Latest Odisha News

BREAKING NEWS

ରାଷ୍ଟ୍ରପତି ନିର୍ବାଚନ: ନବୀନଙ୍କ ସହ କଥା ହେଲେ ରାଜନାଥ ସିଂହ

ନୂଆଦିଲ୍ଲୀ: ରାଷ୍ଟ୍ରପତି ପ୍ରାର୍ଥୀ ହେବା ନେଇ ଦିଲ୍ଲୀରେ ବିରୋଧୀ ଏକାଠି  ହେବା ପରେ ପରେ ଏନଡିଏ ଆରମ୍ଭ କରିଦେଇଛି ନିଜ ରଣନୀତି । ଏନଡିଏର ଅଂଶୀଦାର ନଥିବା ଦଳର ସୁପ୍ରିମୋଙ୍କୁ ଫୋନ୍ କରି ରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ କରିବାକୁ ପ୍ରୟାସ ଆରମ୍ଭ କରିଛି ବିଜେପି । ଖବର ସରବରାହ ସଂସ୍ଥା ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଏ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ଜେଡିୟୁ (ଏନଡିଏର ଅଂଶୀଦାର) ସୁପ୍ରିମୋ ନୀତୀଶ କୁମାରଙ୍କୁ ଫୋନ୍ କରିଛନ୍ତି।

ଆଜି ବସିଥିବା ବିରୋଧୀ ଦଳର ବୈଠକକୁ ନବୀନ କିମ୍ବା ତାଙ୍କର ପ୍ରତିନିଧି ଯାଇନଥିଲେ। ତେଣୁ ନବୀନ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବେ ବୋଲି ସୂଚନା ରହିଛି। ହେଲେ ପ୍ରାର୍ଥୀ ଦେଖି ମନ ବଦଳାଇପାରେ ବୋଲି ମଧ୍ୟ ବିଜେଡି ନେତା ମାନେ କହୁଥିବାର ସୂଚନା ରହିଛି। ତେଣୁ ଆଗୁଆ କଥା ହୋଇ ସମସ୍ତ ଦ୍ୱନ୍ଦର ସମାଧାନ କରିବାକୁ ବିଜେପି ପ୍ରୟାସ କରୁଛି।

ସେହିପରି ରାଜନାଥ ସିଂହ ଏନସିପି ସୁପ୍ରିମୋ ଶରଦ ପାଓ୍ୱାରଙ୍କୁ ଫୋନ୍ କରିଥିବା ସୂଚନା ରହିଛି। ଯାହାକୁ ନେଇ ସସପେନ୍ସ ବଢିଛି। କାରଣ ଦିଲ୍ଲୀରେ ଶରଦଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ସେହିପରି ବିଏସପି ସୁପ୍ରିମୋ ସୁଶ୍ରୀ ମାୟାବତୀଙ୍କ ସହ ରାଜନାଖ କଥା ହୋଇଥିବା ସୂଚନା ରହିଛି।

ଅନ୍ୟପଟେ ବିଜେପି ସଭାପତି ଜେପି ନଡ୍ଡା ମଧ୍ୟ ଜମ୍ମୁ କଶ୍ମୀରର ନ୍ୟାଶନାଲ କନଫରେନ୍ସ, ନ୍ୟାସନାଲ ପିପୁଲ୍ସ ପାର୍ଟି, ନାଗା ପିପୁଲସ ଫ୍ରଣ୍ଟ ଏବଂ ଏଜେଏସୟୁ ଏବଂ କିଛି ସ୍ୱାଧୀନ ଭାବେ ସଂସଦକୁ ନିର୍ବାଚିତ ହୋଇଥିବା ସାଂସଦଙ୍କ ସହ ନଡ୍ଡା କଥା ହୋଇଥିବା ସୂଚନା ରହିଛି।

ଉଲ୍ଲେଖଯୋଗ୍ୟ, ମମତା ମୋଦୀ ବିରୋଧୀଙ୍କୁ ଏକାଠି କରି ଶକ୍ତି ପ୍ରଦର୍ଶନ କରିବାକୁ ପ୍ରୟାସ କରୁଥିବା ବେଳେ ବିଜେପି ସମସ୍ତ ଅଣ ଏନଡିଏ ଦଳ ପାଖରେ ପହଞ୍ଚି ମମତାଙ୍କ ମୋଦୀ ବିରୋଧୀ ମେଳିକୁ ଭଣ୍ଡୁର କରିବାକୁ ପ୍ରୟାସ କରିବାକୁ ଯୋଜନା କରିଥିବା ସୂଚନା ରହିଛି। ତେଣୁ ବିଜେପି ସଭାପତି ଜେପି ନଡ୍ଡା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ବିଜେପି ରାଷ୍ଟ୍ରପତି ପ୍ରାର୍ଥୀ ନେଇ ଗୁରୁ ଦାୟିତ୍ୱ ଦେଇଥିବା ସୂଚନା ରହିଛି।
Leave A Reply

Your email address will not be published.