Latest Odisha News

BREAKING NEWS

ପ୍ରେସମିଟରେ ବାକ୍ ଯୁଦ୍ଧ: ମିଶନ ଶକ୍ତିକୁ ନେଇ ପରସ୍ପର ଉପରେ ବର୍ଷିଲେ ବିଜେପି-ବିଜେଡି

ଭୁବନେଶ୍ୱର:ମିଶନ ଶକ୍ତି ଯୋଜନାକୁ ନେଇ ମୁହାଁମୁହିଁ ହେଲେ ଶାସକ-ବିରୋଧୀ । ଯୋଜନାକୁ ନେଇ ଅଭିଯୋଗ-ପ୍ରତି ଅଭିଯୋଗ ।   ମିଶନ ଶକ୍ତି ଯୋଜନା ବିଜେଡିର ନିର୍ବାଚନୀ ଏଜେଣ୍ଡା ପାଲଟିଛି ବୋଲି ବିଜେପି ପକ୍ଷରୁ ଅଭିଯୋଗ କରା ଯାଇଥିବାବେଳେ  ଓଡ଼ିଶାରେ ମିଶନ ଶକ୍ତି ଅଭିଯାନ ବନ୍ଦ କରିବାକୁ ବିଜେପି ଷଡଯନ୍ତ୍ର କରୁଥିବା ଅଭିଯୋଗ ଆଣିଛି ଶାସକ ବିଜେଡିି ।

BjdElectrycity

ବୁଧବାର ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ମୁଖପାତ୍ର  ସତ୍ୟବ୍ରତ ପଣ୍ଡା କହିଛନ୍ତି , ମିଶନ ଶକ୍ତିକୁ ଶାସକ ବିଜେଡିର ଦଳୀୟ କାର୍ଯ୍ୟରେ ଲଗାଇବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାରର ଉଦ୍ୟମ କରୁଛନ୍ତି । ଏହାର ନେତୃତ୍ୱ ନେଉଛନ୍ତି ବିଭାଗୀୟ ସଚିବ  ସୁଜାତା ଆର ପାଣ୍ଡିଆନ । ମିଶନ ଶକ୍ତିର ଅଧିକାରୀମାନଙ୍କ ବୈଠକରେ ଯୋଗ ଦେଇ ଶ୍ରୀମତୀ ପାଣ୍ଡିଆନ ଦେଇଥିବା ବକ୍ତବ୍ୟର ଭାଷା ସମସ୍ତଙ୍କୁ ଆଚମ୍ବିତ କରିଛି । ଶ୍ରୀ ପଣ୍ଡା ମିଶନ ଶକ୍ତି ସଚିବଙ୍କର ଏକ ଅଡିଓ କ୍ଲିପ ଶୁଣାଇଥିଲେ ଯେଉଁଥିରେ ସେ ବୁଲସିଟ..ରବିସ ଭଳି ଶବ୍ଦ ବ୍ୟବହାର କରିଥିଲେ । ଏହାକୁ ନେଇ ଶ୍ରୀ ପଣ୍ଡା ବର୍ଷିଥିଲେ ।  ‘ବୁଲ୍‌ସିଟ୍‌’, ‘ରବିସ’ ଭଳି ଅଶ୍ଳୀଳ ଓ ଅଶାଳୀନ ଶବ୍ଦର ପ୍ରୟୋଗ କରି ବିଭାଗୀୟ ସଚିବ ପ୍ରତ୍ୟେକ ଓଡିଆଙ୍କୁ ଅପମାନିତ କରିଛନ୍ତି ବୋଲି ସେ କହିଥିଲେ।

ସରକାରୀ ଦଳର ଏଜେଣ୍ଡାକୁ ସଠିକ ଭାବେ କାର୍ଯ୍ୟକାରୀ କରିବାରେ ବିଫଳ ହେଲେ ସ୍ଥାନୀୟ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ନକଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବାର ଧମକ ମଧ୍ୟ ଦିଆଯାଇଛି । ଲକ୍ଷ୍ମୀ ଯୋଜନା, ବିଏସକେୱାଇ ଯୋଜନାରେ ଏସଏଜି ମହିଳାଙ୍କୁ ଯୋଡିବା ପାଇଁ ଚିପ୍ ବେସ୍ ସ୍ମାର୍ଟକାର୍ଡ ଦିଆଯିବ । ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ଭୋଟରମାନଙ୍କୁ କଳାଟଙ୍କା ପଠାଇବାର ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରାଯାଉଛି । ସେହିପରି ଯେଉଁମାନେ ଭଲ କାମ କକରିବେ, ତାଙ୍କୁ ଦୁବାଇ, ସିଙ୍ଗାପୁର ବୁଲାଇବାକୁ ନିଆଯିବ ବୋଲି ମଧ୍ୟ ବିଭାଗୀୟ ସଚିବ ଉକ୍ତ ବୈଠକରେ କହିଛନ୍ତି । ଗୋଟିଏ ପଟେ ଚାବୁକ୍ ଓ ଅନ୍ୟ ପଟେ ରସଗୋଲା ଧରି ମିଶନ ଶକ୍ତି ଜରିଆରେ ନିର୍ବାଚନ ପ୍ରସ୍ତୁତ ହେଉଛନ୍ତି ରାଜ୍ୟ ସରକାର  । ଆଗାମୀ ନିର୍ବାଚନ ପାଇଁ ଶାସକ ବିଜେଡିର ଭୟ ଏହି ଅଡିଓ କ୍ଲିପରୁ ସ୍ପଷ୍ଟ ହେଉଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

