Latest Odisha News

BREAKING NEWS

କାନୁଗୋଲୁଙ୍କ ତେଲେଙ୍ଗାନା ଗଣିତ, ୨ ଅଙ୍କ ଛୁଇଁ ପାରିବନି ବିଜେପି, ସଂଖ୍ୟାଠୁ ପଛରେ ପଡିବ ବିଆରଏସ!

ଭୁବନେଶ୍ୱର: ତେଲେଙ୍ଗାନାରେ କଂଗ୍ରେସ ଜିତିବାର ସମ୍ଭାବନା ସୃଷ୍ଟି ହୋଇଛି। କେବଳ କେତୋଟି ଦିଗକୁ ଧ୍ୟାନ ଦେଇ ଦଳ କାର୍ଯ୍ୟ କଲେ ସଫଳତା ପାଇପାରିବ। ଦଳର ରଣନୀତିକାର ସୁନୀଲ କାନୁଗୋଲୁ ଏମିତି କିଛି କହିଛନ୍ତି।

ଦଳର ରାଜନୈତିକ ପରିଚାଳନା କମିଟି ନିକଟରେ ଏକ ସ୍ୱତନ୍ତ୍ର ପ୍ରେଜେଣ୍ଟସନ ମାଧ୍ୟମରେ କାନୁଗୋଲୁ ତଥ୍ୟ ଆଧାରରେ ଏମିତି କିଛି ଦେଖାଇଛନ୍ତି। କର୍ଣ୍ଣାଟକରେ ବଡ଼ ବିଜୟ ପଛରେ ସୁନୀଲ କାନୁଗୋଲୁଙ୍କ ରଣନୀତି ହିଁ କାମ କଲା ବୋଲି କୁହାଯାଉଥିବା ବେଳେ କର୍ଣ୍ଣାଟକ ବିଜୟ ପରେ ସୁନୀଲଙ୍କ କଥାକୁ ଗୁରୁତ୍ୱ ଦିଆଯାଉଛି।

ଦୀର୍ଘ ନଅ ବର୍ଷ ଭିତରେ ଶାସକ ବିଆରଏସ ଶାସନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ୬୦ ଛୁଇଁବାକୁ ସକ୍ଷମ ନ ଥିବା ସେ କହିଛନ୍ତି। ଜୁଲାଇ ଦ୍ଵିତୀୟ ସପ୍ତାହ ସୁଦ୍ଧା ରାଜ୍ୟରେ ଏଭଳି ଚିତ୍ର ରହିଥିବା ସେ କହିଛନ୍ତି।

ସୁନୀଲଙ୍କ ଦ୍ଵାରା ଦିଆଯାଇଥିବା ଏହି ପ୍ରେଜେଣ୍ଟେସନ ସମୟରେ ତେଲେଙ୍ଗାନା ରାଜ୍ୟ ପ୍ରଭାରୀ ମାନିକରାଓ ଠାକରେ, ପ୍ରଦେଶ କଂଗ୍ରେସ କମିଟି ସଭାପତି ରେଭନ୍ତ ରେଡ୍ଡୀ, କଂଗ୍ରେସ ବିଧାୟକ ଦଳ ନେତା ଭଟ୍ଟୀ ବିକ୍ରମାରକା, ଅନ୍ୟ ସାଂସଦ ଓ ବିଧାୟକ ମାନେ ଉପସ୍ଥିତ ଥିଲେ।

ତେଣୁ ଏହାକୁ ହାସଲ କରିବାକୁ ହେଲେ ସମସ୍ତ ରୋଡ଼ମ୍ୟାପକୁ ନେଇ ଆଲୋଚନା ମଧ୍ୟ କରାଯାଇଛି। ତେଲେଙ୍ଗାନାରେ ଦଳର ବର୍ତ୍ତମାନ ସ୍ଥିତି ଓ ଆଗକୁ କଣ କଣ କରାଯିବା ଆବଶ୍ୟକ ସେ ସମ୍ପର୍କରେ କାନୁଗୋଲୁ ସୂଚନା ଦେଇଛନ୍ତି।

