Latest Odisha News

BREAKING NEWS

ସ୍ୱଳ୍ପ ଗଳ୍ପ : କଣ୍ଢେଇ କାଳରେ ପ୍ରେମ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୫୫

 

କ’ଣ ଆଉ କରାଯିବ, ତାହାର ନିୟତି ,ତାହାର ଭବିତବ୍ୟ ,ତାହାର ସବୁ କିଛି ତ ହେଉଛି ବସ୍ତୁତଃ ଗୋଟିଏ କଣ୍ଢେଇର ନିୟତି,ଗୋଟିଏ କଣ୍ଢେଇର ଭବିତବ୍ୟ ? ଏଥିରୁ ତାହାର ନିସ୍ତାର ନାହିଁ ।

କଣ୍ଢେଇ କହିଲେ ଆମ ଆଖି ଆଗକୁ ଯିଏ ଆସେ ତାହାର ନିଜର ବୋଲି କହିଲେ କେବଳ ଥିବ ଗୋଟିଏ ଦେଖିବା ଭଳି ଆକୃତି ଏବଂ ଅସୁମାରି ଅସହାୟତା । ତାହାର ସମସ୍ତ ଅସହାୟତା ଏଇଥିପାଇଁ ଯେ ସେ ନିଜେ କିଛି କରିବାକୁ ସମର୍ଥ ନୁହଁ ବା ନିଜେ କିଛି ଭାବିବା ଭଳି ଆତ୍ମବ୍ୟବସ୍ଥାପନା ତାହାରି ପାଖରେ ଉପଲବ୍ଧ ନଥାଏ ।

ସେ ତାହାର ଗତିଶୀଳତା ପାଇଁ ଅନ୍ୟ ଉପରେ ସର୍ବଦା ନିର୍ଭରଶୀଳ।

ତେଣୁ ତାହାର ପ୍ରେମ ଅସଲରେ ହେଉଛି ଅନ୍ୟମାନଙ୍କର ପ୍ରେମ।

ସେଇ କଣ୍ଢେଇ ର ପୂରା ନାଆଁ ବାରବାରା ମିଲିସେଣ୍ଟ ରବର୍ଟସ୍,ସଂକ୍ଷେପରେ ବାର୍ବି ।

ଏଇ ୨୦୨୩ ମସିହା ମାର୍ଚ୍ଚ ମାସ ର ୯ ତାରିଖ ବେଳକୁ ତାହାକୁ ଚଉଷଠି ବର୍ଷ ପୁରିଯିବ । ସବୁଠୁ ଆଶ୍ଚର୍ଯ୍ୟର କଥା ଷାଠିଏ ବର୍ଷରୁ ଅଧିକ ବୟସର ହେବାକୁ ବସିଥିବା ଆମର ଏଇ କଣ୍ଢେଇ ବାର୍ବି କୁ ସମୟ ଆଦୌ ସ୍ପର୍ଶ କରିପାରିନାହିଁ । ପୁରାଣର ଏଥେନା କି ଇତିହାସର କ୍ଲିଓପାଟ୍ରା କି ଆମର କଳ୍ପନାର ଯେ କୌଣସି ଅନନ୍ତ ଯୌବନା ନାରୀ ର କଥା କୁହାଯାଉ ତାହାର ତୁଳନାରେ ଆମର ଏଇ ବାର୍ବି ସବୁବେଳେ ଦେଖିବାକୁ ଗଲା କାଲି ଯାହା ଥିଲା ଆଜି ଠିକ୍ ସେମିତି । ତେଣୁ ବାର୍ବି ସବୁବେଳେ ନିଜକୁ ଏମିତି ଏକ ଅତୁଳନୀୟ ଅବସ୍ଥାନରେ ରଖିପାରିବାକୁ ସକ୍ଷମ ହୋଇଛି।

