Latest Odisha News

BREAKING NEWS

ବିଜେପୁର ଉପ-ନିର୍ବାଚନ: ସେପ୍ଟେମ୍ବର ୩୦ରେ ପ୍ରାର୍ଥୀପତ୍ର ଦାଖଲ କରିବେ ବିଜେଡ଼ି ପ୍ରାର୍ଥୀ

ଭୁବନେଶ୍ୱର: ଆଗାମୀ ଅକ୍ଟୋବର ୨୧ ତାରିଖରେ ବିଜେପୁର ଉପ-ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ରାଜ୍ୟ ରାଜନୀତି ଏବେ ବିଜେପୁର ଉପ-ନିର୍ବାଚନକୁ ନେଇ ଚଳଚଞ୍ଚଳ ହୋଇପଡ଼ିଛି । ସମସ୍ତ ରାଜନୈତିକ ଦଳ ବରଗଡ଼ ଜିଲ୍ଲା ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବୁଥସ୍ତରରେ କର୍ମୀମାନଙ୍କୁ ଯୋଗାଯୋଗ କରିବା ସହିତ ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି । ଶାସକ ବିଜୁ ଜନତା ଦଳ (ବିଜେଡ଼ି) ପକ୍ଷରୁ ବୁଧବାର ଦିନ ସୂଚନା ଦିଆଯାଇ କୁହାଯାଇଛି ଯେ, ଆସନ୍ତା ସେପ୍ଟେମ୍ବର ୩୦ ତାରିଖରେ ଦଳ ପକ୍ଷରୁ ପ୍ରାର୍ଥୀ ନାମାଙ୍କନ ପତ୍ର କରିବେ ।

ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକର ନିଷ୍ପତ୍ତି ଅନୁଯାୟୀ, ରାଜ୍ୟସଭା ସାଂସଦ ତଥା ଦଳୀୟ ମୁଖପାତ୍ର ପ୍ରସନ୍ନ ଆଚାର୍ଯ୍ୟ ଏସମ୍ପର୍କରେ ଗଣମାଧ୍ୟମକୁ ଆଜି ସୂଚନା ପ୍ରଦାନ କରିଛନ୍ତି ।

ଦଳର ପ୍ରାର୍ଥୀ କିଏ ହେବେ ବୋଲି ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ଦଳର ସୁପ୍ରିମୋ ଯଥାଶିଘ୍ର ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିବେ ।

ଶ୍ରୀ ଆଚାର୍ଯ୍ୟ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେପୁର ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପ୍ରଚାର କରିବେ । ନିର୍ବାଚନ ପ୍ରଚାର ଲାଗି କାର୍ଯ୍ୟସୂଚୀ ଦଳ ପକ୍ଷରୁ ଖୁବଶିଘ୍ର ଘୋଷଣା କରାଯିବ ବୋଲି ସେ କହିଛନ୍ତି ।

ଇତିମଧ୍ୟରେ କଂଗ୍ରେସ ଚୟନ କମିଟି ପକ୍ଷରୁ ବୁଧବାର ଦିନ ୫ ଜଣ ଆଶାୟୀ ପ୍ରାର୍ଥୀଙ୍କ ନାମ ଏଆଇସିସିକୁ ଚୂଡ଼ାନ୍ତ ଲାଗି ପଠାଇ ଦିଆଯାଇଛି ।

ଗଣମାଧ୍ୟମକୁ ଚୂଚନାଦେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଚୟନ କମିଟି ୫ ଜଣଙ୍କ ନାମ ତାଲିକା ଏଆଇସିସି ନିକଟକୁ ପଠାଇ ଦେଇଛି । ସେହି ୫ଜଣ ଆଶାୟୀ ପ୍ରାର୍ଥୀମାନେ ହେଲେ – ଅଭିଷେକ ସେଠ, ଦିଲ୍ଲୀପ ପଣ୍ଡା, ସୁରେନ୍ଦ୍ର ପାତ୍ର, ସ୍ୱାଧିସ୍ମିତା ସୂଆର ଏବଂ ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ରବୀନ୍ଦ୍ର ପଣ୍ଡା ।

ସେହିପରି ବରଗଡ଼ ଜିଲ୍ଲା ଅତାବିରାଠାରେ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ପ୍ରାର୍ଥୀ ଚୟନ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବରଗଡ଼ ସାଂସଦ ସୁରେଶ ପୂଜାରୀ ଅଧ୍ୟକ୍ଷତା କରିଥିବା ବେଳେ ଦଳର ପୂର୍ବତନ ରାଜ୍ୟ ସଭାପତି କେଭି ସିଂହଦେଓ ମଧ୍ୟ ଉପସ୍ଥିତ ରହିଥିଲେ । ଦଳ ପକ୍ଷରୁ ୩ଜଣ ଆଶାୟୀ ପ୍ରାର୍ଥୀଙ୍କ ନାମ କେନ୍ଦ୍ରୀୟ ନିର୍ବାଚନ କମିଟି ନିକଟକୁ ପଠାଇଦିଆଯିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.