Latest Odisha News

BREAKING NEWS

ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ଅମିତ ଶାହ

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆଜି ଏକ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଦିନ ୧୦ ଟା ୩୦ରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ଅମିତ ଶାହ ସେଠାରୁ ସିଧାସଳଖ ମଧୁବାବୁଙ୍କ ସ୍ମୃତିପୀଠ ସତ୍ୟଭାମାପୁରକୁ ଯିବେ ।

ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଶାହ ଦିନ ୧୧ଟା ୧୫ ମିନିଟରେ କଟକ ଜିଲ୍ଲା ସାଲେପୁରସ୍ଥିତ କୁଳିଆ ଏମଆରପି ପଡ଼ିଆରେ ପହଞ୍ଚିବେ । ଦିନ ପ୍ରାୟ ୧୨ଟା ୧୫ ମିନିଟରେ ସେ ସାଲେପୁରରେ ୪ଟି ଲୋକସଭା ନିର୍ବାଚନ ମଣ୍ଡଳୀର ଦଳୀୟ ସାଂଗଠନିକ ବୈଠକରେ ଯୋଗଦେଇ ବିଜେପି କର୍ମକର୍ତ୍ତାଙ୍କୁ ଉଦବୋଧନ ଦେବେ ।

ଏହାପରେ ସାଲେପୁର କୁଳିଆ ଏମଆରପି ପଡ଼ିଆରେ ଏକ ବିଶାଳ ଜନସମାବେଶରେ ଜନସାଧାରଣଙ୍କୁ ଉଦବୋଧନ ଦେବେ ଅମିତ ଶାହ । ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ଏହି ଗସ୍ତକୁ ଦୃଷ୍ଟିରେ ରଖି ସମଗ୍ର ମାହାଙ୍ଗା ଓ ସାଲେପରୁ ଅଞ୍ଚଳରେ ବିଜେପି କର୍ମୀ ଓ ନେତାଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଥିବାର ଲକ୍ଷ୍ୟ କରାଯାଇଛି ।

ଆଜି ସାଲେପୁର ଗସ୍ତ ପରେ ଆସନ୍ତା ଫେବୃଆରୀ ୩ ତାରିଖରେ ମଧ୍ୟ ଅମିତ ଶାହ ଜନଜାତି ମହାଅଧିବେଶନରେ ଯୋଗ ଦେବାକୁ ଓଡ଼ିଶା ଗସ୍ତରେ ଆସିବେ ।

ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ଏହି ଗସ୍ତ ସମ୍ପର୍କରେ ସୂଚନାଦେଇ ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, “ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଏହି ଗସ୍ତକୁ ନେଇ ରାଜ୍ୟ ବିଜେପିର ସବୁବର୍ଗର କର୍ମୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ବୃଦ୍ଧି ପାଇଛି । ଶ୍ରୀ ଶାହ ଯେତେବେଳେ ବି ଓଡ଼ିଶା ଗସ୍ତରେ ଆସିଛନ୍ତି ସବୁଥର କର୍ମୀଙ୍କ ମନୋବଳ ବଢାଇବାକୁ ବିଭିନ୍ନ ମନ୍ତ୍ର ଫୁଙ୍କିଛନ୍ତି ।”

ଏଠାରେ ଉଲ୍ଲେଖଯୋଗ୍ୟ, ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ ଥର ଓଡ଼ିଶା ଗସ୍ତରେ ଆସିଛନ୍ତି । ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ମୋଦି ଓ ଅମିତ ଶାହଙ୍କ ଏହି ଗସ୍ତ କାର୍ଯ୍ୟକ୍ରମ ନିଶ୍ଚିତ ରୂପେ ଦଳୀୟ କର୍ମୀଙ୍କୁ ଉତ୍ସାହ ଯୋଗାଇବ, ମାତ୍ର ରାଜ୍ୟବାସୀଙ୍କ ଉପରେ କିପରି ଭାବେ ପ୍ରଭାବିତ କରିବ ତାହା ଆଗାମୀ ସମୟ ହିଁ କହିପାରିବ ।

Leave A Reply

Your email address will not be published.