ଭୁବନେଶ୍ୱର: ଦେଶରେ ଚାଲିଥିବା ଲିଭ ଇନ ରିଲେସନସିପ ଉପରେ ବ୍ୟାନ ଲଗାଇବାକୁ ଦାବି। ଖୋଦ କେନ୍ଦ୍ରର ଶାସକ ଦଳ ବିଜେପି ସାଂସଦ ଅଜୟ ପ୍ରତାପ ସିଂ ଏଭଳି ଦାବି କରିଛନ୍ତି।
ଲିଭ ଇନ ରିଲେସନସିପକୁ ବେଆଇନ କରିବା ପାଇଁ ଆଇନ ଆଣିବାକୁ ସାଂସଦ ଅଜୟ ପ୍ରତାପ ସିଂ ରାଜ୍ୟସଭାରେ ଦାବି ରଖିଛନ୍ତି। ସାଂସଦ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଡାଟା ଦେବା ସହ ବିଶ୍ୱର ୩୮ ପ୍ରତିଶତ ମହିଳା ସେମାନଙ୍କ ସହ ରହୁଥିବା ସାଥୀଙ୍କ ଦ୍ୱାରା ହିଁ ହତ୍ୟାର ଶିକାର ହେଉଥିବା ସେ କହିଛନ୍ତି।
ଭାରତର ସଂସ୍କୃତି ପରମ୍ପରା ବିବାହ ଓ ପାରିବାରିକ ବନ୍ଧନ ଉପରେ ଗୁରୁତ୍ୱ ଦିଏ। ଯାହାକି ଲିଭ ଇନ ଭଳି ସଂସ୍କୃତିକୁ ସମ୍ମତି ଦିଏ ନାହିଁ ବୋଲି ସେ କହିଛନ୍ତି।
ଭାରତୀୟ ସମାଜ ଏହାକୁ ଅନୈତିକ ବୋଲି ବିଚାର କରୁଥିଲେ ମଧ୍ୟ ଏହା ବେଆଇନ ନୁହେଁ ବୋଲି ସୁପ୍ରିମକୋର୍ଟ କହିଥିବା ସାଂସଦ କହିଛନ୍ତି। କିନ୍ତୁ ଏହା ଅନୈତିକ ଓ ବେଆଇନ ମଧ୍ୟ ହେବା ଉଚିତ ବୋଲି ସାଂସଦ ଦାବି କରିଛନ୍ତି।
ସରକାର ଏ ସମ୍ପର୍କରେ ବିଚାର କରିବା ସହ ଏସବୁକୁ ରୋକିବାକୁ ଆଇନ ଆଣିବା ଦରକାର ବୋଲି ସେ କହିଛନ୍ତି। ଯାହାଦ୍ୱାରା ମହିଳାଙ୍କୁ ସୁରକ୍ଷା ଦିଆଯାଇପାରିବ ବୋଲି ସେ କହିଛନ୍ତି।
ଏପରିକି କିଛି ଦିନ ତଳେ ମୁମ୍ବାଇର ସରସ୍ଵତୀ ବୈଦ୍ୟ ହତ୍ୟା ଲିଭ ଇନ ପାର୍ଟନରଙ୍କ ଦ୍ଵାରା ହୋଇଥିବା ଅଭିଯୋଗ ହୋଇଛି ବୋଲି ସେ ଉଦାହରଣ ଦେଇ କହିଛନ୍ତି। ତେଣୁ ବିଜେପି ସାଂସଦଙ୍କ ଏଭଳି କଥାକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଜୋର ଧରିଛି।
Comments are closed.