ଦଳ ଦ୍ୱାରା କରାଯାଇଥିବା ସର୍ଭେକୁ ଭିତ୍ତି କରି ଏଭଳି ଆକଳନ କରାଯାଇଛି। ଏପରିକି କାନୁଗୋଲୁଙ୍କ କହିବା ଅନୁଯାୟୀ ବିଜେପି ତେଲେଙ୍ଗାନାରେ ଦୁଇ ଅଙ୍କ ଛୁଇଁ ପାରିବ ନାହିଁ।

ତେଣୁ ଏକମାତ୍ର ଦଳ ଭାବେ କଂଗ୍ରେସ ହିଁ ବିଆରଏସକୁ ହରାଇପାରିବ ବୋଲି ସେ କହିଛନ୍ତି। କିନ୍ତୁ ଅନ୍ୟପକ୍ଷରେ କଂଗ୍ରେସ ତେଲେଙ୍ଗାନାର ପାଞ୍ଚୋଟି ସଂସଦୀୟ କ୍ଷେତ୍ର ହାଇଦ୍ରାବାଦ, ସିକନ୍ଦରାବାଦ, ମାଲକାଜଗିରି, ନିଜାମାବାଦ ଓ କରିମନଗରରେ ଦୁର୍ବଳ ସ୍ଥିତିରେ ରହିଥିବା କାନୁଗୋଲୁ ଚେତାଇ ଦେଇଛନ୍ତି।

ଏସବୁ କ୍ଷେତ୍ରରେ ବିଜେପି ବିଆରଏସକୁ କଡା ଟକ୍କର ଦେବ। କିନ୍ତୁ କଂଗ୍ରେସ ଯଦି ଆଗ୍ରେସିଭ ଢଙ୍ଗରେ ପ୍ରଚାର କରିବା ସହ ସରକାରର ବିଫଳତାକୁ ଲୋକଙ୍କ ସମ୍ମୁଖକୁ ଆଣିବ ଓ ବିଜେପି ବିଆରଏସ ସମ୍ପର୍କକୁ ଲୋକଙ୍କୁ ଛୁଆଁଇ ପାରିବ ତହେଲେ କଂଗ୍ରେସ ସେସବୁ ସ୍ଥାନରେ ଭଲ ପ୍ରଦର୍ଶନ କରିପାରିବ ବୋଲି କୁହାଯାଇଛି।

ତେଣୁ କାନୁଗୋଲୁଙ୍କ ଏଭଳି ଆକଳନ ତେଲେଙ୍ଗାନା ରାଜନୈତିକ ପାଣିପାଗକୁ ସରଗରମ କରିଛି। କର୍ଣ୍ଣାଟକରେ ସୁନୀଲ ଯେମିତି ଆକଳନ କରିଥିଲେ ଠିକ ସେମିତି ହୋଇଥିବା ବେଳେ ତେଲେଙ୍ଗାନାରେ ସୁନୀଲଙ୍କ ଆକଲନକୁ ନେଇ କଂଗ୍ରେସ ବେଶ ଉତ୍ସାହିତ ହୋଇଛି।

ଏପରିକି ସୁନୀଲଙ୍କ କଥାକୁ କଂଗ୍ରେସ ନେତାମାନେ ବେଶ ଗୁରୁତ୍ୱ ଦେଉଥିବା ବେଳେ ତାଙ୍କ ରଣନୀତି ଅନୁଯାୟୀ ସବୁ କରାଯାଉଛି। ଦଳର ସମସ୍ତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳୁଛି। ତେଣୁ ତେଲେଙ୍ଗାନାକୁ ନେଇ ସୁନୀଲଙ୍କ ଆକଳନ କେତେ ସଫଳ ହେଉଛି ତା ଉପରେ ନଜର।

 

Leave A Reply

Your email address will not be published.