Latest Odisha News

‘କର୍ଣ୍ଣାଟକ ବିଜେପି’ ରାହୁଲ ଡର ଛାଡିନି, ଏବେ ନିଜ ନେତା ଡ଼ରାଇଲେଣି !

ଭୁବନେଶ୍ୱର: କର୍ଣ୍ଣାଟକରେ ଅଡୁଆରେ ବିଜେପି। ରାହୁଲଙ୍କ ଲୋକପ୍ରିୟତା, କଂଗ୍ରେସର ଲଗାତର ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଆଟାକ ଓ ଏବେ ଖୋଦ ନିଜ ଦଳର ବରିଷ୍ଠ ନେତାମାନେ ବିଜେପି ପାଇଁ କାଳ ସାଜିଛନ୍ତି। ଆଣ୍ଟି ଇନକମ୍ବାନ୍ସି ଫ୍ୟାକଟରକୁ ପ୍ରତିହତ କରିବାକୁ ବହୁ ବିଧାୟକଙ୍କୁ ରିପିଟ ନ କରିବାକୁ ବିଜେପି ଉଦ୍ୟମ କରିଥିବାବେଳେ ବିଦ୍ରୋହ କିନ୍ତୁ ବଢ଼ିବାରେ ଲାଗିଛି।

ଶାରୀରିକ ଓ ମାନସିକ ସ୍ତରରେ ଫିଟ ଥିଲେ ମଧ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦୂରପ୍ପାଙ୍କୁ ଦଳ ବୟସ ଆଳରେ ନିର୍ବାଚନ ରାଜନୀତିରୁ ଦୂରେଇ ରଖିବା ତାଙ୍କୁ ଅସନ୍ତୁଷ୍ଟ କରିଛି ବୋଲି କୁହାଯାଉଛି। ଏହି ଲିଷ୍ଟରେ ଜଣଙ୍କ ପରେ ଜଣେ ନେତାଙ୍କ ନାଁ ଯୋଡି ହୋଇଚାଲିଥିବା କୁହାଯାଉଛି। କର୍ଣ୍ଣାଟକ ବିଜେପିର ଅନ୍ୟତମ ବରିଷ୍ଠ ନେତା କେ ଏସ ଈଶ୍ୱରପ୍ପା ମଧ୍ୟ ନିଜକୁ ସକ୍ରିୟ ରାଜନୀତିରୁ ଦୁରେଇଛନ୍ତି।

କିନ୍ତୁ ଦଳର ଏଭଳି ନିଷ୍ପତ୍ତିକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟାର ଖୋଲାଖୋଲି ଭାବେ ବିରୋଧ କରିଛନ୍ତି। ଯାହାକୁ ନେଇ ବିଜେପିର ଚିନ୍ତା ବଢିଛି। ଟିକେଟକୁ ନେଇ କର୍ଣ୍ଣାଟକ ବିଜେପି ବହୁ ଅଙ୍କ କଷିବା ପରେ ପ୍ରଥମ ପର୍ଯ୍ୟାୟରେ ୧୮୯ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ସେଥିରୁ ୫୨ ଜଣ ନୂଆ ମୁହଁ ଅଛନ୍ତି। କିନ୍ତୁ ଏହା ପରେ ବିଦ୍ରୋହ ତୀବ୍ର ହେବାରୁ ବଡ଼ ଚିନ୍ତାରେ ପଡିଛି ଦଳ।

ଗୋଟିଏ ପଟେ ରାହୁଲ ଟେନସନ, ସେପଟେ କର୍ଣ୍ଣାଟକ କଂଗ୍ରେସର ଲଗାତର ଶାଣିତ ଆକ୍ରମଣ ଆଉ ଆରପଟେ ନିଜ ଦଳ ନେତାଙ୍କ ବିଦ୍ରୋହ ସ୍ଥିତିକୁ ଜଟିଳ କରିଥିବା କୁହାଯାଉଛି। ଏପରିକି ରାହୁଲ ପ୍ରସଙ୍ଗ ପରେ କଂଗ୍ରେସ ସପକ୍ଷରେ ବାତାବରଣ ତିଆରି ହୋଇଥିବାରୁ ନିଜ ଦଳର ନେତାମାନେ ମଧ୍ୟ ସ୍ଥିତି ଦେଖି ଦଳକୁ ଟାର୍ଗେଟ କରୁଛନ୍ତି।

ସେପଟେ ଉପରକୁ ଦେଖାଯାଉ ନ ଥିଲେ ମଧ୍ୟ କେନ୍ଦ୍ରୀୟ ବିଜେପି କର୍ଣ୍ଣାଟକ ପାଇଁ ବହୁ ଟେନସନରେ ଥିବା କୁହାଯାଉଛି। କଂଗ୍ରେସ ଏ ସବୁର ଫାଇଦା ନେବାକୁ କୌଣସି ସୁଯୋଗ ହାତଛଡା କରୁ ନ ଥିବା ଦେଖାଯାଇଛି। କର୍ଣ୍ଣାଟକ ନିର୍ବାଚନ ସମ୍ପର୍କିତ ଏକ ହାଇଲେବଲ ବୈଠକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦୂରପ୍ପାଙ୍କୁ ଦୁରେଇ ରଖିବାକୁ ନେଇ କଂଗ୍ରେସ ପ୍ରସଙ୍ଗ କରିଛି।

କର୍ଣ୍ଣାଟକ ବିଜେପିର ସବୁଠୁ ପ୍ରଭାବୀ ନେତା ତଥା ବରିଷ୍ଠ ଲିଙ୍ଗାୟତ ନେତାଙ୍କୁ ଏହା ଅସମ୍ମାନ ବୋଲି କହିଛି ଦଳ। ଯାହାକୁ ନେଇ ରାଜନୀତି ତୀବ୍ର ହୋଇଛି। ବିଜେପିର ବରିଷ୍ଠ ନେତାଙ୍କ ଅସନ୍ତୋଷ ପରେ କଂଗ୍ରେସର ଏସବୁ ମନ୍ତବ୍ୟ ନିଆଁରେ ଘିଅ ଢାଳିବା ଭଳି ହେଉଛି ବୋଲି କୁହାଯାଉଛି। କଂଗ୍ରେସର ଏହା ଏକ ଷ୍ଟ୍ରାଟେଜି କୁହାଯାଉଥିବା ବେଳେ ବିଜେପି ଉପରେ ଏହା ପ୍ରଭାବ ପକାଇବ ବୋଲି ଚର୍ଚ୍ଚା ହେଉଛି।

Leave A Reply

Your email address will not be published.