Latest Odisha News

BREAKING NEWS

‘Rahul mian’: ରାହୁଲ ମିଆଁ ବୋଲି ଡାକି କଲେ ସମ୍ବୋଧନ, ବିଦେଶୀ ସଂସ୍କୃତିରେ ବଢ଼ିଛନ୍ତି କହି ତାତ୍ସଲ୍ୟ କଲେ ନିତିନ ନବୀନ…

ନୂଆଦିଲ୍ଲୀ: ବନ୍ଦେ ମାତରମକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ରାଜନୈତିକ ବିବାଦ ଆହୁରି ତୀବ୍ର ହୋଇଛି। ଏହି ପ୍ରସଙ୍ଗରେ ବିଜେପି ଜାତୀୟ ସଭାପତି ନିତିନ ନବୀନ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ କଡ଼ା ଟାର୍ଗେଟ କରିଛନ୍ତି। ଏପରିକି ସେ ରାହୁଲଙ୍କୁ ‘ମିଆଁ’ ବୋଲି ସମ୍ବୋଧନ କରି ବିବାଦକୁ ନୂଆ ମୋଡ଼ ଦେଇଛନ୍ତି।

ହାଲଦ୍ୱାନୀରେ ଆୟୋଜିତ ବିଜେପିର ବିସ୍ତୃତ ରାଜ୍ୟ କାର୍ଯ୍ୟସମିତି ବୈଠକକୁ ସମ୍ବୋଧିତ କରି ନିତିନ ନବୀନ କହିଛନ୍ତି ଯେ, ଯେଉଁମାନେ ବନ୍ଦେ ମାତରମ୍ କହିବାକୁ ଲଜ୍ଜା ଅନୁଭବ କରନ୍ତି, ସେମାନେ ଭାରତୀୟ ସଂସ୍କୃତିର ମହତ୍ତ୍ୱକୁ କିପରି ବୁଝିବେ? ରାହୁଲ ଗାନ୍ଧୀ ବିଦେଶୀ ସଂସ୍କୃତିରେ ବଢ଼ିଥିବାରୁ ଭାରତୀୟ ସଂସ୍କୃତି ଓ ବନ୍ଦେ ମାତରମର ଗୁରୁତ୍ୱ ବୁଝିପାରୁନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ନିତିନ ନବୀନ ଆହୁରି କହିଛନ୍ତି ଯେ, ବନ୍ଦେ ମାତରମର ଗୁଞ୍ଜରଣ ଦେଶର ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କୁ ବଳିଦାନ ଦେବାକୁ ପ୍ରେରଣା ଦେଇଥିଲା। ଦେଶର ସ୍ୱାଧୀନତା ଓ ମାଟି ପାଇଁ ଯେଉଁ ଗୀତ ସହିତ ଅନେକ ବଳିଦାନ ଜଡ଼ିତ, ତାହାର ପୂରା ଗାନକୁ ନେଇ କଂଗ୍ରେସର ଆପତ୍ତି ଥିବା ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ଏଥିସହ କଂଗ୍ରେସକୁ ରାଜନୈତିକ ଭାବେ ସମାପ୍ତ କରିବା ଦରକାର ବୋଲି ମଧ୍ୟ ସେ କହିଛନ୍ତି।

ବନ୍ଦେ ମାତରମକୁ ନେଇ ବିବାଦର ମୁଖ୍ୟ କାରଣ ହେଉଛି କଂଗ୍ରେସର ଘୋଷଣା। ଦଳ ପକ୍ଷରୁ କୁହାଯାଇଥିଲା ଯେ ଏହାର କାର୍ଯ୍ୟକ୍ରମରେ ବନ୍ଦେ ମାତରମର ୬ଟି ପଦରୁ କେବଳ ୨ଟି ପଦ ଗାନ କରାଯିବ। ଏହାକୁ ନେଇ ବିଜେପି କଂଗ୍ରେସକୁ ଲଗାତାର ଟାର୍ଗେଟ କରୁଛି। ସେପଟେ ସ୍ୱାଧୀନତା ଦିବସରେ ଲାଲକିଲ୍ଲାରେ ମଧ୍ୟ ବନ୍ଦେ ମାତରମ୍ ଗାନ କରାଯାଇଥିଲା।

ଏହି ରାଜନୈତିକ ବୟାନବାଜି ମଧ୍ୟରେ ନିତିନ ନବୀନ ଉତ୍ତରାଖଣ୍ଡରେ ବିଜେପିର ପୁଣି ସରକାର ଗଠନ ନେଇ ଦାବି କରିଛନ୍ତି। କାର୍ଯ୍ୟକର୍ତ୍ତାଙ୍କ ଉତ୍ସାହ ଓ ସମର୍ପଣ ଦେଖି ୨୦୨୭ରେ ଉତ୍ତରାଖଣ୍ଡରେ ବିଜେପି ଐତିହାସିକ ହ୍ୟାଟ୍ରିକ୍ ବିଜୟ ହାସଲ କରିବ ବୋଲି ସେ ଦୃଢ଼ ବିଶ୍ୱାସ ପ୍ରକାଶ କରିଛନ୍ତି। ବୈଠକରେ ଦଳର ସଂଗଠନକୁ ମଜବୁତ କରିବା, ଆଗାମୀ କାର୍ଯ୍ୟକ୍ରମ ଓ ରାଜ୍ୟର ବିକାଶ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହୋଇଛି।

Leave A Reply

Your email address will not be published.