ଅନ୍ୟପକ୍ଷେ ବିଜେପି ଅଭିଯୋଗର ଜବାବ ରଖିଛି ବିଜେଡି । ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପି ଉପରେ ବର୍ଷିଛନ୍ତି । ଓଡ଼ିଶାରେ ମିଶନ ଶକ୍ତି ଅଭିଯାନ ବନ୍ଦ କରିବାକୁ ବିଜେପିର ଷଡଯନ୍ତ୍ର । ବିଜେପି ଚାହୁଁଛି,  ଓଡିଶାର ମହିଳାମାନେ ଘର ଭିତରେ ବନ୍ଦ ହୋଇ ରହନ୍ତୁ  ।  ମାଆମାନଙ୍କ ସଶକ୍ତିକରଣ ଅଭିଯାନକୁ ସହ୍ୟ କରିପାରୁନି ଓଡିଶା ବିଜେପି । ମିଶନ ଶକ୍ତି ଅଭିଯାନ ଯୋଗୁଁ ଓଡ଼ିଶାର ୭୦ ଲକ୍ଷ ମହିଳା  ସ୍ୱାବଲମ୍ବୀ ହୋଇ ପାରିଛନ୍ତି  । ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ନିଜର ଯୋଗଦାନ ଦେଇ ପାରୁଛନ୍ତି । ତାହା ଆଜି ସାରା ବିଶ୍ୱ ଦେଖୁଛି। ଓଡ଼ିଶାରେ ମହିଳା ସଶକ୍ତିକରଣର ଏହି ସଫଳ ଅଭିଯାନ ଆଜି ସବୁରି ମୁହଁରେ ପ୍ରଶଂସିତ ହେଉଥିବାବେଳେ ଓଡ଼ିଶା ବିଜେପି କିନ୍ତୁ ଏହାକୁ ସହିପାରୁନି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା ।

ସେ ଅଭିଯୋଗ କରିଛନ୍ତି, ବିଭିନ୍ନ କ୍ଷେତ୍ରରେ ଆଗକୁ ବଢ଼ୁଥିବା ମହିଳାମାନଙ୍କ ବିରୋଧରେ ବାରମ୍ବାର ମିଥ୍ୟା ଆରୋପ କରିବା ସହ ସେମାନଙ୍କ ପ୍ରତି କଟୁ ଶବ୍ଦ ପ୍ରୟୋଗ କରୁଛନ୍ତି। କିନ୍ତୁ ସେମାନେ ଜାଣନ୍ତି ନାହିଁ ଯେ ମିଶନ ଶକ୍ତି ଅଭିଯାନ ଯୋଗୁଁ ଆଜି ଓଡ଼ିଶାର ମହିଳାମାନେ ହୋଟେଲ/ରେଷ୍ଟୁରାଣ୍ଟ ଚଳାଉଛନ୍ତି । ହସ୍ପିଟାଲ ପରିଚାଳନାଠୁ ନେଇ ଧାନ ସଂଗ୍ରହ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକୁ ସଫଳତାର ସହ ସଂପାଦନ କରୁଛନ୍ତି। ନିଜକୁ ସଫଳ ଉଦ୍ୟୋଗୀ ଭାବେ ମଧ୍ୟ ପ୍ରମାଣିତ କରୁଛନ୍ତି।

ତେବେ ବିଜେପିର  ଏହି ଷଡ଼ଯନ୍ତ୍ର କିନ୍ତୁ କେବେ ବି ସଫଳ ହେବ ନାହିଁ। ମିଶନ ଶକ୍ତି ସହ ସଂପୃକ୍ତ ଥିବା ମା’ମାନେ ଏହାକୁ କେବେହେଲେ ବରଦାସ୍ତ କରିବେ ନାହିଁ ଏବଂ ଏହାର ଉଚିତ ଜବାବ ଦେବେ ବୋଲି କହିଛନ୍ତି ଶ୍ରୀ ପଣ୍ଡା ।

Leave A Reply

Your email address will not be published.