Latest Odisha News

BREAKING NEWS

ସରକାରୀ କାର୍ଯ୍ୟକ୍ରମର ଅତିଥି ତାଲିକାରେ ନାହିଁ ବିଜେପି ସାଂସଦଙ୍କ ନାଁ: ଅପରାଜିତା କହିଲେ, ଏତେ ସଂଙ୍କୀର୍ଣ୍ଣ ମାନସିକତା ?

ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟ ସରକାରଙ୍କ ତରଫରୁ ରାଜଧାନୀରେ ୭୩ ତମ ବନ ମହୋତ୍ସବ ପାଳନ ହେବ। ଏହି ମହୋତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ, ମେୟରଙ୍କ ସମେତ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟର ମନ୍ତ୍ରୀ ଏବଂ ବିଧାୟକ । ଏହା ଏକ ସରକାରୀ କାର୍ଯ୍ୟକ୍ରମ ହୋଇଥିଲେ ମଧ୍ୟ ଉପସ୍ଥିତ ହେବାକୁ ଥିବା ନିର୍ବାଚିତ ପ୍ରତିନିଧିଙ୍କ ତାଲିକାରେ ଭୁବନେଶ୍ୱର ସାଂସଦ ଯିଏକି ବିଜେପି ନେତ୍ରୀ ଏବଂ ଯେଉଁଠାରେ ଏହି ବନ ମହୋତ୍ସବ ପାଳନ ହେବ ସେଠାକାର ବିଜେପି କର୍ପୋର୍ଟେରଙ୍କ ନାଁ ଅତିଥି ତାଲିକାରେ ନାହିଁ। ଅର୍ଥାତ୍ ଆସନ୍ତାକାଲି ହେବାକୁ ଥିବା ଏହି ବୈଠକରେ କେବଳ ଶାସକ ଦଳର ନିର୍ବାଚିତ ପ୍ରତିନିଧି ଏବଂ ସରକାରୀ ଅଧିକାରୀ ଉପସ୍ଥିତ ରହିବେ। ଯାହାକୁ ନେଇ ଏବେ ପୁଣି ବିବାଦ ମୁଣ୍ଡ ଟେକିଛି।

ସାଂସଦ ଅପରାଜିତା ଟ୍ୱିଟ୍ କରି ଲେଖିଛନ୍ତି ଜଣେ ନିର୍ବାଚିତ ପ୍ରତିନିଧିଙ୍କୁ ସରକାରୀ କାର୍ଯ୍ୟକ୍ରମକୁ ନଡାକିବା ଅହଂକାର ନାଁ ସଂଙ୍କୀର୍ଣ୍ଣ ମାନସିକତା ?

ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ୱାରା ଆୟୋଜିତ ହେଉଛି ଏହି ବନ ମହୋତ୍ସବ । ରାଜଧାନୀ ଉପକଣ୍ଠସ୍ଥ ବରମୁଣ୍ଡା ପଡ଼ିଆରେ ଏହି ବୈଠକର ଆୟୋଜନ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ସେହିପରି ଜଙ୍ଗଲ  ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ମନ୍ତ୍ରୀ ପ୍ରଦିପ କୁମାର ଅମାତ, ସାଧାରଣ ଉଦ୍ୟୋଗ ମନ୍ତ୍ରୀ ତଥା ଏକାମ୍ର ବିଧାୟକ ଅଶୋକ ପଣ୍ଡା, ବିଧାୟକ ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା ଏବଂ ମେୟର ସୁଲୋଚନା ଦାସ, ମୁଖ୍ୟ ଶାସନ ସଚିବଙ୍କ ସମେତ ବିଭିନ୍ନ ବିଭାଗର ସଚିବ ଏବଂ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ।

ନିକଟରେ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ହୋଇଥିଲା। କରୋନା ସଂକ୍ରମଣ କମିଥିବାରୁ ବେଶ ଧୁମଧାମରେ ପ୍ରତିଷ୍ଠା ଦିବସ ପାଳନ ହୋଇଥିଲା। ହେଲେ ଏହି ବୈଠକକୁ ସାଂସଦ ଅପରାଜିତାଙ୍କୁ ଡକାଯାଇନଥିଲା । ଏମିତିକି ଅତିଥି ତାଲିକାରେ ତାଙ୍କର ନାଁ ଉଲ୍ଲେଖ ନଥିଲା। ଯାହାକୁ ନେଇ ବିବାଦ ମୁଣ୍ଡ ଟେକିଥିଲା। ଆଉ ସାଂସଦ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଏବେ ମଧ୍ୟ ସମାନ ଶୈଳୀରେ ଅପରାଜିତା ପ୍ରଶ୍ନ ଉଠାଇବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେପି ଏବଂ ଦଳର ସଭାପତିଙ୍କୁ ଟୁଇଟ୍ କରି ଅବଗତ କରାଇଛନ୍ତି।

ରାଜଧାନୀ ପ୍ରତିଷ୍ଠା ଦିବସରେ ସମାନ ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଏବଂ ଆୟୋଜକଙ୍କ ଉଦ୍ଦେଶ୍ୟ ପ୍ରଶ୍ନ ଘେରରେ ଥିଲା। ଏକ ସରକାରୀ କାର୍ଯ୍ୟକ୍ରମକୁ କେମିତି ଜଣେ ନିର୍ବାଚିତ ପ୍ରତିନିଧିଙ୍କୁ ଡକା ହୋଇନଥିଲା ସେ ନେଇ ପ୍ରଶ୍ନ ଉଠିଥିଲା। ଖୋଦ୍ ସାଂସଦ ଅପରାଜିତା ମଧ୍ୟ ଏ ନେଇ ପ୍ରଶ୍ନ ଉଠାଇଥିଲେ। ବିଜେଡ଼ି ନେତା ସାଂସଦଙ୍କୁ କାହିଁକି ଡକାହେଲାନି ଏହାର ଉତ୍ତର ଖୋଲାଖୋଲି ରଖିନଥିଲେ କିନ୍ତୁ କିଛି ବିଜେଡି ନେତା ଉତ୍ତର ରଖି କହିଥିଲେ ସାଂସଦ ଆସିଥିଲେ କଣ ଅସୁବିଧା ହୋଇଥାନ୍ତା କାହିଁକି ସେ ନିମନ୍ତ୍ରଣକୁ ଅପେକ୍ଷା କଲେ। ପରେ ମାମଲା ଶିଥିଳ ହୋଇଯାଇଥିଲା। ଏବେ ପୁଣି ଘଟଣାର ପୁନରାବୃତି  ଘଟିଛି।

Leave A Reply

Your email address will not be published.