ବାର୍ବି ଅନନ୍ତଯୌବନା,କୃଶାଙ୍ଗୀ । ଆଜି ବି ପୃଥିବୀ ସାରା ସବୁ କିଶୋରୀ,ନାରୀ ନିଜକୁ ତାହା ଭଳି ଶାରୀରିକ ସୌଷ୍ଠବ ର ଅଧିକାରିଣୀ ହେବାକୁ ଇଚ୍ଛାପୋଷଣ କରିଥାନ୍ତି । ଆଜି ଆମେ ଯାହାକୁ ଫେସନ ଜଗତରେ “ଜିରୋ ସାଇଜ୍ ” ବୋଲି କହିଥାଉ ତାହା ବାର୍ବିର ଅବଦାନ ।

ଜଣେ ଆମେରିକୀୟ ମହିଳା ଉଦ୍ୟୋଗପତି ରଥ୍ ହାଣ୍ଡଲର୍ କୌଣସି ନାରୀର ଶାଶ୍ୱତ ଫେସନେବଲ୍ ରୂପଟି କେମିତି ହେବ ତାହାର ଏକ ଛାଞ୍ଚର ଅବଧାରଣା ନିର୍ମାଣ କରି ତାହାର ନାମକରଣ କରିଥିଲେ ବାର୍ବି । ରଥ୍ ହାଣ୍ଡଲରଙ୍କ ଏଇ ଅବଧାରଣା ଉପରେ ଆମେରିକୀୟ ଖେଳଣା କମ୍ପାନୀ ମାଟେଲ୍ ଗୋଟିଏ ଫେଶନ୍-ଡଲ୍ ବା ଫେଶନ କଣ୍ଢେଇ ଆକାରରେ ବାର୍ବିକୁ ପ୍ରସ୍ତୁତ କରିଥିଲେ ।

୧୯୫୯ ମସିହା ମାର୍ଚ୍ଚ ମାସ ର ୯ ତାରିଖରେ ପ୍ରଥମ ପାର୍ଥିବ ପଦାର୍ପଣ ଘଟିଥିଲା ବାର୍ବି ର । ଆଉ ପ୍ରଥମ ପଦାର୍ପଣ ରେ ଯେମିତି ତାହାର ବିଶ୍ୱଜୟ ସେଇଭଳି ଅବିଶ୍ୱାସ୍ୟକର ଘଟଣା ଘଟିଥିଲା ।

ବିଗତ ଷାଠିଏ ବର୍ଷ ଧରି ବାର୍ବି କେବଳ ଗୋଟିଏ ଫେଶନ ର ଷ୍ଟେଟମେଣ୍ଟ ହୋଇ ପୃଥିବୀରେ ସର୍ବତ୍ର ତାହାର ଆକର୍ଷଣୀୟ ଉପସ୍ଥିତ ସାବ୍ୟସ୍ତ କରିଛି ,ସେକଥା ନୁହଁ । ବାର୍ବିର ଲୋକପ୍ରିୟତା ତାହାକୁ ଭିନ୍ନ ଭିନ୍ନ ପ୍ରକାରରେ ପ୍ରାୟ ୧୫୦ ଗୋଟି ବୃତ୍ତିରେ ଅବସ୍ଥାପିତ କରିଛି । କେତେବେଳେ ସେ ଗୋଟିଏ ସ୍କୁବା ଡ୍ରାଇଭର୍ ହୋଇଛି ତ କେତେବେଳେ ସେ ହୋଇଛି ଏକ ପୂରାତତ୍ତ୍ୱ ର ବିଶେଷଜ୍ଞା ପାଲିଓଣ୍ଟୋଲୋଜିଷ୍ଟ। ପୁଣି କେତେବେଳେ ସେ ସାଜିଛି ଜଣେ ନିଉଜ୍ ଆଙ୍କର ।

