Latest Odisha News

BREAKING NEWS

ମଧ୍ୟପ୍ରଦେଶରେ ମହିଳା କାର୍ଡ, ହାତ ଉଠିବ ନା ପଦ୍ମ ଫୁଟିବ?

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ଆସନ୍ନ ନିର୍ବାଚନ ଥିବାରୁ ଏବେ ଫୋକସରେ ମହିଳା। ସରକାରରେ ଥିବା ବିଜେପି ଓ ବିରୋଧୀ ଦଳରେ ଥିବା କଂଗ୍ରେସ ମଧ୍ୟରେ ମହିଳାଙ୍କୁ ଆକର୍ଷିତ କରିବାକୁ ଲଢେଇ ତୀଵ୍ର ହୋଇଛି। କିଏ କେଉଁ ମାଧ୍ୟମରେ ମହିଳା ବର୍ଗଙ୍କୁ ନିଜ ପକ୍ଷରେ ରଖିବ ସେ ନେଇ ଚାଲିଛି ପ୍ରତିଦ୍ବନ୍ଦିତା।

ଏହି କ୍ରମରେ ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ଦିଆଯାଉଥିବା ଅର୍ଥରାଶିକୁ ବଢ଼ାଇ ଦିଆଯାଇଛି। ଏହି ରାଶିକୁ ୪୯ ହଜାରରୁ ୫୧ ହଜାର କରିଦିଆଯାଇଛି। ଗରିବ ପରିବାରର ଝିଅ ବିବାହ ପାଇଁ ମଧ୍ୟପ୍ରଦେଶ ସରକାର ଏହି ଯୋଜନାରେ ରାଶି ବୃଦ୍ଧି କରିଛନ୍ତି। ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହି ଘୋଷଣା କରିଛନ୍ତି।

୨୩୦ ସଦସ୍ୟ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଚଳିତ ବର୍ଷ ଶେଷ ସୁଦ୍ଧା ହେବ। ତେଣୁ ବିଜେପି ଶାସନକୁ ବଜାୟ ରଖିବା ପାଇଁ ସବୁ ଉଦ୍ୟମ କରୁଛି। ସମାଜରେ ଝିଅ ମାନଙ୍କ ପ୍ରତି ହେଉଥିବା ଅନ୍ୟାୟକୁ ରୋକିବାକୁ ସରକାର ବହୁ ଯୋଜନା କରୁଥିବା ମୁଖ୍ୟମନ୍ତ୍ରୀ ଚୌହାନ କହିଛନ୍ତି।

ଏଥିସହିତ ମହିଳାଙ୍କ ପାଇଁ ଗତ ମାର୍ଚ୍ଚ ମାସରେ କରାଯାଇଥିବା ଲାଡ଼ଲି ବେହନା ସ୍କିମରେ ମାସକୁ ହଜାରେ ଟଙ୍କା ଲେଖା ଦିଆଯିବ। ଜୁନ ୧୦ ତାରିଖଠାରୁ ହିତାଧିକାରୀମାନଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେପଟେ ବିଜେପି ସରକାରର ଏହି ଯୋଜନାକୁ କାଉଣ୍ଟର କରିବାକୁ କଂଗ୍ରେସ ପକ୍ଷରୁ ବ୍ୟାପକ ପ୍ରତିଶ୍ରୁତି ଦିଆଯାଇଛି। ପିସିସି ସଭାପତି କମଲନାଥ କଂଗ୍ରେସ କ୍ଷମତାକୁ ଆସିଲେ ଗରିବ ମହିଳାଙ୍କ ପାଇଁ ମାସିକ ୧୫୦୦ ଟଙ୍କା ଦେବାକୁ ଘୋଷଣା କରିବା ସହ ପଞ୍ଜିକରଣ ମଧ୍ୟ ଆରମ୍ଭ କରିଛନ୍ତି। ଖାଲି ସେତିକି ନୁହେଁ ମଧ୍ୟପ୍ରଦେଶରେ ବିଜେପିକୁ ସତ୍ତାରୁ ବାହାର କରିବାକୁ କର୍ଣ୍ଣାଟକ ଢାଞ୍ଚାରେ କଂଗ୍ରେସ ଗ୍ୟାରେଣ୍ଟି କାର୍ଡର ବ୍ୟବସ୍ଥା କରିଛି।

ମଧ୍ୟପ୍ରଦେଶ କଂଗ୍ରେସ ପକ୍ଷରୁ ରାଜ୍ୟବାସୀଙ୍କୁ ଚାରୋଟି ଗ୍ୟାରେଣ୍ଟି ଦିଆଯାଇଛି। ୫୦୦ ଟଙ୍କାରେ ରନ୍ଧନ ଗ୍ୟାସ, ମହିଳାଙ୍କୁ ମାସିକ ୧୫୦୦ ଟଙ୍କା, ପୁରୁଣା ପେନସନ ଯୋଜନା ଲାଗୁ କରିବା ଓ ୧୦୦ ୟୁନିଟ ବିଜୁଳି ମୁକ୍ତ ଓ ଆଉ ଦୁଇଶହ ୟୁନିଟ ବିଜୁଳି ଅଧା ଦାମରେ ଦିଆଯିବ ବୋଲି କଂଗ୍ରେସ ଗ୍ୟାରେଣ୍ଟି କାର୍ଡରେ ଉଲ୍ଲେଖ ରହିଛି। ଯାହାକୁ ବ୍ୟାପକ ପ୍ରଚାର ପ୍ରସାର କରାଯାଉଛି।

ଏପରିକି କର୍ଣ୍ଣାଟକରେ ମନ୍ତ୍ରୀମଣ୍ଡଳ ଶପଥ ନେବା ସହ ତୁରନ୍ତ ୫ ଟି ଗ୍ୟାରେଣ୍ଟି ପୂରଣ ନେଇ ଦଳ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ତେଣୁ କର୍ଣ୍ଣାଟକରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରି ଏହାକୁ ମଧ୍ୟପ୍ରଦେଶରେ ଆଗାମୀ ନିର୍ବାଚନରେ ପ୍ରଚାର ପ୍ରସାର କରାଇ ଲୋକଙ୍କ ବିଶ୍ୱାସ ଜିତିବାକୁ ଦଳ ଯୋଜନା କରିଛି।

ଯାହାକୁ ନେଇ ବିଜେପି ଚିନ୍ତିତ ଥିବା କୁହାଯିବା ସହ କଂଗ୍ରେସ କିଭଳି ଏସବୁକୁ ନେଇ କର୍ଣ୍ଣାଟକ ଭଳି ମଧ୍ୟପ୍ରଦେଶରେ ମାହୋଲ ବନେଇ ନ ପାରୁ ସେ ନେଇ ଦଳ ଜୋରଦାର ଉଦ୍ୟମ କରୁଥିବା କୁହାଯାଉଛି।

Leave A Reply

Your email address will not be published.