Latest Odisha News

ଆକ୍ରୋଶମୂଳକ ରାଜନୀତିକୁ ମୁଖ୍ୟ ଅସ୍ତ୍ର କରିଛି ବିଜେଡି-ଲେଖାଶ୍ରୀ

ଭୁବନେଶ୍ୱର: ବିଜେଡି ସରକାର ଅମଳରେ ରାଜ୍ୟର ଜମି, ପାଣି, ଜଙ୍ଗଲ, ଖଣିଜକୁ ବେଆଇନ ଭାବେ ବିକ୍ରି କରାଯାଉଛି । ଏହା ପଛରେ ବିଜୁ ଜନତା ଦଳର ମନ୍ତ୍ରୀ ଓ ନେତାମାନେ ଉଇ ଭଳି ଓଡିଶାକୁ ଖାଇଗଲେଣି । ରାଜ୍ୟର ଶାସନ ଡୋରୀ କାହା ହାତରେ ? ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଥିବାବେଳେ ନିଜ ଅପାରଗତା ଓ ଦୁର୍ନୀତିଖୋର ଭାବମୁର୍ତ୍ତିରୁ ନିଜକୁ ବଂଚାଇବା ପାଇଁ ବର୍ତମାନ ‘ଆକ୍ରୋଶମୂଳକ ରାଜନୀତି’କୁ ମୁଖ୍ୟ ଅସ୍ତ୍ର କରିଛି ବିଜୁ ଜନତା ଦଳ । ଶାସକ ବିଜେଡି ବିରୋଧରେ ଏମିତି ଅଭିଯୋଗ ଆଣି ବର୍ଷିଛନ୍ତି  ବିଜେପି ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର  ।

BjdElectrycity

ଯାଜପୁର ଜିଲ୍ଲାର ବରିଷ୍ଠ ନେତା ତଥଶ ବିଶିଷ୍ଟ ସୁଚନା ଅଧିକାରୀ କର୍ମୀ  ସର୍ବେଶ୍ୱର ବେହୁରିଆଙ୍କୁ ଗିରଫ ଘଟଣାକୁ ନେଇ ବିଜେଡି ଉପରେ ବର୍ଷିଛନ୍ତି ଲେଖାଶ୍ରୀ । ସେ କହିଛନ୍ତି ଏହି ଗିରଫର ମୁଖ୍ୟ କାରଣ ହେଉଛି ଦୀର୍ଘ ଦିନର ରାଜନୈତିକ ଓ ପ୍ରଶାସନିକ ଆକ୍ରୋଶ  ।  ସ୍ଥାନୀୟ ତହସିଲଦାର, ଖଣିମାଫିଆ ଓ ସ୍ଥାନୀୟ ବିଧାୟକ ମିଳିମିଶି କୋଟି କୋଟି ଟଙ୍କାର ଖଣିଜ ଦ୍ରବ୍ୟ ଲୁଟ୍ କରୁଥିଲେ ।   ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ସର୍ବେଶ୍ୱର ଏବଂ ତାଙ୍କ ପରିବାର ଉପରେ ଲଗାତାର ଆକ୍ରମଣ କରାଯାଉଛି । ମିଛ କେଶ୍ କରି ଜେଲରେ ଭର୍ତି ପାଇଁ ଅପଚେଷ୍ଟା ସହ ବୋମାମାଡ କରି ହତ୍ୟା ପାଇଁ ମଧ୍ୟ ଉଦ୍ୟମ ହୋଇଛି । ସର୍ବେଶ୍ୱରଙ୍କୁ ଗିରଫ କରାଯିବା ଏକ ଯୋଜନାବଦ୍ଧ ଓ ସୁପରିକଳ୍ପିତ ଷଡଯନ୍ତ୍ର ବୋଲି କହିଛନ୍ତି ଲେଖାଶ୍ରୀ ।

