପନ୍ୟାସ। ପ୍ରକୃତରେ ଏହି ଉପନ୍ୟାସ ପଢ଼ିବା ସମୟରେ ପାଠକ ପ୍ରତ୍ୟେକ ଚରିତ୍ର ସହ ସେହି ସମୟର ପରିବେଶ ଓ ପରିସ୍ଥିତିକୁ ନିଜ ଭିତରେ ଅନୁଭବ କରିପାରିବ। ପ୍ରତିଟି ବାକ୍ୟ, ପ୍ରତିଟି ଶବ୍ଦ ଏପରିକି ପ୍ରତିଟି ଅକ୍ଷର ମାଧ୍ୟମରେ ପ୍ରତିଟି ଦୃଶ୍ୟ ଦୃଶ୍ୟମାନ ହେବ। ସେହି ଗାଉଁଲି ପିଲାର ଚରିତ୍ର ଭିତରେ ପାଠକ ନିଜେ ଅନୁଭବିବ ଯେ “ପୃଥିବୀରେ ଜନ୍ମ ହୋଇଥିବା ପ୍ରତ୍ୟେକ ମଣିଷ ଶରୀରରେ ଦୁଇଟି ଭୋକ । ଗୋଟିଏ ପେଟର, ଆଉ ଗୋଟିଏ ଦେହର। ସେଇ ଭୋକ ଦୁଇଟି ଭଗବାନଙ୍କ ପାଖକୁ ନେଇ ଯିବାକୁ ପ୍ରେରଣା ଦିଏ ପୁଣି ଭଗବାନଙ୍କୁ ଭୁଲିଯିବାକୁ ବାଧ୍ୟ କରେ।”

ଜଣେ ପାଠକ ଭାବରେ କହିବାକୁ ଗଲେ ଏହି ଉପନ୍ୟାସଟି ପାଠକଙ୍କୁ ଏକ ଭିନ୍ନ ଅନୁଭୂତି ପ୍ରଦାନ କରିବା ସହ ଏକ ନୂଆ ଆବେଗରେ ଯୋଡ଼ି ରଖିବ। ଓଡ଼ିଆ ସାହିତ୍ୟର ଉପନ୍ୟାସ ବିଭାଗରେ  ‘ଅନୁଶ୍ରବ’ ଔପନ୍ୟାସିକ ଶ୍ରୀ ନନ୍ଦଙ୍କର ଏକ ଅତ୍ୟନ୍ତ ଉପାଦେୟ ତଥା ବିରଳ ସୃଜନ ସାବ୍ଯସ୍ତ ହେବ ଏଥିରେ କୌଣସି ସନ୍ଦେହ ନାହିଁ।

Leave A Reply

Your email address will not be published.