ଫେଶନ ଏବଂ ଭିନ୍ନ ଭିନ୍ନ ବୃତ୍ତି ରେ ବାର୍ବି ର ଅବସ୍ଥାନ ଆମକୁ ବସ୍ତୁତଃ ଗୋଟିଏ କଥା କହିଥାଏ ଯେ ଆମେ ଯାହାକୁ ସୁନ୍ଦର ବୋଲି ମନେକରୁ ବା ଯିଏ ଆମର ପ୍ରେମାସ୍ପଦା ସେ ସବୁବେଳେ କେବଳ ସୁନ୍ଦର ଦେଖାଗଲେ ଯଥେଷ୍ଟ ହେବନାହିଁ । ଆମର ପ୍ରେମାସ୍ପଦା ସବୁବେଳେ ସୁନ୍ଦର ହୋଇଥିବା ସହିତ ସବୁବେଳେ ଅସ୍ଥିର ରହିବା ବି ନିହାତି ଆବଶ୍ୟକ ।

ଅସ୍ଥିରତାରେ ହିଁ ସୁନ୍ଦରପଣ ଅଛି ଆଉ ସେହି ଭଳି ସୁନ୍ଦରପଣରେ ଅଛି ପ୍ରେମ । ଠିକ୍ ସେଇଥିପାଇଁ ଚିର ସୁନ୍ଦର,ଚିର ଅସ୍ଥିର ଆଉ ଚିର କଣ୍ଢେଇ ସାଜିଛି ବାର୍ବି ।

ବାର୍ବି ସବୁବେଳେ ଗୌରବର୍ଣ୍ଣା ନୁହଁ । ଫେଶନ୍ ଷ୍ଟାଟିଷ୍ଟିକସ୍ ଅନୁସାରେ ବାର୍ବିର ଦେହର ରଙ୍ଗ ଆଠ ପ୍ରକାରର, ତାହାର ମୁହଁର ଭାବଭଂଗିମା ଚଉଦ ପ୍ରକାରର ,ଆଖିର ରଂଗ ଅଠର ପ୍ରକାରର ଆଉ ଷ୍ଟାଇଲିଷ୍ଟିକ୍ ଦେଖାଯିବା ପାଇଁ ପ୍ରାୟ ତେଇଶି ପ୍ରକାରର ରଙ୍ଗର କେଶ ବାର୍ବିର ମଥାରେ ଦେଖାଯାଇଛି ।

କୃଷ୍ଣାଙ୍ଗୀ ବାର୍ବି ର ନାଆଁ କିନ୍ତୁ ବାର୍ବି ନୁହଁ । ସେତେବେଳେ ତାହାର ନାଆଁ “କଲୋରେଡ୍” ଫ୍ରାନ୍ସି ।

୧୯୯୨ ସାଲ୍ ରେ ବାର୍ବିର ଜୀବନରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ମୋଡ ଆସିଥିଲା । ସେହି ବର୍ଷ ସେ ଜଣେ ଆମେରିକୀୟ ମହିଳା ହିସାବରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଲଢିଥିଲା । ତାହାପରଠାରୁ ଏଯାଏଁ ସେ ପାଞ୍ଚଥର ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଲଢିଅଛି । ସେ ଦୃଷ୍ଟିରୁ ଦେଖିଲେ ଶ୍ରୀଯୁକ୍ତା ହିଲାରୀ କ୍ଲିଣ୍ଟନ ହେଉଛନ୍ତି ଦ୍ୱିତୀୟ ଆମେରିକୀୟ ମହିଳା ଯାଏ କି ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଲଢିଛନ୍ତି।

ଏବେ ଶେଷରେ ଫେରିବା ବାର୍ବି ର ପ୍ରେମ ଜୀବନକୁ ।

ପ୍ଲାଷ୍ଟିକ ଜଗତର ପ୍ରେମ ଇଏ ।

ବାର୍ବି ର ପ୍ରେମିକ ର ନାଆଁ ହେଉଛି କେନ୍,କେନ୍ କାରସନ୍ । ସେ ଦେଖିବାକୁ ଚିରକାଳର ରାଜକୁମର ଭଳି ଅନିନ୍ଦ୍ୟ କିଶୋର,ହସିଲେ ତାହାର ଦୁଇଗାଲରେ ଭଉଁରୀ ଖେଳିଯାଏ ,ଏମିତି କେହି କିଶୋରୀ ନାହିଁ ଯିଏ କେନ୍ କୁ ଦେଖି ତାହାଠୁ ନିଜକୁ ମୂର୍ଚ୍ଛି ରହିପାରିବ ? ସେ ବି ବାର୍ବି ଭଳି ସବୁବେଳେ ଅସ୍ଥିର,ଭିନ୍ନ ଭିନ୍ନ ବୃତ୍ତି ରେ ବି ବାର୍ବି ଭଳି ତାହାର ବେଶ୍ ଆଗ୍ରହ । ତେଣୁ ଉଭୟଙ୍କ ଭିତରେ ପ୍ରେମ ହେଲା । ଇଏ ୧୯୬୧ ସାଲର କଥା ।

