Latest Odisha News

BREAKING NEWS

ବିଜେଡି ଘେରିବା ପରେ ରାଜ୍ୟ ବିଜେପି ମୈଦାନକୁ ଛାଡିଲାକି ମୁଖ୍ୟମନ୍ତ୍ରୀ ଚେହେରା?

ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାର ଗଢ଼ିବ ବୋଲି ଦାବି କରୁଛି, କିନ୍ତୁ କିଏ ମୁଖ୍ୟମନ୍ତ୍ରୀ ଚେହେରା ତାହା ଦଳ ଅସ୍ପଷ୍ଟ ରଖିଛି। ଯାହାକୁ ନେଇ ବିଜେଡି ରାଜ୍ୟ ବିଜେପି ସହିତ କେନ୍ଦ୍ରୀୟ ନେତାଙ୍କୁ ଘେରୁଛି। ଶାସକ ଦଳର ନମ୍ବର ଟୁ ନେତା ଭି.କେ ପାଣ୍ଡିଆନ୍ ହୁଅନ୍ତୁ ଅବା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ଅନ୍ୟମାନେ ରାଜ୍ୟ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା କିଏ ବୋଲି ଘୋଷଣା କରିବାକୁ ଦାବି କରୁଛନ୍ତି।

ଏହାରି ଭିତରେ ରାଜ୍ୟ ବିଜେପିର ୫ ପ୍ରମୁଖ ଚେହେରା ଏକାଠି ପ୍ରେସମିଟ୍ କରିବା ଏବଂ ପ୍ରଚାର କରିବା ଏକ ଭିନ୍ନ ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି। କାରଣ ବିଭିନ୍ନ ସମୟରେ କୁହାଯାଏ ଏହି ପାଞ୍ଚ ଚେହେରା ରାଜ୍ଯ ପ୍ରମୁଖ ନେତା ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଆସନ ପାଇଁ ଏମାନଙ୍କର ଆଶା ଆଙ୍କାକ୍ଷା ରହିଛି। ଯେଉଁଥିପାଇଁ ଉଭୟଙ୍କ ମଧ୍ୟରେ ମତଭେଦ ରହିଛି।

କିନ୍ତୁ ମେ ୧୩ରେ ଭୁବନେଶ୍ବରଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପିର ରାଷ୍ଚ୍ରୀୟ ଉପାଧ୍ଯକ୍ଷ ବୈଜୟନ୍ତ ପଣ୍ଡା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ରାଜ୍ଯ ବିଜେପି ସଭାପତି ମନମୋହନ ସାମଲ ଏବଂ ସାଂସଦ ଅପରାଜିତା ଷଡ଼ଙ୍ଗୀ ଏକାଠି ପ୍ରେସମିଟ୍ କରି ରାଜ୍ୟର ଶାସକ ଦଳକୁ ବିଭିନ୍ନ ପ୍ରଶ୍ନ କରି ଜବରଦସ୍ତ ଆଟାକ କରିଥିଲେ ବୋଲି କୁହାଯାଏ। ଏହାପରେ ପରେ ଆଜି ପୁଣି ବାଲେଶ୍ବରରେ ସମାନ ୫ ଜଣିଆ ଟିମ୍ ପ୍ରଚାର କରିଛନ୍ତି। ୫ ପ୍ରମୁଖ ନେତାଙ୍କୁ ଏକାଠି କରି ବିଜେପି ସାମୂହିକ ନେତୃତ୍ୱର ବାର୍ତ୍ତା ଦେଉଛି ବୋଲି କହିଛି।

ରାଜ୍ୟ ବିଜେପିରେ ଅନେକ ନେତା ଅଛନ୍ତି ଯେପରିକି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ନବ, ବିଶ୍ବେଶ୍ବର ଟୁ଼ଡୁ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ପୂର୍ବତନ ମନ୍ତ୍ରୀ କେ.ଭି ସିଂହ ଦେଓ, ସୁରେଶ ପୂଜାରୀ, ସମ୍ବିତ ପାତ୍ରଙ୍କ ଭଳି ଚେହେରା ଅଛନ୍ତି। ଯେଉଁମାନେ କି ରାଜ୍ୟରେ ଜଣାଶୁଣା ଚେହେରା। ହେଲେ ବିଜେଡି ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଘେରିବା ପରେ ବିଜେପି ହଠାତ୍ ଯେଉଁ ୫ ନେତାଙ୍କୁ ଏକାଠି କରି ମୈଦାନକୁ ଓହ୍ଲାଇଛି ତାକୁ ନେଇ ଚର୍ଚ୍ଚା ହେଉଛି।

ଏହାରି ଭିତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପିର ରାଷ୍ଚ୍ରୀୟ ଉପାଧ୍ଯକ୍ଷ ବୈଜୟନ୍ତ ପଣ୍ଡା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ରାଜ୍ଯ ବିଜେପି ସଭାପତି ମନମୋହନ ସାମଲ ଏବଂ ସାଂସଦ ଅପରାଜିତା ଷଡ଼ଙ୍ଗୀ ଏକାଠି ହୋଇ ସାମ୍ନାକୁ ଆସିବା ପରେ କୁହାଯାଉଛି ଯେ ଯଦି ବିଜେପି ସରକାର ଗଢିବ ତାହେଲେ ଏଇମାନଙ୍କ ଭିତରେ କେହି ଜଣେ ମୁଖ୍ୟମନ୍ତ୍ରୀ ଆସନରେ ବସିପାରନ୍ତି।

