ଦିଲ୍ଲୀ ଦରବାରରେ ଗର୍ଜିବ ଶଙ୍ଖ! ୪ ସାଂସଦଙ୍କ ହାତରେ ନବୀନ ଧରାଇଲେ ‘ସ୍ପେଶାଲ୍ ବ୍ଲୁ-ପ୍ରିଣ୍ଟ’, ରାଜ୍ୟର ୧୧ ବଡ଼ ମୁଦ୍ଦାରେ ଘେରିବ ବିଜେଡି…
ଭୁବନେଶ୍ୱର: ସଂସଦର ଆସନ୍ତା ମୌସୁମୀ ଅଧିବେଶନ ପୂର୍ବରୁ ଓଡ଼ିଶା ରାଜନୀତିରେ ବଡ଼ ହଲଚଲ। ଦିଲ୍ଲୀରେ ବିରୋଧୀ ଦଳ ଭୂମିକାରେ ଥିବା ବିଜେଡି ଏଥର ସରକାରଙ୍କୁ ସହଜରେ ଛାଡ଼ିବା ମୁଡ୍ରେ ନାହିଁ। ରାଜ୍ୟ ସ୍ୱାର୍ଥ ସହ ଜଡ଼ିତ ଏକାଧିକ ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ସଂସଦରେ ଶାସକ ଦଳକୁ କୋଣଠେସା କରିବା ପାଇଁ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନ ନିବାସରେ ଆଜି ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଦଳର ୪ ସାଂସଦଙ୍କୁ ସ୍ୱେଶାଲ୍ ‘ଗୁରୁମନ୍ତ୍ର’ ଦେଇଛନ୍ତି ଦଳ ମୁଖ୍ୟ।
ଆଜି ନବୀନ ନିବାସରେ ବିଜେଡି ସଂସଦୀୟ ଦଳର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଦଳର ସାଂସଦମାନେ ଯୋଗ ଦେଇଥିଲେ। ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆସିବା ପରେ ଦେଖାଦେଇଥିବା ବିଭିନ୍ନ ସାମାଜିକ ଓ ଅର୍ଥନୈତିକ ସମସ୍ୟାକୁ ଦିଲ୍ଲୀରେ ଜୋରଦାର ଢଙ୍ଗରେ ଉଠାଇବା ପାଇଁ ଏହି ବୈଠକରେ ରୋଡମ୍ୟାପ୍ ପ୍ରସ୍ତୁତ ହୋଇଛି। ବିଶେଷ କରି ଓଡ଼ିଶାର ଜନସାଧାରଣଙ୍କ ସ୍ୱାର୍ଥ ରକ୍ଷା ପାଇଁ ବିଜେଡି ସଂସଦ ଭିତରେ କଠୋର ଆଭିମୁଖ୍ୟ ଗ୍ରହଣ କରିବ ବୋଲି ଜଣାପଡ଼ିଛି।
ସଂସଦରେ ସରକାରଙ୍କୁ ଘେରିବା ପାଇଁ ବିଜେଡି ମୋଟ ୧୧ଟି ପ୍ରସଙ୍ଗକୁ ଚିହ୍ନଟ କରିଛି। ସେଗୁଡ଼ିକ ମଧ୍ୟରେ ସାରା ଦେଶରେ ଚର୍ଚ୍ଚାରେ ଥିବା ନିଟ୍ ପେପର ଲିକ ମାମଲା ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରଦାମ ବୃଦ୍ଧିକୁ ମୁଖ୍ୟ ଆୟୁଧ କରାଯିବ। ଏହା ସହିତ ଓଡ଼ିଶାର ଚାଷୀକୂଳ ସମ୍ମୁଖୀନ ହେଉଥିବା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ, ବିହନ ସମସ୍ୟା, ସାର ସଙ୍କଟ ଏବଂ ମଣ୍ଡିରେ କଟନୀଛଟନୀ ଭଳି ଜ୍ୱଳନ୍ତ ସମସ୍ୟା ଉପରେ ଦଳ ସରକାରଙ୍କୁ ଜବାବ ମାଗିବ।
ସେହିପରି ରାଜ୍ୟର ସ୍ୱାର୍ଥ ରକ୍ଷା ପାଇଁ ଦୀର୍ଘ ଦିନରୁ ଚାଲିଆସିଥିବା ମହାନଦୀ ଓ ପୋଲାଭରମ ଜଳବିବାଦ ଏବଂ କୋଇଲା ରୟାଲିଟି ସଂଶୋଧନ ପ୍ରସଙ୍ଗରେ ମଧ୍ୟ ବିଜେଡି ସାଂସଦମାନେ ଗୃହରେ ସ୍ୱର ଉତ୍ତୋଳନ କରିବେ। ଏହା ବ୍ୟତୀତ ପାଠ୍ୟପୁସ୍ତକ ପ୍ରିଣ୍ଟିଂରେ ହୋଇଥିବା ବଡ଼ ଧରଣର ତ୍ରୁଟି, ବିଳମ୍ବିତ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ, ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି, ବିଗତ ଦୁଇ ବର୍ଷ ମଧ୍ୟରେ ବଢ଼ି ଚାଲିଥିବା ଭିଡ଼ ହିଂସା ଏବଂ ଦୁର୍ଗମ ଅଞ୍ଚଳରେ ଯାତାୟାତ ସମସ୍ୟାକୁ ନେଇ ସଂସଦରେ ହଟ୍ଟଗୋଳ ହେବା ନିଶ୍ଚିତ ହୋଇଛି।
ବୈଠକ ଶେଷ ହେବା ପରେ ବିଜେଡି ସଂସଦୀୟ ଦଳର ନେତା ମାନସ ମଙ୍ଗରାଜ ଏବଂ ଉପନେତା ସୁଲତା ଦେଓ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଓଡ଼ିଶାର ହକ୍ ଏବଂ ଜନସାଧାରଣଙ୍କ ସମସ୍ୟାକୁ ନେଇ ଦଳ ସଂସଦରେ ପୂରା ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇବ। ସୁପ୍ରିମୋଙ୍କ ନିର୍ଦ୍ଦେଶକ୍ରମେ ଦଳର ସମସ୍ତ ସାଂସଦ ଗୃହରେ ଏହି ୧୧ଟି ଯାକ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି।