ଭୁବନେଶ୍ୱର: ପୁଣି ଥରେ ମୁଣ୍ଡ ଟେକିଲାଣି କରୋନା ଆତଙ୍କ। ଲୋକେ ଭାବି ନେଇଥିଲେ ଯେ ମହାମାରୀ ସମ୍ପୂର୍ଣ୍ଣ ରୂପେ ଶେଷ ହୋଇଯାଇଛି, କିନ୍ତୁ ପଡ଼ୋଶୀ ଆନ୍ଧ୍ର ପ୍ରଦେଶରୁ ଆସିଥିବା ଏକ ଖବର ଏବେ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ଆନ୍ଧ୍ରରେ ପୁଣି ଥରେ କୋଭିଡ୍-୧୯ ନିଜର କରାଳ ରୂପ ଦେଖାଇବା ଆରମ୍ଭ କରିଛି। ସଦ୍ୟତମ ସୂଚନା ଅନୁଯାୟୀ, ସେଠାରେ କରୋନା ଆକ୍ରାନ୍ତ ହୋଇ ୨ ଜଣଙ୍କର ପ୍ରାଣହାନି ଘଟିଛି। ପଡ଼ୋଶୀ ରାଜ୍ୟରେ ଏଭଳି ସ୍ଥିତି ଉପୁଜିବା ପରେ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସତର୍କ ହୋଇପଡ଼ିଛନ୍ତି।
ରାଜ୍ୟର ସୀମାନ୍ତବର୍ତ୍ତୀ ଅଞ୍ଚଳ, ବିଶେଷକରି ଆନ୍ଧ୍ର ସୀମାକୁ ଲାଗିଥିବା ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ହାଇ ଆଲର୍ଟ ଜାରି କରାଯାଇଛି। ସୀମା ଦେଇ ଆନ୍ଧ୍ରରୁ ଓଡ଼ିଶାକୁ ଆସୁଥିବା ଲୋକଙ୍କ ଉପରେ କଡ଼ା ନଜର ରଖିବାକୁ ସ୍ଥାନୀୟ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ସୀମାନ୍ତ ଚେକପୋଷ୍ଟଗୁଡ଼ିକରେ ସ୍କ୍ରିନିଂ କଡ଼ାକଡ଼ି କରିବା ସହ ସନ୍ଦିଗ୍ଧ ବ୍ୟକ୍ତିଙ୍କ ନମୁନା ପରୀକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଉଛି।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆନ୍ଧ୍ର ପ୍ରଦେଶରେ କରୋନାର ନୂଆ ଭାରିଆଣ୍ଟ ଯୋଗୁଁ ସଂକ୍ରମଣ ହଠାତ୍ ବୃଦ୍ଧି ପାଇଛି କି ନାହିଁ ସେ ନେଇ ଅନୁଧ୍ୟାନ କରାଯାଉଛି। ତେବେ ରାଜ୍ୟବାସୀଙ୍କୁ ଆତଙ୍କିତ ନହେବା ପାଇଁ ପରାମର୍ଶ ଦିଆଯାଇଛି। କିନ୍ତୁ ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ଭିଡ଼ ସ୍ଥାନକୁ ଗଲେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଏବଂ ବାରମ୍ବାର ହାତ ଧୋଇବା ଭଳି କୋଭିଡ୍ ନିୟମଗୁଡ଼ିକୁ ପାଳନ କରିବାକୁ ଅପିଲ୍ କରାଯାଇଛି।
Comments are closed.