Latest Odisha News

BREAKING NEWS

ବିରୋଧୀଙ୍କ ବୈଠକରେ ଆଇଏଏସଙ୍କ କାମ କଣ?

ଭୁବନେଶ୍ୱର: ବିରୋଧୀ ଏକତା ବୈଠକ ଦେଶର ରାଜନୀତିରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛି। ନୂଆ ବିରୋଧୀ ମେଣ୍ଟର ନାଁ ଇଣ୍ଡିଆ ଦେଇ ବିରୋଧୀ ଏକ ବଡ଼ କାର୍ଡ ଖେଳିଛନ୍ତି। କିନ୍ତୁ ବିରୋଧୀ ମେଣ୍ଟର ନାଁ ଦେବାଠୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେପି ସମେତ ଅନ୍ୟ କିଛି ଦଳ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି।

BjdElectrycity

ଏହି କ୍ରମରେ ବିରୋଧୀ ଏକତା ବୈଠକ ଆୟୋଜନ ବେଳେ କର୍ଣ୍ଣାଟକରେ ଆଇଏଏସ ଅଧିକାରୀଙ୍କୁ କାମରେ ନିୟୋଜିତ କରିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଜେଡିଏସ ଓ ବିଜେପି।

କର୍ଣ୍ଣାଟକରେ ଉଭୟ ବିରୋଧୀ ଏ ପ୍ରସଙ୍ଗ ନେଇ କଂଗ୍ରେସ ସରକାରକୁ ଘେରିଛନ୍ତି। ବିରୋଧୀ ଏକତା ବୈଠକରେ ଯୋଗ ଦେଇଥିବା ବିରୋଧୀ ଦଳର ନେତାଙ୍କ ସେବା କାର୍ଯ୍ୟର ତଦାରଖ କରିବା ପାଇଁ ୩୦ ଜଣ ଆଇଏଏସ ଅଧିକାରୀଙ୍କୁ ନିୟୋଜିତ କରାଯିବା ପ୍ରସଙ୍ଗକୁ ନେଇ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ ନେତା ଏଚଡି କୁମାରସ୍ୱାମୀ କଂଗ୍ରେସ ସରକାର ଉପରେ ବର୍ଷିଛନ୍ତି।

ଆଇଏଏସ ଅଧିକାରୀ ମାନେ ରାଜ୍ୟର କ୍ଷମତା ଓ ଦକ୍ଷତାର ପ୍ରତୀକ। ତେଣୁ ସେମାନଙ୍କୁ ରାଜନେତାଙ୍କ ସେବା ପାଇଁ ଦ୍ୱାରପାଳ ଭାବେ ନିୟୋଜିତ କରିବା ଅଖିଳ ଭାରତୀୟ ସେବା ନିୟମର ଉଲ୍ଲଂଘନ ବୋଲି କୁହାଯାଇଛି। ଏପରିକି କେଉଁ ନେତାଙ୍କ ପାଇଁ କେଉଁ ଅଧିକାରୀଙ୍କୁ ନିୟୋଜିତ କରାଯାଇଥିଲା ସେ ସମ୍ପର୍କିତ ଲିଷ୍ଟ ଟ୍ୱିଟ ମାଧ୍ୟମରେ କୁମାରସ୍ୱାମୀ ପ୍ରକାଶ କରିଛନ୍ତି।

ବିରୋଧୀ ମେଣ୍ଟ କରି ସତ୍ତା ହାସଲ କରିବା ପାଇଁ କଂଗ୍ରେସ କର୍ଣ୍ଣାଟକର ଗୌରବ ଓ ଆତ୍ମସମ୍ମାନର ଅନ୍ତିମ ସଂସ୍କାର କରିଦେଲା ବୋଲି ସେ କହିଛନ୍ତି। ଏହି କାର୍ଯ୍ୟକ୍ରମ ନାଁ ରାଜ୍ୟ ସରକାରଙ୍କର ଥିଲା ନା ନୂଆ ସରକାରର ଶପଥ ଗ୍ରହଣ ଉତ୍ସବ। ଏହା କେବଳ ରାଜନୈତିକ ବୈଠକ ଥିଲା।

ତେଣୁ ନିଜ ମେଣ୍ଟର ନେତାଙ୍କ ସେବା ପାଇଁ ଅଧିକାରୀଙ୍କୁ ନିୟୋଜିତ କରିବା ସାଢ଼େ ୬ କୋଟି କନ୍ନଡ଼ ଲୋକଙ୍କ ସହ ଅନ୍ୟାୟ ବୋଲି କୁହାଯାଇଛି। ଏଭଳି କାମ କରିବାକୁ ଅଧିକାରୀ ମାନେ କିଭଳି ରାଜି ହେଲେ ବୋଲି ପ୍ରଶ୍ନ କରିଛନ୍ତି କୁମାରସ୍ୱାମୀ।

ସେପଟେ ବିଜେପି ନେତା ତଥା କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ଏସ ସୁରେଶ କୁମାର ଏ ପ୍ରସଙ୍ଗକୁ ନେଇ କଂଗ୍ରେସକୁ କଡା ସମାଲୋଚନା କରିଛନ୍ତି। ବିରୋଧୀ ଦଳର ନେତାମାନଙ୍କ ପାଇଁ ଅଧିକାରୀ ମାନେ ଆଟେଣ୍ଡାଣ୍ଟ ଭାବେ କାର୍ଯ୍ୟ କରିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି।

ସେପଟେ କଂଗ୍ରେସ ମଧ୍ୟ ଏହାକୁ ନେଇ କଡା ଜବାଵ ରଖିଛି। ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମାନେ ବେଙ୍ଗାଳୁରୁ ଆସିଥିଲେ। ତେଣୁ ପ୍ରୋଟୋକଲ ଅନୁଯାୟୀ ଅଫିସର ମାନଙ୍କୁ ଅତିଥି ମାନଙ୍କୁ ସ୍ୱାଗତ କରିବାକୁ ଦାୟିତ୍ୱ ଦିଆଯାଇଥିଲା।

ପୂର୍ବରୁ ଅନ୍ୟ ସରକାର ସମୟରେ ମଧ୍ୟ ଏଭଳି କରାଯାଇଥିବା ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା କହିଛନ୍ତି। ଏପରିକି ଉପମୁଖ୍ୟମନ୍ତ୍ରୀ ଡି କେ ଶିବକୁମାର ମଧ୍ୟ ବିରୋଧୀଙ୍କୁ କଡା ଜବାଵ ଦେଇଛନ୍ତି।

ରାଜ୍ୟର ଅତିଥୀମାନଙ୍କୁ ସ୍ୱାଗତ କରିବାକୁ ଏକ ପ୍ରୋଟୋକଲ ରହିଛି। ଯାହାକୁ ପାଳନ କରାଯାଇଛି। ଏପରିକି ମନ୍ତ୍ରୀମାନେ ମଧ୍ୟ ବହୁ ମୁଖ୍ୟମନ୍ତ୍ରୀଙ୍କ ସମେତ ବରିଷ୍ଠ ନେତା ମାନଙ୍କୁ ମଧ୍ୟ ସ୍ୱାଗତ କରିଛନ୍ତି। ତେଣୁ ସବୁ ବ୍ୟବସ୍ଥା ଅନୁଯାୟୀ କରାଯାଇଛି ବୋଲି କର୍ଣ୍ଣାଟକ କଂଗ୍ରେସ ସରକାର ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.