ଭୁବନେଶ୍ୱର: ଓଡ଼ିଶାବାସୀଙ୍କୁ ଅପମାନିତ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଏପ୍ରିଲ ପହିଲା ଦିନ ସାରା ଓଡ଼ିଶା ଉତ୍ସାହ ଓ ଉଦ୍ଦୀପନାର ସହ ଓଡ଼ିଶା ଦିବସ ପାଳନ କରୁଥିବା ବେଳେ ଏଭଳି ଏକ ପବିତ୍ର ଦିନରେ ମୁଖ୍ୟମନ୍ତ୍ରୀଙ୍କ ମେଟ୍ରୋ ରେଳ ପ୍ରକଳ୍ପ ଘୋଷଣାକୁ ଏପ୍ରିଲ ଫୁଲ୍ ବୋଲି କହି ଉପହାସ କରି ଶ୍ରୀ ମିଶ୍ର ତାଙ୍କ ଓଡ଼ିଶା ବିରୋଧୀ ମାନସିକତାକୁ ଦର୍ଶାଇବା ସହିତ ଓଡ଼ିଶାବାସୀଙ୍କୁ ଅପମାନିତ କରିଥିବା କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ଲେନିନ୍ ମହାନ୍ତି ।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଡକ୍ଟର ମହାନ୍ତି କହିଛନ୍ତି, ଓଡ଼ିଶା ବିଜେପିର ନେତାମାନେ ଓଡ଼ିଶାବାସୀଙ୍କୁ ଅପମାନିତ କରିବା ନୂଆ ନୁହେଁ । ପୂର୍ବରୁ ମଧ୍ୟ ସେମାନେ ଶାନ୍ତିପ୍ରିୟ ଓଡ଼ିଶାବାସୀଙ୍କୁ ଅରାଜକ ବୋଲି କହିଥିଲେ ଏବଂ ଓଡ଼ିଶାକୁ ଜାତୀୟ ସ୍ତରରେ ଅପମାନିତ କରିବାକୁ ଚେଷ୍ଟା କରିଥିଲେ ।
ଏପ୍ରିଲ୍ ପହିଲା ଓଡ଼ିଶା ଦିବସକୁ ଏପ୍ରିଲ ଫୁଲ୍ ବୋଲି ଅବିହିତ କରିବା ବିରୋଧୀ ଦଳ ନେତାଙ୍କ ଓଡ଼ିଶା ପ୍ରତି ଅପମାନଜନକ ମନୋଭାବର ଅନ୍ୟ ଏକ ଉଦାହରଣ । କିଛିଦିନ ହେଲା ମାନସିକ ଭାରସାମ୍ୟ ହରାଇଥିବାରୁ ଶ୍ରୀ ମିଶ୍ର ଏଭଳି ବାଉଳି ଚାଉଳି ହେଉଛନ୍ତି । ଓଡ଼ିଶା ବିଜେପି ତୁରନ୍ତ ତାଙ୍କର ମାନସିକ ଚିକିତ୍ସା କରାଉ । ନହେଲେ ସେ ଏଭଳି ଆତ୍ମଘାତୀ ମନ୍ତବ୍ୟ ଦେଇ ବିଜେପିକୁ ଓଡ଼ିଶାରୁ ସଫା କରି ଦେବେ ବୋଲି ଡକ୍ଟର ମହାନ୍ତି କହିଛନ୍ତି ।
Comments are closed.