Latest Odisha News

BREAKING NEWS

‘ଭୋଟ ଦିଅନି ନୋଟ ବଦଳିବନି’

ଭୁବନେଶ୍ୱର: ଦୁଇ ହଜାର ଟଙ୍କିଆ ନୋଟକୁ ବଜାରରୁ ଫେରାଇ ନେବା ନିଷ୍ପତ୍ତିକୁ ନେଇ ଦେଶର ରାଜନୀତି ସରଗରମ। ବ୍ୟାଙ୍କଗୁଡ଼ିକ ୨୦୦୦ ଟଙ୍କିଆ ନୋଟ୍ ଜାରି କରିବା ବନ୍ଦ କରିବାକୁ ଆରବିଆଇ ପକ୍ଷରୁ କୁହାଯାଇଛି। ୨୦୧୬ ନଭେମ୍ବରରେ ବିମୁଦ୍ରୀକରଣ ପରେ ୨ ହଜାର ଟଙ୍କା ନୋଟ୍ ବଜାରକୁ ଅଣାଯାଇଥିଲା । ବିମୁଦ୍ରୀକରଣରେ ୫୦୦ ଏବଂ ହଜାରେ ଟଙ୍କା ନୋଟ୍ ବନ୍ଦ କରାଯାଇଥିଲା ।

ଏହି ସମୟରେ କେନ୍ଦ୍ର ସରକାର କହିଥିଲେ ଦୁର୍ନୀତିକୁ ରୋକିବା ସହ ଆତଙ୍କବାଦକୁ ଶେଷ କରିବାକୁ ଏଭଳି ବଡ଼ ପଦକ୍ଷେପ ନିଆଯାଇଛି। ବିମୁଦ୍ରୀକରଣ ଯୋଗୁ ସାରା ଦେଶର ଲୋକେ ହନ୍ତସନ୍ତ ହୋଇଥିବାବେଳେ ବହୁ ଜୀବନ ମଧ୍ୟ ଯାଇଥିଲା। ଯାହାକୁ ନେଇ ବିରୋଧୀ ଲଗାତର ବିଜେପି ସରକାର ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରି ଆସୁଛନ୍ତି।

ଏବେ ଦୁଇ ହଜାର ଟଙ୍କା ବନ୍ଦ କରିବା ନିଷ୍ପତ୍ତିକୁ ନେଇ ବିରୋଧୀ ବର୍ଷିବା ଆରମ୍ଭ କରିଛନ୍ତି। ପ୍ରତିଥର ଭଳି ମୋଦିଙ୍କର ଆଉ ଏକ ନିଷ୍ପତ୍ତି ଭୁଲ ସାବ୍ୟସ୍ତ ହେଲା ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ନୋଟବନ୍ଦୀର ମନମୁଖୀ ନିଷ୍ପତ୍ତି ପରେ ଏହି ଦୁଇ ହଜାର ଟଙ୍କା ବଜାରକୁ ଅଣାଯାଇଥିଲା। ଏହାଦ୍ୱାରା କଳାଧନ ଓ ଭ୍ରଷ୍ଟାଚାର ଶେଷ ହୋଇଯିବ ବୋଲି କୁହାଯାଇଥିଲା।

କିନ୍ତୁ ସବୁ କଥା ଓଲଟିଗଲା ଓ ବିନା ବୁଝି ବିଚାରି ନିଆଯାଇଥିବା ନିଷ୍ପତ୍ତି ଓଲଟି ଗଲା ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ତେଣୁ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପିଲାଳିଆ ନିଷ୍ପତ୍ତି ନେବା ବନ୍ଦ କରିବାକୁ ଟ୍ୱିଟ ମାଧ୍ୟମରେ କୁହାଯାଇଛି। ଯାହାକୁ ନେଇ ଏବେ ରାଜନୀତି ତୀଵ୍ର ହୋଇଛି।