ବାର୍ବି ର ପ୍ରେମିକ କେନ୍ କାରସନ୍ ର ଏତେ ସୁନ୍ଦରପଣ ସହିତ କିନ୍ତୁ ଗୋଟିଏ ଅସୁଖ ଥିଲା। ତାହାର ହାତ ଦୁଇଟି ସବୁବେଳେ ସିଧାରେ ରହିଥାଏ,ଏତେ ସଳଖ ଯେ ସେ ତାହାକୁ ଟିକିଏ ବୋଲି ଭାଙ୍ଗି ପାରେ ନାହିଁ । ଆଉ ତାହାର ବେକଟି ବାଆଁକୁ ଡାହାଣକୁ ବୁଲି ପାରିବ ମାତ୍ର ଏହା ଉପରକୁ କି ତଳକୁ ହୋଇପାରିବ ନାହିଁ ।

କେନ୍ ର ଏଇ ଭଳି ଶରୀରୀ ଅସୁଖ ର ଅସୁବିଧା କହିଲେ ଗୋଟିଏ । ସେ ଅତି ସହଜରେ “ନା” କହିପାରୁଥିଲା ମାତ୍ର ସେ ମଥା ଟୁଙ୍ଗାରି “ହଁ” କହିବାକୁ ଅସମର୍ଥ । “ନା” ଆଉ “ହଁ” ର ଏଇ ଦ୍ୱନ୍ଦ୍ୱବିଜଡିତ ଜଗତରେ “ହଁ” ନକହିପାରୁଥିବା ଚରିତ୍ରର ବଡ ଦୁଃଖ । ପ୍ଲାଷ୍ଟିକ୍ ଜଗତରେ ବି କଥା ଏଇଭଳି ସମାନ ।

ରସେଲ୍ ଆରୋନସ୍, ଆମେରିକୀୟ ଖେଳଣା କଂପାନୀ ମାଟେଲ୍ ର ଭାଇସ୍ ପ୍ରେସିଡେଣ୍ଟ , ୧୨ ଫେବ୍ରୁଆରୀ ୨୦୦୪ ଦିନ କଥାଟିକୁ ଘୋଷଣା କରି କହିଥିଲେ,” ସେମାନଙ୍କ ଭିତରେ କୌଣସି ଝଗଡା କି ସେମିତି କିଛି ଚର୍ଚ୍ଚା କରିବା ଭଳି ମନୋମାଳିନ୍ୟ ହୋଇନାହିଁ। ଏହା ବାର୍ବିର ନିଜସ୍ୱ ନିଷ୍ପତ୍ତି । ବାର୍ବି ନିଜେ ନିଜ ଆଡୁ ଠିକ୍ କରିଛି । ଆଉ ନୁହଁ । ଦୀର୍ଘ ତେୟାଳିଶ ବର୍ଷର ଏଇ ସଂପର୍କ । ସମାନ ଆଉ ଏକପ୍ରକାର ର ଏଇ ସଂପର୍କ । ଏଥିରେ କୌଣସି ବୈଚିତ୍ର୍ୟ ନାହିଁ । ସଂପର୍କର ପୁନଃପୌନିକତା କ୍ରମଶଃ ତା’ ପାଇଁ ଅସହ୍ୟ । ତେଣୁ ଆଉ ଅଧିକ ନୁହଁ । ଆଜି ଅର୍ଥାତ୍ ୧୨ ଫେବ୍ରୁଆରୀ ୨୦୦୪ ଠାରୁ ବାର୍ବି କେନ୍ କାରସନ୍ ସହିତ ସମସ୍ତ ସଂପର୍କ ଛିନ୍ନ କରୁଅଛି।”