କିନ୍ତୁ ଆଉ ଏକ ଦିଗ ହେଲା ଏହି ୫ ନେତାଙ୍କ ମଧ୍ୟରୁ ମନମୋହନ ସାମଲ କେବଳ ବିଧାୟକ ପ୍ରାର୍ଥୀ ହୋଇଛନ୍ତି। ଅନ୍ୟ ୪ ଜଣ ସାଂସଦ ପ୍ରାର୍ଥୀ। ମେଣ୍ଟ ଚର୍ଚ୍ଚାରେ ବିରାମ ଲାଗିବା ପରେ ବିଜେପି ନିର୍ବାଚନ ମୈଦାନକୁ ଓହ୍ଲାଇବା ବେଳେ ଏଭଳି ଆକ୍ରମଣାତ୍ମକ ହୋଇନଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ହଠାତ ଏକ ଜାତୀୟ ଗଣମାଧ୍ୟମରେ ଓଡ଼ିଆଙ୍କ ଅସ୍ମିତା କଥା କହି ସମାଲୋଚନା କରିବା ପରେ ରାଜ୍ୟ ବିଜେପି ଯେପରି ଜୋଶକୁ ଆସି ସମସ୍ତ ଶକ୍ତି ଖଟାଇ ନିର୍ବାଚନ ଲଢିଲା ଭଳି ଲାଗୁଛି। କହିରଖୁଛୁ, ୟୁପିରେ ୨୦୧୭ରେ ବିଜେପି ସରକାର ଗଢିବାକୁ ଗଲା ବେଳେ ମୁଖ୍ୟମନ୍ତ୍ରୀ ଚେହେରା କେହିନଥିଲେ। ଯୋଗୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିବା ବେଳେ ସେ ସାଂସଦ ଥିଲେ।

ରାଜ୍ୟ ବିଜେପିର ଏହି ୫ ନେତା ପ୍ରମୁଖ ଚେହେରା କହିଲେ ଅତ୍ୟୁକ୍ତି ହେବ ନାହିଁ। ୨୦୧୪ଠୁ ଧର୍ମେନ୍ଦ୍ର ପ୍ରଧାନ ଓଡିଶା ବିଜେପିର ଅନ୍ୟତମ ପାଓ୍ୱାରଫୁଲ ଚେହେରା ବା ପୋଷ୍ଟର ବୟ ବୋଲି ଗଣାଯାଉଛି। ପରେ ପରେ ବୈଜୟନ୍ତ ବିଜେଡି ଛାଡି ବିଜେପିରେ ସାମିଲ ହେବା ଏବଂ ପ୍ରତାପ ଷଡଙ୍ଗୀ କେନ୍ଦ୍ରରେ ମନ୍ତ୍ରୀ ହେବା ପରେ ରାଜ୍ୟ ବିଜେପି ନେତା ତିଆରି କରିବା ଆରମ୍ଭ କରିଛି ବୋଲି କୁହାଯାଏ। ସେହିପରି ଅପରାଜିତା ପ୍ରଥମ ଥର ପାଇଁ ୨୦୧୯ରେ ସାଂସଦ ଭାବେ ନିର୍ବାଚିତ ହେଲେ ମଧ୍ୟ ଆଇଏଏସ ଚାକିରି ବେଳେ ନିଜ କାର୍ଯ୍ୟଦକ୍ଷତା ପାଇଁ ନିଜର ଏକ ସ୍ବତନ୍ତ୍ର ପରିଚୟ ପାଇଛନ୍ତି। ସେ ଦିଲ୍ଲୀ ଦରବାରରେ ଦଳର ମୁଖପାତ୍ର ମଧ୍ୟ ରହିଛନ୍ତି। ସେହିପରି ବିଜେଡି ଓ ବିଜେପି ମେଣ୍ଟ ସରକାରରେ ମନମୋହନ ସାମଲ ରାଜସ୍ବ ମନ୍ତ୍ରୀ ସହିତ ଅନ୍ୟତମ ଶକ୍ତିଶାଳୀ ନେତା ଥିଲେ।

ଗତକାଲି କେନ୍ଦ୍ରମନ୍ତ୍ରୀ ଗୃହମନ୍ତ୍ରୀ ଅମିତ ଶାହ ରାଉରକେଲାରେ କହିଛନ୍ତି, ଓଡିଶାରେ ବିଜେପି ସରକାର ଗଢିବ। ଦଳ ୭୫ ନେତା ବିଧାନସଭାକୁ ନିର୍ବାଚିତ ହେବେ ଏବଂ ୧୫ ଜଣ ସାଂସଦ ଭାବେ ନିର୍ବାଚିତ ହେବେ। ଏପରି କହି ସେ ରାଜ୍ଯରେ ବିଜେପି ସରକାର ଗଢିବାକୁ ଯାଉଛି ବୋଲି ଇସାରା ଦେଇଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ କହି ସାରିଛନ୍ତି, ଜୁନ ୧୦ରେ ବିଜେପି ରାଜ୍ୟର ଶାସନ ଭାର ଗ୍ରହଣ କରିବ। ଜଣେ ଓଡିଆ ପୁଅ ନହେଲେ ଝିଅ ମୁଖ୍ୟମନ୍ତ୍ରୀ ଆସନରେ ବସିବ।

Leave A Reply

Your email address will not be published.