ଲଣ୍ଡନ : ବ୍ରିଟେନ ଗସ୍ତରେ ଥିବା ପାକିସ୍ତାନର ୧୯ ବର୍ଷରୁ କମ୍ କ୍ରିକେଟ୍ ଦଳକୁ ନେଇ ଗୋଟିଏ ଅଜବ ଓ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପୋର୍ଟସମାଉଥ୍ ସହରର ଏକ ହୋଟେଲରେ ରହୁଥିବା ପାକିସ୍ତାନୀ ଖେଳାଳିମାନଙ୍କୁ ବେଆଇନ ଶରଣାର୍ଥୀ ବା ଅନୁପ୍ରବେଶକାରୀ ଭାବି ପ୍ରାୟ ୩୦ ରୁ ୪୦ ଜଣ ବିକ୍ଷୋଭକାରୀ ହୋଟେଲ ବାହାରେ ହଙ୍ଗାମା କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ମ୍ୟାରିଅଟ୍ ହୋଟେଲ ବାହାରେ ଏକ ବସ୍ରୁ କିଛି ବିଦେଶୀ ନାଗରିକ ଓହ୍ଲାଉଥିବାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହା ପରେ ସେମାନେ ବ୍ରିଟେନକୁ ଆସିଥିବା ନୂଆ ଶରଣାର୍ଥୀ ବୋଲି ଗୁଜବ ପ୍ରଚାରିତ ହୋଇଥିଲା। ଏହି ଭ୍ରମାତ୍ମକ ଖବର ପାଇ ମୁଖାପିନ୍ଧା ବିକ୍ଷୋଭକାରୀମାନେ ହୋଟେଲ ଆଗରେ ଜମା ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ଓ ସ୍ଥାନୀୟ କାଉନସିଲର ଜୋର୍ଜ ମାଡଗୱିକ୍ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ। କାଉନସିଲର ହୋଟେଲ କର୍ତ୍ତୃପକ୍ଷ ଓ ପାକିସ୍ତାନ ଟିମ୍ର କୋଚ୍ଙ୍କ ସହ କଥା ହେବା ପରେ ବିକ୍ଷୋଭକାରୀଙ୍କୁ ବୁଝାଇଥିଲେ ଯେ ସେମାନେ କୌଣସି ଶରଣାର୍ଥୀ ନୁହନ୍ତି, ବରଂ କ୍ରିକେଟ୍ ସିରିଜ୍ ଖେଳିବାକୁ ଆସିଥିବା ପାକିସ୍ତାନୀ କ୍ରିକେଟର। ସତ ଜାଣିବା ପରେ ବିକ୍ଷୋଭକାରୀମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ।
ଏହି ଘଟଣା ପରେ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡ ପାକିସ୍ତାନୀ ଖେଳାଳିଙ୍କ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛି। ଭୁଲ ତଥ୍ୟ ଓ ଗୁଜବ ଯୋଗୁଁ ଏପରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବାରୁ ସ୍ଥାନୀୟ ନେତା ଓ ସଂଗଠନଗୁଡ଼ିକ ଏହାର କଡ଼ା ନିନ୍ଦା କରିଛନ୍ତି।


Comments are closed.