ତେୟାଳିଶ ବର୍ଷର ପ୍ଲାଷ୍ଟିକ ଜଗତର ଏଇ ପ୍ରେମ ସଂପର୍କ ହଠାତ୍ ଏତିକି ଘୋଷଣାନାମା ପରେ ଆପାତତଃ ଶେଷ ।

ବାର୍ବି ତାହାପରେ ନିଜର ସଦ୍ୟତମ ଉପଲବ୍ଧ ସ୍ୱାଧୀନତା କୁ ନେଇ ତାହାର କିଶୋରୀ ସୁଲଭ ଚପଳତାରେ ଆଉ ଥରେ ପ୍ରେମରେ ପଡିଥିଲା। ଏଥର ତାହାର ପ୍ରେମିକର ନାଆଁ ଥିଲା ବ୍ଲାଇନ୍ ,ସେ ଥିଲା ଜଣେ ଅଷ୍ଟ୍ରେଲିଆନ୍ “ସର୍ଫର୍” ।

ବାର୍ବି ଆଉ ବ୍ଲାଇନ୍ ର ସଂପର୍କକୁ କିନ୍ତୁ ଲୋକେ ସହ୍ୟ କରିପାରିଲେ ନାହିଁ । ପୃଥିବୀ ରୁ ସବୁଆଡୁ ସମସ୍ତେ ପ୍ଲାଷ୍ଟିକ ଜଗତକୁ ପ୍ରବେଶ କରିବାକୁ ଲାଗିଲେ । ଲିଖିତ ଆବେଦନ କଲେ । ଅନୁନୟ ବିନୟ କଲେ । ବାର୍ବି ଫେରିଆସୁ ତାହାର ଦୀର୍ଘ ତେୟାଳିଶ ବର୍ଷର ପ୍ରେମିକ କେନ୍ କାରସନ୍ ଙ୍କ ପାଖକୁ।

ବାର୍ବି ଆଉ କେନ୍ ର ମିଳନ ଉଦ୍ୟମ ତାହାପରେ ଦୀର୍ଘ ସାତବର୍ଷ ଯାଏଁ ଏଇ ଭଳି ଅବ୍ୟାହତ ରହିଥିଲା ।

ଶେଷରେ ୨୦୧୧ ର ଫେବ୍ରୁଆରୀ ୧୪,ଭାଲେନ୍ତାଇନ୍ ଦିବସ । ସେଦିନ ଉଭୟେ ବାର୍ବି ଆଉ କେନ୍ ସମସ୍ତଙ୍କ ସାମ୍ନା ରେ ହଠାତ୍ ଏକାଠି ଉପସ୍ଥିତ ହୋଇ ନିଜର ସଂପର୍କର ପୁନରୁଦ୍ଧାର କଥା କୁ ଘୋଷଣା କରିଥିଲେ । ତାହାର ଅଳ୍ପ କେତେ ମିନିଟ୍ ପୂର୍ବରୁ ବାର୍ବି ତାହାର ଫେସବୁକ୍ ପେଜ୍ ରେ ଷ୍ଟାଟସ୍ କୁ ଅପଡେଟ୍ କରି ଲେଖିଥିଲା ,ଇନ୍ ଏ ରିଲେସନସିପ୍ ।

ଆଜି ଯାଏଁ ବାର୍ବି ଆଉ କେନ୍ ସେମିତି “ରିଲେସନସିପ୍” ରେ ରହିଛନ୍ତି । ଆଉ ଆମେମାନେ ଠିକ୍ ସେମିତି ଆମର ଅତି ନିକଟରେ ଥିବା ପ୍ଲାଷ୍ଟିକ ଜଗତକୁ ଯାଉଛୁ ଆଉ ଫେରିଆସୁଛୁ ଆମ ଜଗତକୁ ।

Leave A Reply

Your email address will not be published.