କଂଗ୍ରେସ ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ଟ୍ୱିଟ କରି ଏ ପ୍ରସଙ୍ଗରେ ବିଜେପି ଉପରେ ଜୋରଦାର ବର୍ଷିଛନ୍ତି। ପ୍ରଥମେ ନୋଟବନ୍ଦୀ କରି ଦେଶର ଅର୍ଥବ୍ୟବସ୍ଥାକୁ ଏକ ବଡ଼ ଝଟକା ଦିଆଯାଇଥିଲା ବୋଲି କହିଛନ୍ତି ଖଡ଼ଗେ। ଯାହାଦ୍ୱାରା ଦେଶର ଏମଏସଏମଇ କ୍ଷେତ୍ର ଠପ ହେବା ସହ ବହୁ ଲୋକ ରୋଜଗାର ହରାଇଲେ।

ଏବେ ଦ୍ଵିତୀୟ ନୋଟବନ୍ଦୀକୁ ପୁଣି ଏକ ଭୁଲ ନିଷ୍ପତ୍ତି ବୋଲି କୁହାଯିବା ସହ ଏ ସମ୍ପର୍କରେ ଏକ ନିରପେକ୍ଷ ଯାଞ୍ଚ ଦାବି କରିଛନ୍ତି ଖଡ଼ଗେ। ସେପଟେ କଂଗ୍ରେସ ଆଉ ଦୁଇ ପାଦ ଆଗକୁ ଯାଇ ବାରମ୍ବାର ନୋଟ ବଦଳାଇବା ଠାରୁ ଭଲ ଗୋଟିଏଥର ପ୍ରଧାନମନ୍ତ୍ରୀ ବଦଳେଇଦିଅ ବୋଲି କୁହାଯାଇଛି।

ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମଧ୍ୟ ଏହାକୁ ନେଇ କେନ୍ଦ୍ରର ବିଜେପିକୁ ତୀଵ୍ର ସମାଲୋଚନା କରିଛନ୍ତି। ଏହାକୁ ଏକ ମନମୁଖୀ ଓ ତୁଗଲକୀ ବିମୁଦ୍ରିକରଣ ଡ୍ରାମା ବୋଲି କହିବା ସହ ଏହା ସାଧାରଣ ଲୋକଙ୍କୁ ଆଉଥରେ ବଡ଼ କ୍ଷତି ପହଞ୍ଚାଇବ ବୋଲି ମମତା କହିଛନ୍ତି। ଏହା ଜନବିରୋଧୀ ଓ ପୁଞ୍ଜିବାଦୀ ମାନସିକତା ବୋଲି ମମତା କହିଛନ୍ତି।

ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଏହି ନିଷ୍ପତ୍ତିକୁ ବିରୋଧ କରିବା ସହ ପ୍ରଥମେ ଦୁଇ ହଜାର ନୋଟ ଆଣିଲେ ଭ୍ରଷ୍ଟାଚାର ବନ୍ଦ ହେବ ବୋଲି କହିଥିଲେ। ଏବେ ଦୁଇ ହଜାର ନୋଟ ବନ୍ଦ କଲେ ଭ୍ରଷ୍ଟାଚାର ବନ୍ଦ ହେବ ବୋଲି କହୁଛନ୍ତି।

ସେଥିପାଇଁ ପ୍ରଧାନମନ୍ତ୍ରୀ ପାଠ ପଢୁଆ ହେବା ଦରକାର ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି। ତେଣୁ ପ୍ରଧାନମନ୍ତ୍ରୀଙ୍କୁ ଯିଏ ଯାହା କହୁଛନ୍ତି ସେ ବୁଝିପାରୁ ନାହାଁନ୍ତି ଓ ଲୋକଙ୍କୁ ଭୋଗିବାକୁ ପଡୁଛି ବୋଲି କଟାକ୍ଷ କରି କହିଛନ୍ତି କେଜ୍ରିୱାଲ । ତେଣୁ ୨୦୦୦ ଟଙ୍କିଆ ନୋଟ ବନ୍ଦକୁ ନେଇ ଏବେ ବିରୋଧୀ ମିଳିତ ଭାବେ ବିଜେପିକୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି। ଆଗକୁ ବିଭିନ୍ନ ରାଜ୍ୟ ସହ ଦେଶର ସାଧାରଣ ନିର୍ବାଚନ ଥିବାରୁ ନୋଟବନ୍ଦୀକୁ ବିରୋଧୀ ମୁଖ୍ୟ ଅସ୍ତ୍ର କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Leave A Reply

Your email address will not be published.