Latest Odisha News

BREAKING NEWS

ବିରୋଧୀ ଓବିସି କାର୍ଡ ଖେଳିବା ପରେ, ପଛୁଆ ବର୍ଗଙ୍କ ପଛରେ ଦୌଡୁଛି ବିଜେପି!

ଭୁବନେଶ୍ୱର: ପଛୁଆ ବର୍ଗଙ୍କୁ ନେଇ କଂଗ୍ରେସ ଜାତିଗତ ଜନଗଣନାକୁ ମୁଖ୍ୟ ଅସ୍ତ୍ର କରିବା ପରେ ବିଜେପି ଏହାକୁ କାଉଣ୍ଟର କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି। ଦେଶରେ ପଛୁଆ ବର୍ଗଙ୍କ ସଂଖ୍ୟା ଅଧିକ ଥିବାରୁ ଏହି ବର୍ଗଙ୍କୁ ନିଜ ପକ୍ଷକୁ ଆଣିବାକୁ ପ୍ରମୁଖ ଦଳ ଉଦ୍ୟମ କରୁଛନ୍ତି।

BjdElectrycity

ବିରୋଧୀ ମେଣ୍ଟ ଇଣ୍ଡିଆ ପଛୁଆ ବର୍ଗଙ୍କ ପାଇଁ ବଡ଼ ପ୍ରସ୍ତୁତି କରିବା ସହ ବିହାରରେ ଜାତିଗତ ଜନଗଣନା କରାଯାଇ ରିପୋର୍ଟ ପ୍ରକାଶ ପାଇଛି। ସେପଟେ କଂଗ୍ରେସ ଶାସିତ ରାଜ୍ୟଗୁଡିକରେ ଦଳ ଜାତିଗତ ଜନଗଣନା କରିବାକୁ ଘୋଷଣା କରିଛି।

ନିର୍ବାଚନରେ କଂଗ୍ରେସ ନେତୃତ୍ୱ ଏହାକୁ ପ୍ରମୁଖ ପ୍ରସଙ୍ଗ କରୁଛନ୍ତି। ତେଣୁ ଏଭଳି ସ୍ଥିତିରେ ବିଜେପି ମଧ୍ୟ ଓବିସି ବର୍ଗଙ୍କୁ ଆକର୍ଷିତ କରିବା ପ୍ରକ୍ରିୟା ଆରମ୍ଭ କରିଛି। ହରିୟାଣାରେ ଦଳ ରାଜ୍ୟ ସଭାପତି ଭାବେ ଦଳୀୟ ସାଂସଦ ନୟାବ ସିଂ ସାଇନିଙ୍କୁ ଦାୟିତ୍ୱ ଦେଇଛି।

ସାଇନି ଓବିସି ବର୍ଗର ନେତା। ଓମ ପ୍ରକାଶ ଧନକରଙ୍କୁ ବଦଳାଇ ସାଇନିଙ୍କୁ ହରିୟାଣା ମଙ୍ଗ ସମ୍ଭାଳିବାକୁ ଦାୟିତ୍ୱ ଦେଇଛି ବିଜେପି। ଜାଟ ନେତା ଧନକରଙ୍କୁ ଦଳ ଜାତୀୟ ସମ୍ପାଦକ ଦାୟିତ୍ୱ ଦେଇଛି।

ଆସନ୍ତବର୍ଷ ହରିୟାଣାରେ ଲୋକସଭା ସହିତ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ବିରୋଧୀ ମେଣ୍ଟକୁ କାଉଣ୍ଟର କରିବାକୁ ଭିନ୍ନ ରଣନୀତି ନେଇ ଆଗକୁ ବଢ଼ୁଛି ବିଜେପି। କୁରୁକ୍ଷେତ୍ର ସଂସଦୀୟ କ୍ଷେତ୍ରରୁ ପ୍ରତିନିଧିତ୍ୱ କରୁଥିବା ସାଇନି ପ୍ରଥମଥର ପାଇଁ ସାଂସଦ ହୋଇଛନ୍ତି। ତେଣୁ ତାଙ୍କ ନେତୃତ୍ୱରେ ଦଳ ହରିୟାଣାରେ ଓବିସି ବର୍ଗଙ୍କୁ ଆକର୍ଷିତ କରିପାରିବ ବୋଲି ଦଳ ଆଶା ରଖିଛି।

ହରିୟାଣାର ପ୍ରଭାବୀ ଜାଟ ସମ୍ପ୍ରଦାୟର ସମର୍ଥନ କଂଗ୍ରେସ, ଜେଜେପି ଓ ଇଣ୍ଡିଆନ ନ୍ୟାସନାଲ ଲୋକ ଦଳକୁ ମଧ୍ୟ ମିଳେ। ତେଣୁ ପଛୁଆ ବର୍ଗଙ୍କୁ ବିଜେପି ପକ୍ଷକୁ ଆଣିବାକୁ ଦଳ ଏହି କାର୍ଡ ଖେଳିଛି ବୋଲି କୁହାଯାଉଛି।

ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟରଙ୍କର ଅତ୍ୟନ୍ତ ବିଶ୍ୱସ୍ତ ଭାବେ ସାଇନିଙ୍କୁ ଗଣାଯାଏ। ସେ ହରିୟାଣାରେ ମନ୍ତ୍ରୀ ମଧ୍ୟ ରହିଛନ୍ତି। ୨୦୧୯ ଲୋକସଭା ନିର୍ବାଚନରେ ହରିୟାଣାରେ ବିଜେପି ସମସ୍ତ ୧୦ ଟି ସିଟରେ ଜିତିଥିଲା।

ତେଣୁ ପରିବର୍ତିତ ରାଜନୈତିକ ସ୍ଥିତିକୁ ଦେଖି ସାଇନିଙ୍କୁ ସଭାପତି ଦାୟିତ୍ବ ଦିଆଯାଇଛି। ତାଙ୍କ ନେତୃତ୍ୱରେ ଦଳ ନିଶ୍ଚିତ ସଫଳତା ପାଇବ ବୋଲି ମୁଖ୍ୟମନ୍ତ୍ରୀ ଖଟ୍ଟର କହିଛନ୍ତି।

ବର୍ତ୍ତମାନ ହରିୟାଣାରେ ବିଜେପି ଜେଜେପି ମେଣ୍ଟ ସରକାର ଥିଲେ ମଧ୍ୟ ଆଗାମୀ ନିର୍ବାଚନରେ ଉଭୟ ଦଳ ସମସ୍ତ ସିଟରେ ଲଢ଼ିବେ ବୋଲି କହୁଛନ୍ତି। ତେଣୁ ଏଭଳି ସମୟରେ ସାଇନିଙ୍କୁ ଏହି ଗୁରୁ ଦାୟିତ୍ୱ ଦିଆଯାଇଛି।

ତେଣୁ ଓବିସି ପ୍ରସଙ୍ଗ ଏବେ ଦେଶର ମୁଖ୍ୟ ରାଜନୈତିକ ପ୍ରସଙ୍ଗ ପାଲଟିଥିବା ବେଳେ ପ୍ରମୁଖ ଦଳ ଏହାକୁ ନେଇ ରଣନୀତି ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.