BJP Rajya Sabha Candidates Name: ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, ଏହିମାନଙ୍କ ନାଁ ଦେଲେ କେନ୍ଦ୍ରୀୟ କମିଟି…
ଭୁବନେଶ୍ଵର: ସବୁ ଆଲୋଚନା ଏବଂ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇ ଶେଷରେ ନିଜର ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେପି। ଦୁଇ ବରିଷ୍ଠ ଏବଂ ଅଭିଜ୍ଞ ନେତାଙ୍କ ନାଁ ଦେଲା ବିଜେପି କେନ୍ଦ୍ରୀୟ କମିଟି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ବିଜେପି ନେତା ସୁଜିତ କୁମାରଙ୍କ ନାଁ ଘୋଷଣା କରିଛି କେନ୍ଦ୍ରୀୟ କମିଟି। ଭାରତୀୟ ଜନତା ପାର୍ଟି (ବିଜେପି) ମଙ୍ଗଳବାର ଦିନ ଓଡ଼ିଶାରୁ ମନମୋହନ ସାମଲ ଏବଂ ସୁଜିତ କୁମାରଙ୍କ ନାମ ଆନୁଷ୍ଠାନିକ ଭାବରେ ଘୋଷଣା କରିଛି। ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ସେମାନଙ୍କ ପ୍ରାର୍ଥୀତ୍ୱକୁ ଚୂଡ଼ାନ୍ତ କରି ଦଳର କେନ୍ଦ୍ରୀୟ କମିଟି ଏହି ଘୋଷଣା କରିଛି।
ତେବେ ଓଡିଶାର ୪ଟି ସିଟ୍ ରାଜ୍ୟସଭା ପାଇଁ ଖାଲି ରହିଛି। ସଂଖ୍ୟା ଦୃଷ୍ଟିରୁ ବିଜେପି ୨ଟି ସିଟ୍ ଦେବା ପାଇଁ ସମର୍ଥ ଥିଲା । ଆଉ ସେହି ଅନୁସାରେ ବିଜେପି ୨ ଜଣଙ୍କ ନାଁ ଘୋଷଣା କରିଛି । ପୂର୍ବରୁ ବିଜେଡି ସନୃପ୍ତ ମିଶ୍ରଙ୍କୁ ପ୍ରାର୍ଥୀ କରିବା ସହ ଦତ୍ତେଶ୍ୱର ହୋତାଙ୍କୁ କମନ କ୍ୟାଣ୍ଡେଟ ଭାବେ ଘୋଷଣା କରିଥିଲା । ଆଉ ଦତ୍ତେଶ୍ୱରଙ୍କୁ କଂଗ୍ରେସ ସମର୍ଥନ କରିବ ବୋଲି ପ୍ରତିଶ୍ରୁତି ବି ଦେଇଛି ।
ତେବେ ବିଜେପି ମୋଟ ଛଅଟି ରାଜ୍ୟର ନଅ ଜଣ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ପ୍ରକାଶ କରିଛି। ବିହାରରୁ ରାଜ୍ୟସଭା ଆସନ ପାଇଁ ବିଜେପି ଅଧ୍ୟକ୍ଷ ନୀତି ନବୀନ ଏବଂ ଶିବେଶ ରାମଙ୍କୁ ମନୋନୀତ କରାଯାଇଛି। ହରିୟାଣାରୁ ରାଜ୍ୟସଭା ଆସନ ପାଇଁ ସଞ୍ଜୟ ଭାଟିଆଙ୍କୁ ମନୋନୀତ କରାଯାଇଛି। ପଶ୍ଚିମବଙ୍ଗରୁ ରାଜ୍ୟସଭା ଆସନ ପାଇଁ ରାହୁଲ ସିହ୍ନା, ଛତିଶଗଡ଼ ପାଇଁ ଲକ୍ଷ୍ମୀ ବର୍ମା, ଓଡ଼ିଶା ପାଇଁ ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ସୁଜିତ କୁମାରଙ୍କୁ ମନୋନୀତ କରାଯାଇଛି। ଆସାମରୁ ରାଜ୍ୟସଭା ଆସନ ପାଇଁ ତରାଶ ଗୋୱାଲା ଏବଂ ଜଗନମୋହନଙ୍କୁ ମନୋନୀତ କରାଯାଇଛି। ମହାରାଷ୍ଟ୍ର ପାଇଁ ପ୍ରାର୍ଥୀଙ୍କ ନାମ ଏପର୍ଯ୍ୟନ୍ତ ବିଚାରାଧୀନ ଅଛି।