Latest Odisha News

BREAKING NEWS

ଏ ବୟସରେ ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ମିଛ ଶୋଭା ପାଉନି: ଲେଖାଶ୍ରୀ

ଭୁବନେଶ୍ୱର: ଏ ବୟସରେ ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ଡାହା ମିଛ ଶୋଭା ପାଉନାହିଁ ।  ବିଜୁ ଜନତା ଦଳ ମହିଳାଙ୍କୁ ବାରମ୍ବାର ଅପମାନିତ କରୁଛି ।  ନବୀନ ବାବୁଙ୍କ ୨୩ ବର୍ଷ ଶାସନରେ ଓଡିଶାର ମହିଳା ସମ୍ପୂର୍ଣ୍ଣ ଅସୁରକ୍ଷିତ ।  ମମିତା, ପରୀ, ସ୍ମିତାରାଣୀ, ସୋନାଲିକା ଓ ସଂଯୁକ୍ତାଙ୍କୁ କେବେ ନ୍ୟାୟ ଦେବେ ସରକାର ?  ରାଜ୍ୟ ସରକାରଙ୍କ ପାଇଁ ମହିଳା ସମ୍ମାନ କେବଳ ନିର୍ବାଚନୀ ମୋହରା । ବିଜୁ ଜନତା ଦଳର ମା’କୁ ସମ୍ମାନ ପ୍ରସଙ୍ଗକୁ ନେଇ ବର୍ଷିଛନ୍ତି ବିଜେପି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର ।

ଝାରସୁଗୁଡାରେ ସାମ୍ବାଦିକମାନଙ୍କୁ ଉଦବୋଧନ ଦେଇ ଡ. ଲେଖାଶ୍ରୀ କହିଛନ୍ତି,  ବିଜେଡି ମୁଖିଆ ନବୀନ ବାବୁ ସର୍ବଦା ମହିଳାଙ୍କ ସମ୍ମାନ, ଆଦର, ସୁରକ୍ଷା କଥା କହୁଛନ୍ତି  । କିନ୍ତୁ ବାସ୍ତବ ଛବି ଓଡିଶାବାସୀ ସ୍ପଷ୍ଟ ଜାଣନ୍ତି । ବିଜୁ ଜନତା ଦଳ ମହିଳାଙ୍କୁ ବାରମ୍ବାର ଅପମାନିତ କରି ଚାଲିଛି । ମୁଖ୍ୟମନ୍ତ୍ରୀ ଗୋଟିଏ ମିଛକୁ ବାରମ୍ବାର ଦୋହରାଇ ସତ ପ୍ରମାଣିତ କରିବାକୁ ଚେଷ୍ଟା କରୁଛନ୍ତି । ବିଜେଡି ସରକାରଙ୍କ ମହିଳା ସମ୍ମାନର ମିଛ ପେଡି ଖୋଲିଲେ ଘଂଟା ଘଂଟା ବିତିଯିବ । ନବୀନ ବାବୁଙ୍କ ୨୩ବର୍ଷ ଶାସନରେ ଓଡିଶାର ମହିଳା ସମ୍ପୂର୍ଣ୍ଣ ଅସୁରକ୍ଷିତ ଏକାଥା ଏନସିଆରବି ରିପୋର୍ଟରେ ସ୍ପଷ୍ଟ ପ୍ରମାଣିତ ହୋଇଛି ।

ଲେଖାଶ୍ରୀ କହିଛନ୍ତି,  ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ମମିତା ମେହେର ସହ ଯେଉଁ ଜଘନ୍ୟ କାଣ୍ଡ ହେଲା ତାହା କଣ ମାଙ୍କୁ ସମ୍ମାନ?   ନୟାଗଡର ୫ବର୍ଷର ଶିଶୁ ପରୀ ନିଖୋଜ ହେବାପରେ ବାପା ମା’ ପୋଲିସ ପାଖରେ ଫେରାଦ ହେଲେ । ଆଜି ବି ପରିର ବାପାମାଆ ତାଙ୍କର ହତ୍ୟାକାରୀକୁ ଦଣ୍ଡ କେବେ ମିଳିବ ଚାହିଁ ବସିଛନ୍ତି ।

ବିଜେଡି ଅଫିସ ଉଦଘାଟନ ଦିନ ସଂଯୁକ୍ତା ମହଲା ଯାଇ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତରେ ବିଜେଡି ଅଫିସରୁ କାନ୍ଦି କାନ୍ଦି ଫେରିଲେ । କାହିଁ ସେ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଆଜି ପର୍ଯ୍ୟନ୍ତ ପଦେ ପାଟି ଖୋଲିଲେ ନାହିଁ । ସେ ଶ୍ରମମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ କଲେ, ଥାନାରେ ଆସି ମନ୍ତ୍ରୀଙ୍କ ନାଁରେ ଏତଲା ଦେଲେ  । ଗଣମାଧ୍ୟମ ସାମ୍ନାରେ ମନ୍ତ୍ରୀଙ୍କ ନାଁ କହିଲେ । ତାଙ୍କର ଡାକ୍ତରୀ ମାଇନା ମଧ୍ୟ ହୋଇଥିଲା । ସେ ଆଜିବି ନ୍ୟାୟ ପାଇନାହାନ୍ତି ।

ଆଉଜଣେ ବିଧାୟକ ବିଜୟ ଶଙ୍କର କେଉଁ ର‌୍ୟାକେଟ ଚଲାଉଥିଲେ ସେ କଥା ସମସ୍ତଙ୍କୁ ଜଣା । ସୋନାଲିକାଙ୍କୁ କିପରି ନିର୍ଯ୍ୟାତନା ଦେଲେ ସେକଥା ସମସ୍ତେ ଜାଣିଛନ୍ତି । କାହିଁ ସେତେବେଳେ ତ ମୁହଁ ଖୋଲିଲେନି ମୁଖ୍ୟମନ୍ତ୍ରୀ । ସ୍ମିତାରାଣୀଙ୍କ ସମ୍ପର୍କ ବିଧାୟକ ପ୍ରଣବଙ୍କ ସହ ବାହାରିଲା । କେଉଁଠି ଅଟକିଲା ସ୍ମିତାରାଣୀଙ୍କ ହତ୍ୟାକାଣ୍ଡର ତଦନ୍ତ । କାହିଁ ମୁଖ୍ୟମନ୍ତ୍ରୀଙ୍କ ସେତେବେଳେ ମାଙ୍କ ସମ୍ମାନର କଥା ମନେ ପଡିଲାନି । ତେଣୁ ମୁଖ୍ୟମନ୍ତ୍ରୀ ଏ ବୟସରେ ମିଛର ଆଶ୍ରୟ ନେଉଛନ୍ତି ଓ ଓଡିଶାବାସୀଙ୍କୁ ଭଣ୍ଡାଉଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଲେଖାଶ୍ରୀ  ।

ରାଜ୍ୟ ସରକାରଙ୍କ ପାଇଁ ମହିଳା ସମ୍ମାନ କେବଳ ନିର୍ବାଚନୀ ମୋହରା ବୋଲି କହିଛନ୍ତି ଡ.ଲେଖାଶ୍ରୀ  । ଏହି ସାମ୍ବାଦିକ ସମ୍ମିଳନୀରେ ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ବିଜେପି ରାଜ୍ୟ ସଂପାଦିକା ସିପ୍ରା ବାଜପେୟୀ, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

 

Leave A Reply

Your email address will not be published.