Latest Odisha News

ନିର୍ବାଚନ ଜିତିବାକୁ ବିଜେପିର ଆଗୁଆ ଇଭିଏମ ହ୍ୟାକିଂ! ମମତାଙ୍କୁ ମିଳିଲା ପ୍ରମାଣ

ଭୁବନେଶ୍ୱର: ଦେଶର ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରମୁଖ ଦଳ ଗୁଡିକ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ଏଭଳି ସମୟରେ ଇଭିଏମକୁ ହ୍ୟାକିଂ ପ୍ରସଙ୍ଗକୁ ନେଇ ରାଜନୈତିକ ପରିବେଶ ଉଷ୍ମ ହୋଇଛି।

ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପି ବିରୋଧରେ ଇଭିଏମ ହ୍ୟାକିଂର ଅଭିଯୋଗ ଆଣିଛନ୍ତି। ବିଜେପି ଆଗାମୀ ନିର୍ବାଚନ ପୂର୍ବରୁ ଇଭିଏମ ହ୍ୟାକ କରିବା ପାଇଁ ପ୍ରସ୍ତୁତି ଚଳାଇଥିବା ମମତା ଅଭିଯୋଗ କରିଛନ୍ତି।

୨୦୧୯ ନିର୍ବାଚନରେ ବିଜେପି କିଛି ସିଟରେ ଗୋଳମାଳିଆ କରି ନିର୍ବାଚନ ଜିତିଥିବା ସମ୍ପର୍କିତ ଏକ ଖବରକୁ ନେଇ ସାମାଜିକ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେଉଥିବା ବେଳେ ମମତା ଏଭଳି ମନ୍ତବ୍ୟ ଦେଇଛନ୍ତି। ନିର୍ବାଚନରେ ବ୍ୟବହାର ହେବାକୁ ଥିବା ଇଭିଏମକୁ ହ୍ୟାକ କରିବା ପାଇଁ ବିଜେପି ବିଭିନ୍ନ ପ୍ରକାର ଉଦ୍ୟମ ଚଳାଇଥିବା ମମତା କହିଛନ୍ତି।

ଏପରିକି ଏ ସମ୍ପର୍କରେ ତଥ୍ୟ ମିଳିଥିବା ବେଳେ କିଛି ପ୍ରମାଣ ମଧ୍ୟ ମିଳିଛି ବୋଲି ମମତା କହିଛନ୍ତି। ଆଉ କିଛି ତଥ୍ୟ ପ୍ରମାଣ ପାଇଁ ଉଦ୍ୟମ ଚାଲିଛି ବୋଲି ସେ କହିଛନ୍ତି। ଏପରିକି ଏ ସମ୍ପର୍କରେ ବିରୋଧୀ ମେଣ୍ଟ ଇଣ୍ଡିଆର ବୈଠକରେ ଆଲୋଚନା ହେବ ବୋଲି ମମତା ସୂଚନା ଦେଇଛନ୍ତି।

ମହାରାଷ୍ଟ୍ରରେ ହେବାକୁ ଥିବା ଇଣ୍ଡିଆର ତୃତୀୟ ବୈଠକରେ ଏହି ପ୍ରସଙ୍ଗ ଉପରେ ଗୁରୁତ୍ୱର ସହ ଆଲୋଚନା କରାଯିବ ବୋଲି କୁହାଯାଇଛି। ଏପରିକି ବିଜେପିର ଭାଷାକୋଷରେ ସବୁବେଳେ ହିଂସା ରହିଥାଏ ବୋଲି ମମତା ଅଭିଯୋଗ କରିଛନ୍ତି।

ସେମାନଙ୍କ ଭାଷାକୋଷରେ ସମ୍ବିଧାନ ନ ଥାଏ କେବଳ ହିଂସା ହିଁ ଥାଏ ବୋଲି କହିଛନ୍ତି ମମତା। ଏପରିକି ବିଜେପି ସବୁ କଥାର ଗୈରିକରଣ କରୁଥିବା ମମତା ଅଭିଯୋଗ କରିଛନ୍ତି।

ଏପରିକି ପେଟ୍ରୋଲ ପମ୍ପ କର୍ମଚାରୀ ମାନଙ୍କୁ ଗେରୁଆ ବସ୍ତ୍ର ପିନ୍ଧିବାକୁ କୁହାଯାଇଥିବା ଅଭିଯୋଗ କରାଯାଇଛି। ତେଣୁ ସାରା ଦେଶ ଯଦି ଗେରୁଆ ହୋଇଯିବ ଅନ୍ୟ ରଙ୍ଗ କୁଆଡେ ଯିବ ବୋଲି ସେ ପ୍ରଶ୍ନ କରିଛନ୍ତି।

ଗେରୁଆ ରଙ୍ଗ ସ୍ୱଚ୍ଛତାର ପ୍ରତୀକ। ଏହା ଭଗବାନଙ୍କ ପାଖରେ ଅର୍ପଣ କରାଯାଏ। ଏହା ମଧ୍ୟ ସମର୍ପଣ ଭାବର ପ୍ରତୀକ। କିନ୍ତୁ ଯଦି ଏହାକୁ ହିଂସାରେ ବ୍ୟବହାର କରାଯାଏ ତାହା ଲୋକଙ୍କ ଦ୍ୱାରା ଗ୍ରହଣୀୟ ହେବ ନାହିଁ ବୋଲି ମମତା କହିଛନ୍ତି।

ଏପରିକି କେନ୍ଦ୍ର ଗୃହମନ୍ତ୍ରୀଙ୍କ ଏକ ମନ୍ତବ୍ୟକୁ ସମାଲୋଚନା କରିବା ସହ ବିରୋଧୀ ମେଣ୍ଟ ଇଣ୍ଡିଆ କେନ୍ଦ୍ରରେ ସରକାର ଗଢ଼ିବ ବୋଲି ସେ କହିଛନ୍ତି। ସେପଟେ ମମତାଙ୍କ ଏଭଳି ମନ୍ତବ୍ୟକୁ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ କାଉଣ୍ଟର କରିଛନ୍ତି।

ପଶ୍ଚିମବଙ୍ଗର ବିଭିନ୍ନ ପୌରପାଳିକା ନିର୍ବାଚନରେ ବହୁ ସ୍ଥାନରେ ବିନା ଭିଭିପାଟରେ ଇଭିଏମ ବ୍ୟବହାର ହୋଇଛି। ତେଣୁ ପ୍ରଥମେ ରାଜ୍ୟରେ ଇଭିଏମ ସହ ଭିଭିପାଟ ବ୍ୟବହାର କରାଯାଉ ବୋଲି ଶୁଭେନ୍ଦୁ କହିଛନ୍ତି।

ପୂର୍ବରୁ ବିଭିନ୍ନ ସମୟରେ ଇଭିଏମ ହ୍ୟାକିଂ କୁ ନେଇ ଅଭିଯୋଗ ହେବା ସହ ଏହାକୁ ନେଇ ବିତର୍କ ମଧ୍ୟ ହୋଇଛି। ଏବେ ନିର୍ବାଚନ ପୂର୍ବରୁ ଏଭଳି ଲଢେଇ ଆରମ୍ଭ ହୋଇଯାଇଛି।

Comments are closed.