ଭୁବନେଶ୍ୱର: ହରିୟାଣା ବିଜେପିରେ ବଡ଼ ବିଦ୍ରୋହ ଦେଖାଦେଇଛି। ନବମ ଶତାବ୍ଦୀର ଶାସକ ସମ୍ରାଟ ମିହିର ଭୋଜଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମକୁ ନେଇ ଦଳ ଭିତରେ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି।
ଏହି କାରଣ ପାଇଁ ବିଜେପିର ବହୁ ନେତା ଦଳରୁ ଇସ୍ତଫା ଦେଇଛନ୍ତି। ଖାଲି ସେତିକି ନୁହେଁ ହରିୟାଣାର ବହୁ ଗାଁରେ ବିଜେପି ନେତାଙ୍କ ପ୍ରବେଶକୁ ବ୍ୟାନ କରାଯାଇଛି।
ବିଜେପିର କାଇଥାଲ ବିଧାୟକ ଲୀଳା ରାମ ଗୁଜ୍ଜର ଏବଂ ଗୁଜ୍ଜର ସମ୍ପ୍ରଦାୟର ଅନ୍ୟ ନେତା କଡା ସୁରକ୍ଷା ମଧ୍ୟରେ ଏହି ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ। ଯାହାକୁ ନେଇ ଦଳୀୟ କାର୍ଯ୍ୟକର୍ତା ଓ ନେତାଙ୍କ ଇସ୍ତଫା ପର୍ବ ଲମ୍ବା ହେବାରେ ଲାଗିଛି।
ଏହି ଘଟଣା ରାଜପୁତ ସମ୍ପ୍ରଦାୟ ମଧ୍ୟରେ କ୍ରୋଧ ଭାବ ଜାଗ୍ରତ କରିଛି। ତେଣୁ ହରିୟାଣାର ରାଜପୁତ ପ୍ରଭାବ ଥିବା ଗାଁ ଗୁଡିକରେ ବିଜେପି ନେତାଙ୍କ ପ୍ରବେଶ ଉପରେ କଟକଣା ଲାଗୁ ହୋଇଛି।
ଜୁଲାଇ କୋଡିଏ ତାରିଖରେ ବିଜେପି ପକ୍ଷରୁ ସମ୍ରାଟ ମିହିର ଭୋଜଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନକୁ ନେଇ ଗୁଜ୍ଜର ଓ ରାଜପୁତ ମୁହାଁମୁହିଁ ହୋଇଛନ୍ତି। ପ୍ରତିମୂର୍ତ୍ତିରେ ଲେଖାଥିବା ଗୁଜ୍ଜର ଲେଖାକୁ କାଟିବା ସହ ହିନ୍ଦୁ ସମ୍ରାଟ ଲେଖିବା ପାଇଁ ରାଜପୁତ ସମ୍ପ୍ରଦାୟ ଦାବି କରିଛି।
ଏପରିକି ଏହାକୁ ନେଇ ରାଜପୁତ ସମ୍ପ୍ରଦାୟ ବିରୋଧ ପ୍ରଦର୍ଶନ କରିଥିବା ବେଳେ ସେମାନଙ୍କ ଉପରେ ଲାଠିଚାର୍ଜ କରାଯାଇଥିଲା। ବିରୋଧ ସତ୍ତ୍ୱେ ମଧ୍ୟ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ରାଜପୁତ ସମ୍ପ୍ରଦାୟକୁ ଆହୁରି ଉତ୍ୟକ୍ତ କରିଛି।
ତେଣୁ ବିଜେପି ରାଜପୁତଙ୍କୁ ଚାହୁଁ ନ ଥିବା ହରିୟାଣାରେ ରାଜପୁତ ମାନଙ୍କ ମଧ୍ୟରେ ଧାରଣା ସୃଷ୍ଟି କରିଥିବା ଖୋଦ ବିଜେପିର କୃଷକ ମୋର୍ଚ୍ଚା ନେତା ସଂଜୀବ ରାଣା କହିଛନ୍ତି।
ତେଣୁ ଏହାକୁ ବିରୋଧ କରି ବିଜେପିର ରାଜପୁତ ନେତାମାନେ ହରିୟାଣା ରାଜ୍ୟ ବିଜେପି ସଭାପତି ଓମ ପ୍ରକାଶ ଧନରଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି। ଏ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ତୁରନ୍ତ ସ୍ପଷ୍ଟୀକରଣ ଦେବାକୁ ଦାବି କରାଯାଇଛି।
ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ମୁଖ୍ୟମନ୍ତ୍ରୀ କଥା ରଖିବାକୁ ଦାବି କରାଯାଇଛି। ଗୋଟିଏ ପଟେ ହରିୟାଣାରେ କଂଗ୍ରେସ ଏକତାର ବାର୍ତା ଦେବାକୁ ଉଦ୍ୟମ କରୁଥିବା ବେଳେ ବିଜେପି ଭିତରେ ବିଦ୍ରୋହ ଦଳକୁ ଚିନ୍ତାରେ ପକାଇଛି।
ଆଗକୁ ଲୋକସଭା ନିର୍ବାଚନ ଥିବାରୁ ଅଧିକ ସିଟ ଜିତିବାକୁ ବିଜେପି ଉଦ୍ୟମ କରୁଛି। ତେଣୁ ଏଭଳି ଜାରି ରହିଲେ ଦଳକୁ କ୍ଷତି ପହଞ୍ଚିବ ବୋଲି ଚର୍ଚ୍ଚା ହେଉଛି।
Comments are closed.