ସେ କହିଛନ୍ତି, ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ଅଧିନରେ ରହିଛି ପର୍ଯ୍ୟାପ୍ତ ଖଣିଜ ସଂପଦ । ବିଶେଷ ଭାବେ ରାଜ୍ୟର ସବୁଠୁ ଅଧିକ ମୁଳ୍ୟବାନ କଳାପଥର ଏହି ଅଂଚଳରେ ରହିଛି । ବିଛାଖଣ୍ଡି, ଡଙ୍କାରୀ, ଆରୁହା ପାହାଡରେ ଲକ୍ଷ ଲକ୍ଷ ମେଟ୍ରିକ ଟନ କଳାପଥରକୁ ବିଜେଡି ଦଳର ମନ୍ତ୍ରୀ ଓ ନେତାଙ୍କ ଇଙ୍ଗିତରେ ଲୁଟ୍ କରାଯାଉଛି । ପୂର୍ବତନ ବିଧାୟକ ସ୍ୱର୍ଗତଃ କଳ୍ପତରୁ ଦାସଙ୍କ ସମୟରୁ ଆରମ୍ଭ ହୋଇଥିବା ଏହି ଲୁଟ୍ ପ୍ରକ୍ରିୟା ଏବେ ବି ସେମିତି ଜାରି ରହିଛି  ।  ଖଣି ମାଫିଆଙ୍କ ସହାୟତାରେ ବିଜେଡିର ତୁଙ୍ଗ ନେତା, ମନ୍ତ୍ରୀ, ସ୍ଥାନୀୟ ତହସିଲ୍‌ଦାର, ଜିଲ୍ଲା ଓ ରାଜ୍ୟ ପ୍ରଶାସନର ଅଧିକାରୀମାନେ ମିଳିମିଶି ଲୁଟ୍ କରୁଛନ୍ତି ।

ଲେଖାଶ୍ରୀ କହିଛନ୍ତି, ଏପରି ଖଣି ଲୁଟ୍କୁ ସର୍ବେଶ୍ୱର ବିରୋଧ କରି   ୨୦୧୦ ମସିହାରୁ ସୁଚନା ଅଧିକାର ଆଇନ ବଳରେ ତଥ୍ୟ ସଂଗ୍ରହ କରି ବିଭିନ୍ନ ଫୋରମରେ ଅଭିଯୋଗ କରିବା ସହିତ ହାଇକୋର୍ଟ, ସୁପ୍ରିମକୋର୍ଟ ଓ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏବେ ନିକଟରେ ଲୁଣିକର କଳାପଥର ଖାଦନରେ ବେଆଇନ ଖଣି ଉତ୍ତୋଳନ ବେଳେ ଦର୍ଘଟଣା ଘଟି ୨ଜଣ ଶ୍ରମିକ ମୃତ୍ୟୁକୁ ନେଇ ସର୍ବେଶ୍ୱର ଧର୍ମଶାଳା ତହସିଲଦାରଙ୍କ ନାଁରେ ଥାନାରେ ମାମଲା ରୁଜୁ କରିବା ସହିତ ଲୋକାୟୁକ୍ତଙ୍କ କୋର୍ଟରେ କେସ ଦାୟର କରିଥିଲେ ।  ଏଥିରେ ପ୍ରଚଣ୍ଡ ମାତ୍ରାରେ ଉତକ୍ଷିପ୍ତ ହୋଇ ଖଣି ମାଫିଆ, ଶାସକ ଦଳ ନେତା ଓ ସ୍ଥାନୀୟ ପ୍ରଶାସନ ଷଡଯନ୍ତ୍ର କରି ସର୍ବେଶ୍ୱରଙ୍କ ସ୍ୱରକୁ ଚାପି ଦେବା ପାଇଁ ମିଥ୍ୟା ମାମଲାରେ ତାଙ୍କୁ ଜେଲ ପଠାଇଛନ୍ତି, ଯାହାକି ସଂପୂର୍ଣ୍ଣ ଭାବେ ଏକ ସୁପରିକଳ୍ପିତ ଷଡଯନ୍ତ୍ର ବୋଲି ଡ.ଲେଖାଶ୍ରୀ କହିଛନ୍ତି ।
ସର୍ବେଶ୍ୱରଙ୍କ ଉପରେ ଲଗାଯାଇଥିବା ମିଛ କେସକୁ ତୁରନ୍ତ ପ୍ରତ୍ୟାହାର କରାଯାଇ ତାଙ୍କୁ ଖଲାସ କରାଯାଉ ବୋଲି ସେ ଦାବି କରିଛନ୍ତି ।

Leave A Reply

Your email address will not be published.