Latest Odisha News

BREAKING NEWS

ପ୍ରିୟଙ୍କା ଗର୍ଜିଲେ, ଶାହା ବୁଝାଇଲେ!

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ମୁହାଁମୁହିଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ। ବିଧାନସଭା ନିର୍ବାଚନ ପାଇଁ ମଧ୍ୟପ୍ରଦେଶରେ ଏଥର କଡା ଫାଇଟ ଦେଖିବାକୁ ମିଳୁଛି।

କଂଗ୍ରେସକୁ ମିଳିଥିବା ଝଟକାର ପ୍ରତିଶୋଧ ନେବାକୁ ଦଳ ପକ୍ଷରୁ ଜୋରଦାର ଉଦ୍ୟମ ହେଉଛି। ଯେମିତି ବି ହେଉ ବିଜେପି ସରକାରକୁ ମାତ ଦେବାକୁ ଦଳ ଲାଗିପଡିଛି। ସେପଟେ ବିଜେପି ମଧ୍ୟ ପୁଣିଥରେ ସରକାରକୁ ଆସିଵାକୁ ସବୁ କୌଶଳ ଆପଣାଉଛି।

ସେଥିପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତିନିଦିନିଆ ଏମପି ଗସ୍ତ କରିଛନ୍ତି। ନିର୍ବାଚନ ରଣନୀତି ସହ ଶାହା ଟିକେଟ କଟିଥିବା ଦଳୀୟ ନେତାଙ୍କୁ ମନେଇବାକୁ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି।

ତିନି ଦିନରେ ଶାହା ଏମପିର ଦଶଟି ଅଞ୍ଚଳରେ ବୈଠକ କରିବା ସହ ଜନସଭାକୁ ସମ୍ବୋଧିତ କରିବେ। ଶାହା ଜବଲପୁର ବିଜେପି କ୍ଷେତ୍ରିୟ କାର୍ଯ୍ୟାଳୟରେ କାର୍ଯ୍ୟକର୍ତାଙ୍କୁ ସମ୍ବୋଧିତ କରିବା ସହ ଛିଣ୍ଡୱାଡାରେ ଜନସଭାକୁ ସମ୍ବୋଧିତ କରିଛନ୍ତି।

ଏହିପରି ଲଗାତର ତିନି ଦିନ ଶାହା ଏମପିରେ ଜନସଭାକୁ ସମ୍ବୋଧିତ କରିବା ସହ ବିଭିନ୍ନ କ୍ଷେତ୍ରର ଦଳୀୟ ନେତା ଓ କାର୍ଯ୍ୟକାର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେବେ। ବିଶେଷ କରି ଟିକେଟ ନ ପାଇ ବିଦ୍ରୋହ କରିଥିବା ନେତାଙ୍କୁ କିଭଳି ମ୍ୟାନେଜ କରାଯିବ ସେ ନେଇ ଉଦ୍ୟମ କରିବେ।

ସେପଟେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ବୁନ୍ଦେଲଖଣ୍ଡ ଅଞ୍ଚଳରେ ଏକ ବିଶାଳ ସଭାକୁ ସମ୍ବୋଧିତ କରିଛନ୍ତି। ଯେଉଁ ସଭାରେ ପ୍ରିୟଙ୍କାଙ୍କ ସହ ମଞ୍ଚରେ ସମ୍ପୃକ୍ତ ଅଞ୍ଚଳର ବିଧାୟକ ପ୍ରାର୍ଥୀ ମାନେ ଯୋଗ ଦେଇଥିଲେ।

ପୂର୍ବରୁ ଏହି ଅଞ୍ଚଳରେ କଂଗ୍ରେସ ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ସଭାରେ ଯୋଗ ଦେଇଥିଲେ। ଏବେ ପ୍ରିୟଙ୍କାଙ୍କ ଗସ୍ତକୁ ନେଇ କଂଗ୍ରେସ ବେଶ ଉତ୍ସାହିତ ରହିଛି। ୨୦୧୮ ନିର୍ବାଚନରେ ବୁନ୍ଦେଲଖଣ୍ଡ ଅଞ୍ଚଳର ୨୬ ଟି ବିଧାନସଭା ସିଟ ମଧ୍ୟରୁ କଂଗ୍ରେସ ୧୦ ଟି ରେ ଜିତିଥିଲା।

ଏହି ଅଞ୍ଚଳର ମହିଳା ଭୋଟ ବ୍ୟାଙ୍କ ଉପରେ ଦଳର ନଜର ରହିଛି। ଯେଉଁ ଅଞ୍ଚଳରେ ସାତ ଜଣ ମହିଳାଙ୍କୁ ଦଳ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ କରିଛି। ତେଣୁ ନିର୍ବାଚନ ମାହୋଲ ସରଗରମ ହେଉଥିବା ବେଳେ ଏମପିରେ ଦୁଇ ହେଭିୱେଟଙ୍କ ଲଢେଇ ବେଶ ରୋଚକ ସ୍ଥିତି ସୃଷ୍ଟି କରିଛି।

Leave A Reply

Your email address will not be published.